ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଡିଏନ୍‌ଏ ମ୍ୟାଚ

ଅହମଦାବାଦ, : ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ କରାଯାଇଥିବା ନେଇ ରବିବାର ସୂଚନା ଦିଆଯାଇଛି । ଡିଏନ୍‌ଏ ଟେଷ୍ଟ ମାଧ୍ୟମରେ ତାଙ୍କର ମୃତଦେହ ଚିହ୍ନଟ କରାଯାଇଛି । ରବିବାର ଦିନ ୧୧ଟା ୧୦ ମିନିଟରେ ତାଙ୍କ ଡିଏନ୍‌ଏ ମ୍ୟାଚ୍ ହୋଇଥିବା ନେଇ ସୂଚନା ଦିଆଯାଇଥିଲା । ଏହା ପରେ ବିଜୟ ରୂପାନୀଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଗୁଜରାଟ ସ୍ୱାସ୍ଥ୍ୟ ମନ୍ତ୍ରୀ ଋଷିକେଶ ପଟେଲ କହିଛନ୍ତି ଯେ ବିଜୟ ରୂପାନୀଙ୍କ ଅନ୍ତିମ ସଂସ୍କାର ରଜକୋଟରେ ସଂପନ୍ନ କରାଯିବ । ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୨ (୨୩୦ ଯାତ୍ରୀ, ୨ ପାଇଲଟ ଓ ୧୦ କ୍ରୁ ସଦସ୍ୟ) ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏଯାବତ ଡିଏନ୍‌ଏ ମ୍ୟାଚ୍‌ ମାଧ୍ୟମରେ ଏଯାବତ ୩୨ ଜଣଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି । ସେଥିରୁ୧୪ଟି ମୃତଦେହକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଯେଉଁ ମୃତକମାନଙ୍କ ଶବକୁ ଚିହ୍ନଟ କରାଯାଇଛି, ସେମାନେ ସମସ୍ତେ ଗୁଜରାଟ ଓ ରାଜସ୍ଥାନର ବୋଲି ଅହମଦାବାଦ ସିଭିଲ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ରଜନୀଶ ପଟେଲ କହିଛନ୍ତି । ମୃତଦେହଗୁଡ଼ିକ ଏମିତି ଜଳିଯାଇଛି ଯେ ଡିଏନ୍‌ଏ ମ୍ୟାଚ୍ କରି ସେମାନଙ୍କୁ ଚିହ୍ନଟ କରିବା ବ୍ୟତୀତ ଅନ୍ୟ କୌଣସି ବାଟ ନଥିଲା ବୋଲି ସେ କହିଛନ୍ତି । ଡିଏନ୍‌ଏ ଟେଷ୍ଟ ପାଇଁ ନମୁନା ସଂଗ୍ରହ, ମୃତକଙ୍କ ପରିବାର ସହିତ ଯୋଗାଯୋଗ ଓ ଏଭଳି ବିଭିନ୍ନ କାର୍ଯ୍ୟକୁ ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ୨୩୦ରୁ ଅଧିକ ଟିମ୍ ଗଠନ କରାଯାଇଛି । ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୭୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ବିମାନଟି ଜନବସତି ଅଞ୍ଚଳ (ଏକ ମେଡିକାଲ କଲେଜର ହଷ୍ଟେଲ ଛାତରେ)ରେ କ୍ରାଶ ହୋଇଯିବାରୁ ସେଠାରୁ ୨୯ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ୬ ଜଣ ଡାକ୍ତରୀ ଛାତ୍ର ଅଛନ୍ତି । ଏହି ଦୁର୍ଘଟଣାର ତଦନ୍ତ କରୁଛି ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ । ବିମାନ ଦୁର୍ଘଟଣା ଘଟିବାର ୨୮ ଘଣ୍ଟା ପରେ ତଦନ୍ତକାରୀ ସଂସ୍ଥା ଘଟଣାସ୍ଥଳରୁ ବ୍ଲାକ ବକ୍ସକୁ ଉଦ୍ଧାର କରିଛି ।

Comments (0)
Add Comment