ଭୁବନେଶ୍ୱର, : ଓଡ଼ିଶାର ରାଜନୈତିକ ମହଲରେ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । କାରଣ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକା ସାଥିରେ ଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି ଗସ୍ତ ଉପରାଷ୍ଟ୍ରପତି ନିର୍ବାଚକୁ ନେଇ ସଙ୍କେତ ଦେଉଛି ବୋଲି ଅନୁମାନ କରାଯାଉଛି । ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀ ଗସ୍ତ କରିଛନ୍ତି । ବଡ଼କଥା ହେଉଛି ଯେ, ମାତ୍ର ଗୋଟିଏ ଦିନ ପୂର୍ବରୁ ସେ ଦିଲ୍ଲୀରୁ ଓଡ଼ିଶା ଫେରିଥିଲେ । ତାଙ୍କର ଏହି ବାରମ୍ବାର ଦିଲ୍ଲୀ ଗସ୍ତ ଏବେ ରାଜ୍ୟ ରାଜନୀତିରେ ନୂଆ କଳ୍ପନାଜଳ୍ପନାକୁ ଜନ୍ମ ଦେଇଛି । ସୂତ୍ରରୁ ଜଣାପଡ଼ିଛି ଯେ, ଶ୍ରୀ ସାମଲ ଦିଲ୍ଲୀରେ କେନ୍ଦ୍ରୀୟ ଭାଜପା ନେତୃତ୍ୱଙ୍କୁ ଭେଟି ରାଜ୍ୟ କମିଟି, ବୋର୍ଡ ନିଗମ ଏବଂ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି । ଏହାପୂର୍ବରୁ ସେ ଦଳର ରାଷ୍ଟ୍ରୀୟ ସମ୍ପାଦକ ବିଏଲ ସନ୍ତୋଷଙ୍କୁ ସାକ୍ଷାତ କରିଥିବା ଏବଂ ୧୮ଜଣ ଏମପିଙ୍କ ସହ ବୈଠକ କରିଥିବା ସୂଚନା ମିଳିଛି । ଅନ୍ୟପଟେ, ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ହୋଇଥାଇପାରେ ବୋଲି ଏହାକୁ ନେଇ ରାଜନୈତିକ ମହଲରେ ବ୍ୟାପକ ଚର୍ଚ୍ଚା ଚାଲିଛି । ସୂଚନା ଅନୁଯାୟୀ, ନବୀନ ଦିଲ୍ଲୀରେ ବିଜେଡି ଏମପିଙ୍କ ସହ ଆଲୋଚନା କରିପାରନ୍ତି, ଯେଉଁଥିରେ ଉପରାଷ୍ଟ୍ରପତି ନିର୍ବାଚନ ସମ୍ପର୍କିତ ରଣନୀତି ପ୍ରସ୍ତୁତି ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଏନଡିଏ ଓ ବିରୋଧୀ ଦଳମାନଙ୍କ ମଧ୍ୟରେ ତୀବ୍ର ରାଜନୈତିକ ଗତିବିଧି ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ମନମୋହନ ସାମଲଙ୍କ ଦିଲ୍ଲୀ ଗସ୍ତ ଏବଂ ନବୀନ ପଟ୍ଟନାୟକଙ୍କ ଯାତ୍ରାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଏହାପୂର୍ବରୁ ନବୀନ ସୁସ୍ଥ ଥିବା ସମୟରେ ଦିଲ୍ଲୀରୁ ନବୀନଙ୍କୁ ଘନଘନ ଫୋନ ଆସୁଥିବା ଦେଖାଯାଇଛି । ତାଙ୍କର ଅସୁସ୍ଥତା କାରଣ ବୁଝିବା ସହ ଖୁବଶୀଘ୍ର ଦିଲ୍ଲୀ ଆସିବାକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ଆଉ ଏହି ନିମନ୍ତ୍ରଣ କେବଳ ଭାଜପା ନୁହେଁ କଂଗ୍ରେସରୁ ମଧ୍ୟ ମିଳିଥିଲା । ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି, ନବୀନଙ୍କୁ ସେହି ସମୟରେ ଦିଲ୍ଲୀ ଆସିବାକୁ ଅନୁରୋଧ କରିଥିଲେ । ମନମୋହନ ସାମଲଙ୍କ ଗସ୍ତକୁ ଓଡ଼ିଶାର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ସହ ମଧ୍ୟ ଯୋଡ଼ି ଦେଖାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଭାଜପା ସରକାର ରାଜ୍ୟରେ କାର୍ଯ୍ୟ କରୁଥିବା ବେଳେ, ମନ୍ତ୍ରୀମଣ୍ଡଳରେ ନୂଆ ମୁହଁ ଯୋଗ ହେବା ନେଇ ଜଳ୍ପନା ଜାରି ରହିଛି । ଏହାକୁ ନେଇ ସାମଲଙ୍କ ଦିଲ୍ଲୀ ଯାତ୍ରାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।