ଜିଏସ୍‌ଟି ହ୍ରାସ ପରେ ବିଶେଷଜ୍ଞଙ୍କ ଆକଳନ: ୨ ଲକ୍ଷ କୋଟି ରାଜସ୍ୱ ହରାଇବେ ସରକାର

Government to lose Rs 2 lakh crore in revenue after GST cut, experts predict

ନୂଆଦିଲ୍ଲୀ, : ଜିଏସ୍‌ଟି ହ୍ରାସ ଫଳରେ ସରକାରଙ୍କୁ ୪୮ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ଅର୍ଥ ମନ୍ତ୍ରାଳୟ ପୂର୍ବରୁ ଆକଳନ କରିଛି । କିନ୍ତୁ ଅନେକ ଅର୍ଥନୀତିଜ୍ଞ ଓ ଗବେଷଣା ଫାର୍ମ ଏଥିରେ ସହମତ ନାହାନ୍ତି । ସେମାନଙ୍କ ମତରେ ଏ ବାବଦ କ୍ଷତି ପରିମାଣ ୧.୫ ଲକ୍ଷରୁ ୨ ଲକ୍ଷ ଟଙ୍କା ମଧ୍ୟରେ ହୋଇପାରେ । ସରକାରଙ୍କ ଆକଳନ ଅନୁଯାୟୀ, ମୋଟ ରାଜସ୍ୱ ହାନି ୯୩ ହଜାର କୋଟି ଟଙ୍କା ରହିବ । କିନ୍ତୁ ୨୮ ପ୍ରତିଶତ ସ୍ଲାବରେ ଥିବା କେତେକ ସାମଗ୍ରୀକୁ ୪୦ ପ୍ରତିଶତ ବର୍ଗରେ ରଖାଯାଇଥିବାରୁ ଏବାବଦରେ ସରକାର ଅଧିକ ୪୫ ହଜାର କୋଟି ଟଙ୍କା ପାଇବେ । ତେଣୁ ଜିଏସ୍‌ଟି କ୍ଷତି ୪୮ ହଜାର କୋଟି ଟଙ୍କା ରହିବ । ୨୦୨୩-୨୪ ଆର୍ôଥକବର୍ଷର ଖର୍ଚ୍ଚକୁ ଦେଖି ଅର୍ଥ ମନ୍ତ୍ରାଳୟ ଏହି ଆକଳନ କରିଛି । ଅର୍ଥ ମନ୍ତ୍ରାଳୟର ଏହା ଅତ୍ୟଧିକ ଆଶାବାଦୀ ଆକଳନ ବୋଲି କୁହାଯାଉଛି । କିନ୍ତୁ ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି ଯେ ୨୦୨୩- ୨୪ ଖର୍ଚ୍ଚ ଆଧାରରେ ଯେଉଁ ୯୩ ହଜାର କୋଟି ଟଙ୍କାର କ୍ଷତି ଆକଳନ କରାଯାଇଛି ୨୦୨୫- ୨୬ ମୂଲ୍ୟରେ ତାହା ପ୍ରାୟ ୧.୧ ଲକ୍ଷ କୋଟି ଟଙ୍କା ହେବ । ଏହା ବାଦ୍ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ସେସ୍ ମଧ୍ୟ ହରାଇବେ । ସେସ୍ ବର୍ଷକୁ ସରକାର ପ୍ରାୟ ୧.୪ ଲକ୍ଷ କୋଟି ଟଙ୍କା ପାଇଥାନ୍ତି । ୪୦ ପ୍ରତିଶତ ଜିଏସ୍‌ଟି ସ୍ଲାବରୁ ପ୍ରାୟ ୫୦ ହଜାର କୋଟି ଟଙ୍କା ଆଦାୟ ହେବ ବୋଲି ଆକଳନ ହୋଇଥିଲେ ମଧ୍ୟ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ରାଜସ୍ୱ ହାନି ହେବ ବୋଲି ସେ ମତ ଦେଇଛନ୍ତି । ଅଧିକାଂଶ ଅର୍ଥନୀତିଜ୍ଞ ସରକାରଙ୍କ ୪୮ ହଜାର ଟଙ୍କାର କ୍ଷତି ଆକଳନ ଉପରେ ପ୍ରଶ୍ନ ଉଠାଇଛନ୍ତି । ସରକାର କିଭଳି ଏହି ସଂଖ୍ୟାରେ ପହଞ୍ଚିଲେ ତାହା ସ୍ପଷ୍ଟ ନଥିବାରୁ ଉକ୍ତ ସଂଖ୍ୟାକୁ ନେଇ ସେମାନେ ସଂପୂର୍ଣ୍ଣ ସହମତ ନାହାନ୍ତି । ଏମ୍ କେ ଗ୍ଲୋବାଲ, ଏଚ୍‌ଏସ୍‌ବିସି ଏବଂ ବର୍ନଷ୍ଟିନ୍ ଭଳି ସଂସ୍ଥାର ରିପୋର୍ଟ ଅନୁଯାୟୀ, ନୂଆ ଜିଏସ୍‌ଟି ଢାଞ୍ଚା ପୂରାପୂରି କାର୍ଯ୍ୟକାରୀ ହେଲେ ରାଜସ୍ୱ କ୍ଷତି ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ରହିବ । ବର୍ନଷ୍ଟିନ ରିସର୍ଚ୍ଚ କହିଛି ଯେ ୧୨ ପ୍ରତିଶତ ସ୍ଲାବ୍‌ର ସାମଗ୍ରୀକୁ ୫ ପ୍ରତିଶତରେ ମିଶାଇ ଦେବା ଦ୍ୱାରା ଏବାବଦରେ ୭୯,୬୦୦ କୋଟି ଟଙ୍କାର ରାଜସ୍ୱ ହାନି ହେବ । ସେହିଭଳି ୨୮ ପ୍ରତିଶତକୁ ଉଚ୍ଛେଦ କରାଯିବା ଫଳରେ ଆଉ ୧.୧୨ ଲକ୍ଷ କୋଟି ଟଙ୍କା କ୍ଷତି ହେବ । ୧୨ ପ୍ରତିଶତରେ ଥିବା ସାମଗ୍ରୀକୁ ୧୮ ପ୍ରତିଶତକୁ ନେବା ଦ୍ୱାରା ସରକାରଙ୍କୁ ୭୦୦ କୋଟି ଟଙ୍କାର ଲାଭ ହେବ । ସେହିଭଳି ୨୮ ପ୍ରତିଶତରେ ଥିବା ସାମଗ୍ରୀ ଉପରେ ୪୦ ପ୍ରତିଶତ ଆଦାୟ କରିବା ଦ୍ୱାରା ୧୫ ହଜାର କୋଟି ଟଙ୍କା ଅଧିକ ରାଜସ୍ୱ ମିଳିବ । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ନିଟ୍ ୧.୫୭ ଲକ୍ଷ କୋଟି ଟଙ୍କାର ରାଜସ୍ୱ ହାନି ସହିବାକୁ ପଡ଼ିବ । ୬ ମାସରେ ନିଟ୍‌ ରାଜସ୍ୱ ହାନି ୫୭ ହଜାର କୋଟି ଟଙ୍କା ହେବ ବୋଲି ଏଚ୍‌ଏସ୍‌ବିସି ଆକଳନ କରିଛି । ଆଇଡିଏଫ୍‌ସି ଫାଷ୍ଟ୍ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଗେର ସେନଗୁପ୍ତା ରାଜସ୍ୱ ଉପରେ ଜିଏସ୍‌?ଟି ହ୍ରାସର ପ୍ରଭାବ ପ୍ରାୟ ୯୫ ହଜାର କୋଟି ଟଙ୍କା ରହିବ ବୋଲି ଆକଳନ କରିଛନ୍ତି । ଚଳିତମାସରେ ଜିଏସ୍‌ଟି ପରିଷଦର ୫୬ତମ ବୈଠକରେ ଅନେକ ସାମଗ୍ରୀର ଟିକସ ହ୍ରାସ କରାଯାଇଛି । ଏଥିସହିତ ଚାରି ଟିକିଆ ଜିଏସ୍‌ଟି ସ୍ଲାବରୁ ୧୨ ଏବଂ ୨୮ ପ୍ରତିଶତକୁ ହଟାଇ ଦିଆଯିବା ସହିତ କ୍ଷତିପୂରଣ ସେସ୍ ଆଦାୟକୁ ମଧ୍ୟ ଉଠାଇ ଦିଆଯାଇଛି । ବିଳାସପୂର୍ଣ୍ଣ ଏବଂ ହାନିକାରକ ସାମଗ୍ରୀ ଉପରେ ୪୦ ପ୍ରତିଶତ ଜିଏସ୍‌ଟି ଆଦାୟ ହେବାକୁ ଥିବାବେଳେ ଅନ୍ୟ ସାମଗ୍ରୀ ଉପରୁ ୫ ଓ ୧୮ ପ୍ରତିଶତ ଜିଏସ୍‌ଟି ଆଦାୟ କରାଯିବ । ୨୦୧୭ ଜୁଲାଇ ପହିଲାରେ ଭାରତରେ ଜିଏସ୍‌?ଟି ଲାଗୁ ହୋଇଥିଲା । ତାହାର ପ୍ରାୟ ୮ ବର୍ଷ ପରେ ଏଥିରେ ବଡ଼ଧରଣର ସଂସ୍କାର ଅଣାଯାଇଛି । ଚଳିତମାସ ୨୨ ତାରିଖରୁ ନୂଆ ଜିଏସ୍‌ଟି କାର୍ଯ୍ୟକାରୀ ହେବ ।

Comments (0)
Add Comment