ହାଇଦ୍ରାବାଦ, ୧୯ା୭ : ଦକ୍ଷିଣ ସିନେମାରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କୋଟା ଶ୍ରୀନିବାସ ରାଓଙ୍କ ପରେ, ଏବେ ବରିଷ୍ଠ ଅଭିନେତା ତଥା ହାସ୍ୟ ଅଭିନେତା ଫିଶ୍ ଭେଙ୍କଟ୍ ଏ ଦୁନିଆରୁ ବିଦାୟ ଦେଇଛନ୍ତି । ମାତ୍ର ୫୩ବର୍ଷ ବସୟରେ ତାଙ୍କର ଦେହାନ୍ତ ହୋଇଛି । କୁହାଯାଉଛି ଯେ, ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର କିଡନୀ ଫେଲ ହେବା ଯୋଗୁଁ ମୃତ୍ୟୁ ହୋଇଛି । ଫିସ୍ ଭେଙ୍କଟ୍ ଗତ କିଛି ମାସ ଧରି କିଡନୀ ସମସ୍ୟାରେ ପୀଡିତ ଥିଲେ । କିନ୍ତୁ କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଯାଇଥିଲା । ଏହା ପରେ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିବା ଜଣାଯାଇଛି । ଯେତେବେଳେ ଫିସ୍ ଭେଙ୍କଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ତାଙ୍କ ପରିବାର ମଧ୍ୟ ଆର୍ଥିକ ସହାୟତା ପାଇଁ ଆବେଦନ କରିଥିଲେ । ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେବା ସମୟରେ ତାଙ୍କ ଝିଅ କହିଥିଲେ, ‘ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ତାଙ୍କର କିଡନୀ ପ୍ରତିରୋପଣ ଆବଶ୍ୟକ, ଯାହା ପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସେ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ଅଛନ୍ତି ।’ ଫିସ୍ ଭେଙ୍କଟ୍ ୨୦୦୦ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ସମ୍ମାକ୍କା ସାରକ୍କା’ ସହିତ ତାଙ୍କର ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ପରେ ସେ ଅନେକ ସୁପରହିଟ୍ ଫିଲ୍ମରେ ନଜର ଆସିଥିଲେ । ଯେଉଁଥିରେ ସେ କେତେବେଳେ ଖଳନାୟକ ଭାବରେ ତ କେତେବେଳେ ଜଣେ ହାସ୍ୟ ଅଭିନେତା ଭାବରେ ଲୋକଙ୍କ ହୃଦୟ ଜିତିଥିଲେ । ଏହି ଅଭିନେତାଙ୍କୁ ଶେଷ ଥର ପାଇଁ ୨୦୨୫ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘କଫି ୱିଥ୍ ଏ କିଲର୍’ରେ ଦେଖିବାକୁ ମିଳିଥିଲା ।