ନୂଆଦିଲ୍ଲୀ,: ଚଳିତ ବର୍ଷ ଜୁଲାଇରେ କେନ୍ଦ୍ର ସରକାର ୧.୯୬ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସଟି) ଆଦାୟ କରିଛନ୍ତି । ବାର୍ଷିକ ଭିତ୍ତିରେ ପରୋକ୍ଷ ଟିକସ ଆଦାୟ ୭.୫% ବଢ଼ିଥିବା ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି । ୨୦୨୪ ଜୁଲାଇରେ ୧.୮୨ ଲକ୍ଷ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା । ଓଡ଼ିଶାରେ ଜିଏସଟି ଆଦାୟ ୧% ବୃଦ୍ଧି ହୋଇ ୪୯୯୧ କୋଟି ରହିଛି । ଜୁନରେ ଏହା ୪୯୨୫ କୋଟି ଥିଲା । ଚଳିତ ବର୍ଷ ଜୁନ ତୁଳନାରେ ଜୁଲାଇରେ ସାରା ଦେଶରେ ଅଧିକ ୧୧ ହଜାର କୋଟି ଜିଏସଟି ଆଦାୟ ହୋଇଛି । ଜୁନରେ ଆଦାୟ ୧.୮୫ ଲକ୍ଷ କୋଟି ଟଙ୍କା ଥିଲା । ଏହା ପୂର୍ବରୁ ଏପ୍ରିଲ ୨୦୨୫ରେ ରେକର୍ଡ ୨.୩୭ ଲକ୍ଷ କୋଟିର ଜିଏସଟି ଆଦାୟ ହୋଇଥିଲା । ମେ ମାସରେ ୨.୦୧ ଲକ୍ଷ କୋଟିର ଜିଏସଟି ଆଦାୟ ହୋଇଥିଲା । ଜୁଲାଇର ମୋଟ ପରୋକ୍ଷ ଟିକସ ମଧ୍ୟରୁ ୯୯,୨୫୦ କୋଟିର ସମନ୍ୱିତ ଜିଏସଟି, ୩୩,୪୫୦ କୋଟିର କେନ୍ଦ୍ରୀୟ ଜିଏସଟି (ସିଜିଏସଟି), ୪୧,୬୦୦ କୋଟିର ରାଜ୍ୟଜିଏସ୍ ଟି(ଏସଜିଏସଟି) ଏବଂ ୨୧,୭୦୦ କୋଟି ଟଙ୍କାର ସେସ୍ ରହିଛି । ଆମଦାନିରୁ ସମନ୍ୱିତ ଜିଏସଟି ଆଦାୟ ୧୦.୩% ବଢ଼ିଛି । ରିଫଣ୍ଡ ୬୮.୮% ବୃଦ୍ଧି ହୋଇ ୨୭,୧୪୭ କୋଟି ରହିଛି ।