ଟେମରା ଗ୍ରାମ ରେ କୃଷି ଭିତ୍ତିକ ଆଷାଢ଼ କେନା ମଣ୍ଡେଇ ଯାତ୍ରା ପାଳିତ, ରୁଣ୍ଡ ହେଲେ ହଜାର ହଜାର ଶ୍ରଦ୍ଧାଳୁ

ଧର୍ମଗଡ : କୃଷି ଓ କୃଷକ ହେଉଛନ୍ତି ମା ମାଟି ର ଆଶ୍ରିତ, ମାଟି ଓ କୃଷକ ର ସମ୍ପର୍କ ପରମ୍ପରା ରେ ରହିଛି ଅନେକ ପର୍ବ ପର୍ବାଣୀ, ତା ମଧ୍ୟରେ ଅନ୍ୟତମ ହେଉଛି କୋକସରା ବ୍ଲକ ଟେମରା ଗ୍ରାମ ଠାରେ ପ୍ରତିବର୍ଷ ପାଳନ ହେଉଥିବା ମା ବସ୍ତରେନ ମାଉଳି ଙ୍କ ଆଷାଢ଼ କେନା ମଣ୍ଡେଇ ଯାତ୍ରା। ଏହି ଆଷାଢ଼ କେନା ମଣ୍ଡେଇ ଯାତ୍ରା ବାହୁଡା ଯାତ୍ରା ର ପରବର୍ତ୍ତୀ ଶୁକ୍ରବାର ଦିନ ପ୍ରତିବର୍ଷ ପାଳନ ହେଉଥିବା ବେଳେ ମାନ୍ୟତା ଅଛି ଯେ ଏହି ଆଷାଢ଼ କେନା ଯାତ୍ରା ସରିଲେ ଏହି ଅଞ୍ଚଳ ର ଚାଷୀମାନେ  ଧାନ ବେଉଷଣ ଓ ଧାନ ରୁଆ ମୂଳ କରନ୍ତି ।ଟେମରା ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ବସ୍ତରେନ ମାଉଳି, ତାଙ୍କ ଛାତ୍ରଛାୟା ତଳେ ଗ୍ରାମବାସୀ ମାନେ ସୁଖ ଓ ଶାନ୍ତି ରେ ବସବାସ କରି ଆସୁଥିବା ବେଳେ ଏହି ଯାତ୍ରା ମା ଙ୍କ ପାଇଁ ସମର୍ପିତ ରହିଛି। ଲୋକଶୃତି ଅନୁସାରେ ଦେବୀ ବସ୍ତରେନ ଙ୍କ ଆଦିପୀଠ ଛତିଶଗଡ଼ ଦନ୍ତେୱ।ଡା ହୋଇଥିବା ବେଳେ ପୂର୍ବ କାଳରେ ନାଗବଂଶୀ ରାଜୁତି ସମୟରେ ନାଗବଂଶୀ ରାଣି ଦେବୀ ଏଠାରେ ସତୀ ହୋଇଥିଲେ।ତାଙ୍କର ଗୋଟିଏ ସତୀ ଚଉଁରା ଥିଲା, ସେହି ଚଉଁରା ଉପରେ ଦେବୀ ବସ୍ତରେନ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରା ଯାଇଥିବା ଜନଶ୍ରୁତି ରୁ ଜଣାପଡେ। ଆଷାଢ଼ କେନା ମଣ୍ଡେଇ ଯାତ୍ରା ଦିନ ମା ବସ୍ତରେନ ମାଉଳି ଙ୍କ ପୀଠ ଚଳ ଚଞ୍ଚଳ ହୋଇପଡେ। ପ୍ରଭୁ ବୁଢ଼ାରଜା ଙ୍କ ଲାଠି କୁର୍ସି ସମେତ ଅନ୍ୟ ଦେବାଦେବୀ ଙ୍କ ଲାଠି କୁର୍ସି ଗ୍ରାମ ର ପୂଜକ ଚିତ୍ରସେନ ପୁଝାରି ଓ ଗୌନ୍ତିଆ ଘର କୁ ଆସିଥାଏ, ସେଠି ବିଧି ମୁତାବକ ସ୍ୱାଗତ ଓ ଯଥାମାନ୍ୟ ପ୍ରଦାନ ପରେ ଏକତ୍ରିତ ଲାଠି କୁର୍ସି ମନ୍ଦିର ଅଭିମୁଖେ ବାହାରିଥାନ୍ତି।ପୂଜକ ପୂର୍ବ ରୀତିନୀତି ରେ ମା ଙ୍କ ପୂଜାର୍ଚ୍ଚନା କରିବା ପରେ ଶ୍ରଦ୍ଧାଳୁ ମାନେ ମା ଙ୍କ ଦର୍ଶନ କରି ପରିବାର ପାଇଁ ମଙ୍ଗଳକାମନା କରିଥାନ୍ତି। ଏକତ୍ରିତ ଦେବାଦେବୀ ଙ୍କ ଲାଠି କୁର୍ସି ମଣ୍ଡେଇ ପଡିଆ କୁ ତିନିଥର ପରିକ୍ରମା କରିବା ସମୟରେ ଶ୍ରଦ୍ଧାଳୁ ମାନେ ଆଶ୍ରିବାଦ ଭିକ୍ଷା କରନ୍ତି, ଲାଠିଯାତ୍ରା ରେ ସାମିଲ ହୋଇଥିବା ଦେବାଦେବୀ ଙ୍କ କାଲିସି ମାନେ ହାତରେ ଥିବା ବିନ୍ତି ଚାଉଳ ଫିଙ୍ଗି ଶ୍ରଦ୍ଧାଳୁ ଙ୍କୁ ଆଶ୍ରିବାଦ ପ୍ରଦାନ କରିଥାନ୍ତି। ପରିଶେଷରେ ଦେବାଦେବୀ ଙ୍କ କାଲିସି ମାନେ ଲୁହା ର କଣ୍ଟା ଦୋଳି ରେ ଝୁଲିବା ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ଲୋକ ରୁଣ୍ଡ ହୋଇ ଏହି ଦୃଶ୍ୟ କୁ ଉପଭୋଗ କରିବା ସହ ଦେବାଦେବୀ ଙ୍କ ପ୍ରତି ଥିବା ଆସ୍ଥା ଓ ବିଶ୍ୱାସ ପ୍ରକଟ କରନ୍ତି। ପରେ ମା ବସ୍ତରେନ ମାଉଳି ଙ୍କ ପୀଠ ରେ ମାନସିକ ଧାରୀ ମାନେ ଶୁକ୍ଳ ଭୋଗ ସହ ବୋଦା,ପାରା,କୁକୁଡ଼ା ବଳି ଉତ୍ସର୍ଗ କରିଥିଲେ।  ଗ୍ରାମ୍ୟ ପୂଜା କମିଟି ପକ୍ଷରୁ ସଭାପତି ପଦ୍ମଲୋଚନ ଦଳପତି,ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ସମ୍ପାଦକ ମହାଦେବ ବେଶ୍ରା, ଗୌନ୍ତିଆ ଚୁମନ ପାତ୍ର, ସୁଧୀର କୁମାର ପାତ୍ର,ରାଜେନ୍ଦ୍ର ନାଏକ, ପ୍ରଶାନ୍ତ ସାହୁ, ଅଶୋକ କୁମାର ଦାସ, ଚକାଡୋଳା ପାତ୍ର, ହେମନ୍ତ ବାଣୁଆ, କ୍ଷୀରସିନ୍ଧୁ ହଂସ, ଯୋଗା ନାଏକ, ରଞ୍ଜନ ପାଣିଗ୍ରାହୀ, ଦୁଷ୍ମନ୍ତ ପାତ୍ର,ମିନିକେତନ ସାହୁ,କାଳି ପୁଝାରି, ପରମେଶ୍ବର ପୁଝାରି,କ୍ଷିତିରାମ ପଟେଲ,ଲମ୍ବୁଧର ମାଝୀ, ସୁଦାନ ମାଝୀ,ଡମ୍ବରୁ ଧର ହଂସ ଓ ଅନ୍ୟ ଗ୍ରାମବାସୀ ମାନେ ଆଷାଢ଼ କେନା ମଣ୍ଡେଇ ଯାତ୍ରା ପରିଚାଲନା ରେ ସହଯୋଗ କରିଥିଲେ।
Comments (0)
Add Comment