ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

CM reviews Odisha Bhavan construction work in Delhi

ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ନୂଆଦିଲ୍ଲୀର ନୂତନ ଓଡିଶା ଭବନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି । ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏହି ଭବନର ପୁନଃନିର୍ମାଣ କରାଯାଉଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଦେଶର ରାଜଧାନୀ ନୂଆଦିଲ୍ଲୀରେ ନିର୍ମିତ ହେବାକୁଥିବା ଏହି ନୂଆ ଭବନରେ ଓଡିଶାର ସମୃଦ୍ଧ ପ୍ରସ୍ତର କାରୁକାର୍ଯ୍ୟ, ସମ୍ବଲପୁରୀ ଇକତ, ଓଡିଆ ପରମ୍ପରା ଓ ସଂସ୍କୃତିର ଝଲକ ପ୍ରତିଫଳିତ କରିବା ପାଇଁ ଆର୍କିଟେକ୍ଟଙ୍କୁ ପରାମର୍ଶ ଦେଇଥିଲେ । ଏହି ନିର୍ମାଣ ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରୁ ଜଣାଯାଇଛି ଯେ, ସମୁଦାୟ ୪,୭୬୧ ବର୍ଗ ମିଟର ନିର୍ମାଣ ଅଞ୍ଚଳରେ ଏହି ଜି+୬୬ ଭବନ ନିର୍ମାଣ କରାଯିବ ଏବଂ ଏଥିରେ ସମୁଦାୟ ୪୫ଟି ବିଭିନ୍ନ ବର୍ଗର ସୁଇଟ୍ ଉପଲବ୍ଧ ହେବ । ଭବନରେ ଏକ ସମ୍ମିଳନୀ କକ୍ଷର ମଧ୍ୟ ବ୍ୟବସ୍ଥା କରାଯାଇଛି । ସେହିଭଳି ମୁମ୍ବାଇକୁ ଯେହେତୁ ଓଡିଶାରୁ ଅଧିକ ସଂଖ୍ୟକ କ୍ୟାନସର ରୋଗୀ ଚିକିତ୍ସିତ ହେବାକୁ ଯାଉଛନ୍ତି, ତେଣୁ ମୁମ୍ବାଇ ଓଡିଶା ଭବନରେ ଅଧିକ କୋଠରୀ ବ୍ୟବସ୍ଥା କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥିସହିତ ଓଡିଶାରୁ ଅଯୋଧ୍ୟାକୁ ଅଧିକ ସଂଖ୍ୟକ ଭକ୍ତ ଓ ଦର୍ଶାଳୁ ଯାଉଥିବାରୁ ଏବଂ ହାଇଦ୍ରାବାଦ ଓ ସୁରଟରେ ବହୁଳ ଭାବେ ଓଡିଆ ଲୋକ ରହୁଥିବାରୁ ଅଯୋଧ୍ୟା, ହାଇଦ୍ରାବାଦ ଓ ସୁରଟରେ ଓଡିଶା ଭବନ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବୈଠକରେ କୋଲକତା ଉତ୍କଳ ଭବନର ମରାମତି ଓ ନବୀକରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ମିଶ୍ର ଓ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment