ପ୍ରତିଭା ପ୍ରଦର୍ଶନ ପାଇଁ ସର୍ଗିଫୁଲ ବହୁତ ଭଲ ସୁଯୋଗ : ମୁଖ୍ୟମନ୍ତ୍ରୀ

Surgiful is a great opportunity to showcase talent: Chief Minister

ଭୁବନେଶ୍ୱର,୨୩ା୧୨ : ଭଲ ପାଠ ପଢ, ତୁମ ବାପା ମାଙ୍କ ସ୍ୱପ୍ନକୁ ସାକାର କର। ତୁମ ପ୍ରତିଭାର ସୁରଭି ସୁରଭି ସମସ୍ତେ ଅନୁଭବ କରନ୍ତୁ। ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ବିଦ୍ୟାଳୟର ପିଲାମାନଙ୍କ ପାଇଁ ଆୟୋଜିତ ସର୍ଗିଫୁଲ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ସେ କହିଛନ୍ତି ଯେ, ଜ୍ଞାନ ଓ ଅଭିଜ୍ଞତା ବୃଦ୍ଧି ସହ ପ୍ରତିଭାର ପ୍ରଦର୍ଶନ ପାଇଁ ସର୍ଗିଫୁଲ ଏକ ବହୁତ ଭଲ କାର୍ଯ୍ୟକ୍ରମ। ଏହା ସହିତ ପିଲାମାନଙ୍କୁ ପ୍ରେରଣା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପିଲାମାନେ ନିଜ ନିଜର ପ୍ରତିଭାକୁ ଜାଣି ଆଗକୁ ବଢ଼ିବା ପାଇଁ ଉଦ୍ୟମ କରିବା ଉଚିତ। ଏହା ହେଲେ ସେମାନେ ନିଶ୍ଚୟ ସଫଳ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପିଲାମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପିଲାମାନେ ସର୍ଗିଫୁଲ ପାଇଁ ଭୁବନେଶ୍ୱର ଆସିଛନ୍ତି। ଭୁବନେଶ୍ୱରର ବିଭିନ୍ନ ଐତିହାସିକ ସ୍ଥାନ ଓ ଅନ୍ୟ ପର୍ଯ୍ୟଟନ ସ୍ଥଳ ମଧ୍ୟ ବୁଲି ଦେଖୁଛନ୍ତି । ଏହାଦ୍ୱାରା ସେମନଙ୍କର ଜ୍ଞାନ ଓ ଅଭିଜ୍ଞତା ବୃଦ୍ଧି ହେଉଛି। ପିଲାମାନଙ୍କ ଭବିଷ୍ୟତ ପାଇଁ ଏହା ଖୁବ ଭଲ ଉଦ୍ୟମ। ଶିକ୍ଷା ହିଁ ଆଗକୁ ବଢିବାର ମୁଖ୍ୟ ରାସ୍ତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜ୍ଞାନ, ସାହିତ୍ୟ ସହିତ ଆମେ ଆମର ରାଜ୍ୟ, ଆମ ଦେଶ, ଆମ ସଂସ୍କୃତି ସଂପର୍କରେ ମଧ୍ୟ ଜାଣିବା ଦରକାର। ନିଜର ପ୍ରତିଭାକୁ ଚିହ୍ନି, ଆଗକୁ ବଢ଼ିବା ପାଇଁ କାମ କଲେ, ଆମେ ନିଶ୍ଚୟ ସଫଳ ହେବା ବୋଲି ସେ କହିଥିଲେ। ଜନଜାତି ବିଦ୍ୟାଳୟର ପିଲାମାନଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ପିଲାମାନଙ୍କ ପାଇଁ କମ୍ପୁଟର ଶିକ୍ଷା, ସ୍ୱାସ୍ଥ୍ୟ ପରୀକ୍ଷା, ମାତୃଭାଷାରେ ଶିକ୍ଷାଦାନ ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଛି। ସ୍କୁଲକୁ ଘର ଓ ପରିବାର ସଙ୍ଗେ ତୁଳନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍କୁଲ ତୁମ ନିଜ ଘର ପରି, ସହପାଠୀ ମାନେ, ତୁମ ପରିବାର ସଦସ୍ୟ ପରି। ସେଥିପାଇଁ, ରାଜ୍ୟ ସରକାର ସେମାନଙ୍କ ପିତାମାତାମାନଙ୍କୁ ସ୍କୁଲର ପାର୍ଟନର କରିଛନ୍ତି। ତେଣୁ ପିଲାମାନେ ଖୁସିରେ ପାଠ ପଢିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପୁରସ୍କାର ପାଉଥିବା ସବୁ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ସରର୍ଗି ଫୁଲ ହେଉଛି ଆସ୍ଥାର ପ୍ରତୀକ, ପ୍ରଗତିର ପ୍ରତୀକ, ସୃଜନର ପ୍ରତୀକ। ଏହି ଆସ୍ଥା, ପ୍ରଗତି ଓ ସୃଜନକୁ ନେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ବିଭିନ୍ନ ଜନଜାତି ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବାର ପ୍ରୟାସ ନେଇ ସରର୍ଗି ଫୁଲ ମହୋତ୍ସବ ପ୍ରତିବର୍ଷ ଆୟୋଜନ କରିଥାଏ। ଚଳିତ ବର୍ଷ ଏହି ସମାରୋହକୁ ଆହୁରି ବ୍ୟାପକ କରିବା ପାଇଁ ଦୁଇଟି ଜୋନରେ ଆୟୋଜିତ କରାଯାଇଥିଲା। ପ୍ରଥମ ଜୋନ ସୁନ୍ଦରଗଡ ଜିଲ୍ଲାର ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ୧୫ଟି ଜିଲ୍ଲାରୁ ଛାତ୍ରଛାତ୍ରୀମାନେ ଭାଗ ନେଇ ଡିସେମ୍ବର ୬ ଓ ୮ତାରିଖରେ ନିଜର ପ୍ରତିଭାର ପ୍ରଦର୍ଶନ କରିଥିଲେ। ସେହିପରି ଗଜପତି ଜିଲ୍ଲାର ରାୟଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନ୍ୟ ୧୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ଡିସେମ୍ବର ୧୨ ଓ ୧୪ ତାରିଖରେ ପ୍ରତିଯୋଗିତାରେ ଯୋଗ ଦେଇ ନିଜ ପ୍ରତିଭାକୁ ପ୍ରତିଫଳିତ କରିଥିଲେ। ବିଭିନ୍ନ କଳାରେ ପାରଦର୍ଶିତା ରଖିଥିବା ଜନଜାତି ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଓ ସେମାନଙ୍କ ପ୍ରଦର୍ଶନ ଖୁବ୍‌ ଉଚ୍ଚକୋଟୀର ଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତୃତ୍ୱ ଅର୍ଜନ କରିଥିବା ଜନଜାତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଲେ ଯେ ପିଲାଙ୍କ ପ୍ରତିଭାର ପ୍ରସ୍ଫୁଟନ ଓ ବିକାଶ ପାଇଁ ସରଗି ଫୁଲ ଏକ ବହୁତ ଭଲ କାର୍ଯ୍ୟକ୍ରମ। ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ ଜନଜାତି ପିଲାଙ୍କ ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସବୁ ବ୍ୟବସ୍ଥା କରିଛନ୍ତି। କମ୍ପ୍ୟୁଟର ସହିତ ଇଂଲିଶ ଭାଷାରେ ଶିକ୍ଷା ଦେବ ପାଇଁ ବ୍ୟବସ୍ଥା କରିଛନ୍ତି। ଆଦିବାସୀମାନଙ୍କୁ ଜଙ୍ଗଲ ଜମି ଉପରେ ଅଧିକାର ଦେଇଛନ୍ତି। ସଂସ୍କୃତିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କରିଛନ୍ତି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇ ବିଭାଗୀୟ ସଚିବ ରୂପା ରୋସନ ସାହୁ କହିଲେ ଯେ, ପିଲାଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀନ ବିକାଶ ପାଇଁ ଗତ ୧୪ ବର୍ଷ ଧରି ସରର୍ଗୀ ଫୁଲ କାର୍ଯ୍ୟକ୍ରମ କରାଯାଉଛି। ଏ ବର୍ଷ ପ୍ରଥମ ଥର ପାଇଁ ଜୋନାଲସ୍ତରରେ କାର୍ଯ୍ୟକ୍ରମ କରାଯାଇ ରାଜ୍ୟସ୍ତରରେ ପୁରସ୍କାର ପ୍ରଦାନ କରାଯାଉଛି। ପିଲାଙ୍କ ଆଧୁନିକ ଶିକ୍ଷା ପାଇଁ ୩୦୦ ଟି ଆଇସିଟି ଓ ଟିଙ୍କରିଂ ଲାବ୍‌ କରିବାର ଲକ୍ଷ୍ୟ ରଖାଯାଇଛି। ସେଥି ମଧ୍ୟରୁ ୧୦୦ଟି ଲାବ୍‌ ପ୍ରସ୍ତୁତ ହୋଇ ସାରିଛି ବୋଲି ସେ ସୂଚନା ଦେଇଥିଲେ। ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

#bhubaneswar#bjd#dumanikhabar#india#latestnews#localnews#nabinpattnaik#news#odisha
Comments (0)
Add Comment