ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ପରଲୋକ

ହାଇଦ୍ରାବାଦ, : ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ପୂର୍ବତନ ଭାଜପା ବିଧାୟକ କୋଟା ଶ୍ରୀନିବାସ ରାଓଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି । ରବିବାର ସକାଳେ ହାଇଦ୍ରାବାଦର ଫିଲ୍ମନଗର ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ ନେଇଛନ୍ତି । ଦୀର୍ଘ ଦିନରୁ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କ ମୃତ୍ୟୁ ତେଲୁଗୁ ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ ଜଗତପାଇଁ ଏକ ଅପୂରଣୀୟ କ୍ଷତି । ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାର କଙ୍କିପାଡୁରେ ୧୯୪୨ ମସିହା ଜୁଲାଇ ୧୦ରେ ଜନ୍ମଗ୍ରହଣ କରିଥିବା କୋଟା ଶ୍ରୀନିବାସ ରାଓ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ରଙ୍ଗମଞ୍ଚରୁ । ୧୯୭୮ ମସିହାରେ ତେଲୁଗୁ ଚଳଚ୍ଚିତ୍ର \”ପ୍ରାଣମ ଖରିଦୁ\’ ମାଧ୍ୟମରେ ସେ ଫିଲ୍ମ ଜଗତରେ ପାଦ ଦେଇଥିଲେ । ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସେ ୭୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରେ ତେଲୁଗୁ ସହିତ ତାମିଲ, ହିନ୍ଦୀ, କନ୍ନଡ଼ ଓ ମାଲାୟାଲମ ଚଳଚ୍ଚିତ୍ର ମଧ୍ୟ ରହିଛି । ଖଳନାୟକ, ହାସ୍ୟ ଅଭିନେତା ଓ ଚରିତ୍ର ଅଭିନେତା ଭାବେ ତାଙ୍କର ବହୁମୁଖୀ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା । ତାଙ୍କର କେତେକ ହିଟ୍ ଫିଲ୍ମ ମଧ୍ୟରେ ରହିଛି \”ଆହା ନା ପେଲ୍ଲାନ୍ତା!\’, \”ପ୍ରତିଗତନା\’, \”ଖୈଦୀ ନମ୍ବର ୭୮୬\’, \”ଶିବା\’, ଓ \”ୟମଲୀଲା\’ । ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା \”ସୁବର୍ଣ୍ଣ ସୁନ୍ଦରୀ\’ ଥିଲା ତାଙ୍କର ଶେଷ ତେଲୁଗୁ ଚଳଚ୍ଚିତ୍ର । ତାଙ୍କର ଅଭିନୟ ପାଇଁ ସେ ୨୦୧୫ ମସିହାରେ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ସମ୍ମାନ ସହିତ ୯ଟି ନନ୍ଦୀ ପୁରସ୍କାର ଗ୍ରହଣ କରିଥିଲେ । ଚଳଚ୍ଚିତ୍ର ଜଗତ ବ୍ୟତୀତ, ଶ୍ରୀନିବାସ ରାଓ ୧୯୯୯ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ଭାଜପା ପ୍ରାର୍ଥୀ ଭାବେ ବିଜୟୱାଡ଼ା ପୂର୍ବ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଜନସେବା କରିଥିଲେ । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, କୋଟା ଶ୍ରୀନିବାସ ରାଓଙ୍କ ବିୟୋଗ ତେଲୁଗୁ ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତେଲୁଗୁ ଚଳଚ୍ଚିତ୍ର ଜଗତର ମେଗାଷ୍ଟାର ଚିରଞ୍ଜୀବୀ ତାଙ୍କୁ ବହୁମୁଖୀ ପ୍ରତିଭା ଭାବେ ଅଭିହିତ କରି ଶୋକ ପ୍ରକାଶ କରିଛନ୍ତି । ଅଭିନେତା ରବି ତେଜା, ଯିଏ ଶ୍ରୀନିବାସ ରାଓଙ୍କ ସହ ୧୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି, ସେ ମଧ୍ୟ ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି, ମୁଁ ତାଙ୍କୁ ଦେଖି ବଡ଼ ହୋଇଛି, ତାଙ୍କ ଅଭିନୟରୁ ଶିଖିଛି । ସେ ମୋ ପାଇଁ ପରିବାର ସଦସ୍ୟ ପରି ଥିଲେ । କୋଟା ଶ୍ରୀନିବାସ ରାଓଙ୍କ ପତ୍ନୀ ରୁକମିନୀ ଓ ଦୁଇ ଝିଅ ତାଙ୍କ ପରେ ରହିଛନ୍ତି । ତାଙ୍କ ଏକମାତ୍ର ପୁତ୍ର କୋଟା ବେଙ୍କଟ ଅଞ୍ଜନେୟ ପ୍ରସାଦ ୨୦୧୦ ମସିହାରେ ହାଇଦ୍ରାବାଦରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ତେଲୁଗୁ ଚଳଚ୍ଚିତ୍ର ଜଗତ ସହିତ ରାଜନୀତି ଓ ସାମାଜିକ ଗଣମାଧ୍ୟମରେ ତାଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳିଯାଇଛି ।

Comments (0)
Add Comment