ପରଲୋକରେ ବଲିଉଡ ଅଭିନେତା ଧୀରଜ କୁମାର

ମୁମ୍ବାଇ, : ମନୋରଞ୍ଜନ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ପରଲୋକରେ ବଲିଉଡର ଜଣାଶୁଣା ଅଭିନେତା ତଥା ପ୍ରଯୋଜକ ଧୀରଜ କୁମାର । ୭୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ ଗତ କିଛି ଦିନ ହେବ ‘ଏକ୍ୟୁଟ ନିମୋନିଆ\’ରେ ପୀଡ଼ିତ ଥିଲେ ବୋଲି ଜଣାଯାଇଛି । ସୋମବାର ତାଙ୍କୁ ମୁମ୍ବାଇର ଅନ୍ଧେରୀରେ ଥିବା କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଡାକ୍ତର ତାଙ୍କୁ ଭେଣ୍ଟିଲେଟରରେ ରଖିଥିଲେ । ହେଲେ ମୃତ୍ୟୁ ସହ ଲଢୁଥିବା ଲଢେଇ ସେ ଆଉ ଜିତିପାରିନଥିଲେ । କିଛି ଘଣ୍ଟା ମୃତ୍ୟୁ ସହ ସଂଗ୍ରାମ କରିବା ପରେ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି । ଗତ କିଛି ମାସ ହେବ ନିମୋନିଆ ସହ ଲଢୁଥିଲେ ଧୀରଜ କୁମାର । ଏହାର ନିରାକରଣ ପାଇଁ ସେ ବିଭିନ୍ନ ପ୍ରକାରର ଔଷଧ ଖାଇଥିଲେ ମଧ୍ୟ ତାଙ୍କ ସମସ୍ୟାର ସମାଧାନ ହୋଇନଥିଲା । ଶେଷରେ ଏହି ରୋଗ ତାଙ୍କର ଜୀବନ ନେଇଗଲା । ଧୀରଜ କୁମାରଙ୍କ ପେସା ବିଷୟରେ କହିବାକୁ ଗଲେ, ସେ ୧୯୬୫ ମସିହାରେ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ । ସେ ଏକ ଟ୍ୟାଲେଣ୍ଟ ସୋ\’ର ଫାଇନାଲିଷ୍ଟ ଥିଲେ, ଯେଉଁଥିରେ ତାଙ୍କ ସହିତ ସୁଭାଷ ଘାଇ ଏବଂ ରାଜେଶ ଖାନ୍ନା ମଧ୍ୟ ଥିଲେ । ରାଜେଶ ଖାନ୍ନା ସେହି ସୋ\’ର ବିଜେତା ହୋଇଥିଲେ । ୧୯୭୦ରୁ ୧୯୮୪ ମଧ୍ୟରେ ୨୧ଟି ପଞ୍ଜାବୀ ଚଳଚ୍ଚିତ୍ରରେ ତାଙ୍କର ବଳିଷ୍ଠ ଅଭିନୟ ଦର୍ଶକଙ୍କ ମନ କିଣିଥିଲା । ଏହା ପରେ, ସେ ‘ହୀରା ପାନ୍ନା\’, ‘ରାତୋଁ କା ରାଜା\’, ‘ସରଗମ\’, ‘ବହରୂପିଆ\’, ‘ରୋଟି କପଡା ଔର ମକାନ\’ ସମେତ ଅନେକ ବଲିଉଡ୍ ଚଳଚ୍ଚିତ୍ରରେ କାମ କରିଥିଲେ । ଚଳଚ୍ଚିତ୍ର ବ୍ୟତୀତ ସେ ଟେଲିଭିଜନ ଜଗତରେ ମଧ୍ୟ ବହୁତ ଭଲ କାମ କରିଥିଲେ । ଦର୍ଶକଙ୍କୁ ‘ଓମ୍ ନାମ ଶିବ\’, ‘କାହାନ ଗଏ ୱୋ ଲଗ୍‌\’, ‘ଅଦାଲତ\’, ‘ୟେ ପ୍ୟାର ନା ହୋଗା କମ\’, ‘ସିଙ୍ଘାସନ ବତିସି\’ ଏବଂ ‘ମାଇକା\’ ଭଳି ଲୋକପ୍ରିୟ ସୋ\’ ଭେଟି ଦେଇଥିଲେ ।

Comments (0)
Add Comment