ପାଠପଢ଼ା ବଦଳରେ ପରିବାର ବୋଝ, ନିଜେ ବଞ୍ଚି ୪ ଜଣକୁ ବଞ୍ଚାଇବାକୁ ସଂଘର୍ଷ

ନନ୍ଦାହାଣ୍ଡି : କାନ୍ଧରେ ବହିମୁଣା ବଦଳରେ ସଂସାର ବୋଝ। ନିଜେ ତ ପାଠ ପଢ଼ିପାରିଲେ ନାହିଁ, ତାସହ ଅର୍ଥ ଅଭାବରୁ ତିନି ସାନ ଭଉଣୀ ମଧ୍ୟ ପାଠପଢ଼ାରୁ ବଞ୍ଚିତ l ଏଥିସହ ବୁଢୀ ଜେଜେମାଁଙ୍କ ଅତିରିକ୍ତ ଭାର ମଧ୍ୟ ତାରି କାନ୍ଧରେ l ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଚିଲିଗୁଡା ଗ୍ରାମରେ । ଚିଲିଗୁଡ଼ା ଗାଁର ଚନ୍ଦ୍ର ଗୌଡ ଓ ତାଙ୍କ ପତ୍ନୀ ଯମୁନା ଦିନ ମଜୁରିଆ ଭାବେ କାମ କରି ପରିବାର ଗୁଜୁରାଣ ମେଣ୍ଟାଉଥିଲେ l

ଘରେ ବୃଦ୍ଧା ମା’ ଚମ୍ପାଙ୍କ ସମେତ ପୁଅ ଆସମନ ଓ ୩ ଝିଅ ଭୁବନେଶ୍ଵରୀ , ସତ୍ୟ ଓ ନିଳିମା ଙ୍କୁ ନେଇଁ ଚନ୍ଦ୍ରଙ୍କ ପରିବାର l କିନ୍ତୁ, ଦଇବ ଦଉଡି ମଣିଷ ଗାଈ ସଦୃଶ୍ୟ ପ୍ରାୟ ୪ ବର୍ଷ ତଳେ ଚନ୍ଦ୍ର ଗୌଡ଼ଙ୍କୁ ଟିବି ରୋଗରେ ମୃତ୍ୟୁ ହୋଇଥିଲା ଓ ଏଭଳି ସ୍ଥିତିରେ ଥିବା ବେଳେ ଗତବର୍ଷ ରୋଗାକ୍ରାନ୍ତ ମାଁ ଯମୁନାଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଥିଲା l  ଫଳରେ ୪ ଭାଇ ଭଉଣୀ ବାପା ମାଁ ଛେଉଣ୍ଡ ହୋଇଯାଇଥିଲେ l

ବର୍ତମାନ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ଆସମାନଙ୍କ ଉପରେ ୩ ଭଉଣୀ ଓ ବୁଢୀ ଜେଜେମାଙ୍କ ଭବିଷ୍ୟତ ଚିନ୍ତା ହୋଇଯାଇଛି ସେମାନଙ୍କୁ ସରକାରଙ୍କ ତରଫରୁ ରାସନ କାର୍ଡ ଯୋଗାଇ ଦିଆଯାଇଥିବା ବେଳେ ୨୫ କିଲୋ ଚାଉଳ ଦିଆଯାଉଛି। କିନ୍ତୁ ତାହା ଯଥେଷ୍ଟ ନଥିବା ଆସମାନ କହିଛନ୍ତି। ସେହିଭଳି ବୁଢୀ ଜେଜେମାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ୫୦୦ ଟଙ୍କା ମିଳୁଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ l

ଅନ୍ୟପଟେ ମାଟି ଓ ପାଳ ଛପର ଘରେ ୫ ପ୍ରାଣୀ ରହୁଥିଲା ବେଳେ ବର୍ଷା ହେଲେ ଘର ଭିତରେ ପାଣି ଆସୁଥିବାରୁ ବର୍ଷା ଦିନରେ ସେଠାରେ ଥିବା ଅଙ୍ଗନବାଡି ଗୃହ କିମ୍ବା କ୍ଲବ ଗୃହକୁ ଯାଇ ରୁହନ୍ତି l ତିନି ଭଉଣୀଙ୍କୁ ପାଠ ପଢାଇ ଭବିଷ୍ୟତ ଗଠନ କରିବାକୁ ଆସମନଙ୍କ ଇଛା ରହିଥିଲେ ମଧ୍ୟ ଆର୍ଥିକ ସଙ୍କଟ ଯୋଗୁଁ ତାହା ଅସମ୍ଭବ ହୋଇଯାଉଛି l ତେଣୁ, ସରକାରଙ୍କ ତରଫରୁ ସେମାନଙ୍କ ପାଠପଢା ପାଇଁ କିଛି ବନ୍ଦୋବସ୍ତ କରିବାକୁ ଅନୁରୋଧ କରିଛନ୍ତି l

ଅନ୍ୟପଟେ ଏହି ଖବର ପାଇ ସ୍ଥାନୀୟ ନନ୍ଦାହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ଚିଲିଗୁଡା ଗ୍ରାମକୁ ଯାଇ ଆସମାନଙ୍କ ପରିବାର ସହ ସାକ୍ଷାତ କରି ସ୍ଥିତି ପରଖିବା ସହ ସାନ ୩ ଭଉଣୀଙ୍କ ଥଇଥାନ ଓ ଶିକ୍ଷାଦାନ ବ୍ୟବସ୍ଥା ନିମନ୍ତେ ଉଦ୍ୟମ କରିବା ସହ ତାଙ୍କର ରୋଜଗାର ପାଇଁ କାମ ଓ ରହିବା ପାଇଁ ଏକ ବାସଗୃହ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି l ତେବେ କୌଣସି ସହ ହୃଦୟ ବ୍ୟକ୍ତି ମଧ୍ୟ ତାଙ୍କୁ ସାହାଯ୍ୟ କରି ପାରିବେ।

#odishanews #nabarngapur #nandahandi
Comments (0)
Add Comment