ଟ୍ରମ୍ପଙ୍କ ଟାରିଫ୍ ଧମକର ପ୍ରଭାବ; ତଳ ମୁହାଁ ଷ୍ଟକ୍ ମାର୍କେଟ

ମୁମ୍ବାଇ,: ଭାରତୀୟ ଷ୍ଟକ୍ ମାର୍କେଟ୍ ଶୁକ୍ରବାର ଦିନ ପ୍ରାରମ୍ଭିକ ବ୍ୟବସାୟରେ ବୃହତ୍‌ ହ୍ରାସ ପରିଲକ୍ଷିତ ହୋଇଛି । ଏସ୍‌ଏଣ୍ଡପି ବିଏସ୍‌ଇ ସେନସେକ୍ସ ୪୯୬.୨୧ ପଏଣ୍ଟ ହ୍ରାସ ପାଇ ୮୦,୧୨୭.୦୫ରେ ପହଞ୍ଚିଥିବା ବେଳେ ଏନ୍‌ଏସ୍‌ଇ ନିଫ୍ଟି ୫୦ ୧୫୧.୬୦ ପଏଣ୍ଟ ହ୍ରାସ ପାଇ ୨୪,୪୪୪.୫୫ରେ ପହଞ୍ଚିଛି । ଏହି ହ୍ରାସର ମୁଖ୍ୟ କାରଣ ହେଉଛି ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟ ତିକ୍ତତା । ଯାହା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଟାରିଫ୍ ଧମକ ପରେ ଆହୁରି ବୃଦ୍ଧି ପାଇଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ରପ୍ତାନୀ ଉପରେ ୨୫% ଅତିରିକ୍ତ ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି । ଯାହା ମୋଟ୍ ଟାରିଫକୁ ୫୦%କୁ ବୃଦ୍ଧି କରିଛି । ଏହି ନୂଆ ଟାରିଫ୍ ଅଗଷ୍ଟ ୨୭ରୁ କାର୍ଯ୍ୟକାର ହେବ । ଟ୍ରମ୍ପ ଭାରତ ସହ ବାଣିଜ୍ୟ ଆଲୋଚନା ବନ୍ଦ କରିବାକୁ ମଧ୍ୟ କହିଛନ୍ତି । ଯେପର୍ଯ୍ୟନ୍ତ ଅମୂଳଚୂଳ
ସମସ୍ୟାର ସମାଧାନ ନ ହୁଏ, ସେଯାଏ ମାର୍କେଟର ସ୍ଥିତି ଠିକ୍ ରହିବ ନାହିଁ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ବିଦେଶୀ ଅନୁଷ୍ଠାନିକ ନିବେଶକ (ଏଫ୍‌ଆଇଆଇ)ମାନେ ମଧ୍ୟ ଚଳିତ ସପ୍ତାହରେ ୧୨,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଷ୍ଟକ୍‌ ବିକ୍ରି କରିଛନ୍ତି । ଯାହା ମାର୍କେଟ୍‌ ଉପରେ ଅଧିକ ଚାପ ସୃଷ୍ଟି କରିଛି । ସେହିଭଳି ଭାରତୀୟ ଟଙ୍କା ଡଲାର ବିପକ୍ଷରେ ୮୭.୭୮ ନିକଟରେ ଦୁର୍ବଳ ହେବା ମାର୍କେଟ୍ ଅସ୍ଥିରତାକୁ ଆହୁରି ବୃଦ୍ଧି କରିଛି । ଅନ୍ୟପଟେ ପ୍ରଥମ
ତ୍ରୈମାସିକ (କ୍ୟୁ୧ ଏଫ୍‌ୱାଇ୨୬) ରେ ଅନେକ କମ୍ପାନୀମାନଙ୍କର ଆର୍ଥିକ ଫଳାଫଳ ଅପେକ୍ଷାକୃତ କମ୍‌ ରହିଛି । ଯାହା ନିବେଶକଙ୍କ ମନୋବଳକୁ ଆହୁରି ଦୁର୍ବଳ କରିଛି । ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) ରେପୋ ରେଟ୍ ୫.୫% ରେ ଅପରିବର୍ତ୍ତିତ ରଖିଛି । ଯାହାକୁ କିଛି ନିବେଶକ କଠୋର ନୀତି ଭାବେ ଗ୍ରହଣ କରିଛନ୍ତି । ଏଣୁ ଅନେକ ନିବେଶକ ବଜାରରୁ ମୁହଁ ଫେରାଇ ନେଇଛନ୍ତି । ବିଶେଷଜ୍ଞମାନେ ନିବେଶକମାନଙ୍କୁ ସତର୍କତାର ସହ ବ୍ୟବସାୟ କରିବାକୁ ପରାମର୍ଶ ଦେଇଛନ୍ତି । କାରଣ ବିଶ୍ୱ ବାଣିଜ୍ୟ ଅନିଶ୍ଚିତତା ଏବଂ ଘରୋଇ ଅର୍ଥନୈତିକ ସୂଚକାଙ୍କ ଯୋଗୁଁ ମାର୍କେଟ୍‌ ଅସ୍ଥିରତା ବଜାୟ ରହିପାରେ । ଭାରତ ଏବଂ ଆମେରିକା ମଧ୍ୟରେ ଚାଲୁଥିବା ବାଣିଜ୍ୟ ଆଲୋଚନା ଏହି ଅସ୍ଥିରତାକୁ ଆହୁରି ବୃଦ୍ଧି କରିପାରେ ବୋଲି ଅନୁମାନ କରାଯାଉଛି ।

Comments (0)
Add Comment