ପ୍ରଥମଥର ପାଇଁ ଜି-୭ ସମ୍ମିଳନୀରେ ଅନୁପସ୍ଥିତ ରହିବେ ମୋଦି!

Modi will be absent from the G7 summit for the first time!

ନୂଆଦିଲ୍ଲୀ, ୨ା୬: ଆଗାମୀ ଜି-୭ ସମ୍ମିଳନୀ ପାଇଁ କାନାଡା ଗସ୍ତ କରିବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ଏବେ ଠିକ ନଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଜି-୭ ସମ୍ମିଳନୀରେ ଯୋଗ ଦେବେ ନାହିଁ ବୋଲି ଜଣାପଡ଼ିଛି । ଜି-୭ ସମ୍ମିଳନୀ ପାଇଁ କାନାଡା ଏଯାଏ ଭାରତକୁ ନିମନ୍ତ୍ରଣ କରିନି । ଯଦି ବି କାନାଡା ନିମନ୍ତ୍ରଣ କରେ, ତଥାପି ଭାରତର ପ୍ରଧାନମନ୍ତ୍ରୀ ସମ୍ମିଳନୀକୁ ଯିବେ ନାହିଁ । ବିଶ୍ୱର ପ୍ରମୁଖ ଶିଳ୍ପ ଭିତ୍ତିକ ଦେଶଗୁଡ଼ିକ ଜି-୭ ଗଠନ କରିଛନ୍ତି । ଏଥିରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ବ୍ରିଟେନ, ଜାପାନ, ଆମେରିକା ଓ କାନାଡା ରହିଛନ୍ତି । ବୈଠକରେ ୟୁରୋପୀୟ ୟୁନିୟନ, ଆଇଏମଏଫ, ବିଶ୍ୱ ବ୍ୟାଙ୍କ ଓ ମିଳିତ ଜାତିସଂଘ ସମେତ ଆଉ କିଛି ସଦସ୍ୟ ରାଷ୍ଟ୍ରଙ୍କୁ ନିମନ୍ତ୍ରଣ କରାଯାଏ । ଦକ୍ଷିଣ ଆଫ୍ରିକା, ୟୁକ୍ରେନ, ବ୍ରାଜିଲ ଓ ଅଷ୍ଟ୍ରେଲିଆ ସରକାରଙ୍କୁ କାନାଡା ଜି-୭ ପାଇଁ କରିଥିବା ନିମନ୍ତ୍ରଣକୁ ସେମାନେ ଗ୍ରହଣ କରି ନିଆଯାଇଛି । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ଅନିଶ୍ଚିତତା ଲାଗି ରହିଛି । ଜୁନ ୧୬ରୁ ୧୭ ଯାଏ ଜି-୭ ସମ୍ମିଳନୀର ଆୟୋଜନ କାନାଡା କରିବାକୁ ଯାଉଛି । ହେଲେ କାନାଡା ପକ୍ଷରୁ ଏଯାଏ ଭାରତକୁ କୌଣସି ପ୍ରକାରର ନିମନ୍ତ୍ରଣ କରାଯାଇ ନାହିଁ । ସେହିପରି ଭାରତୀୟ ନେତୃବୃନ୍ଦ ମଧ୍ୟ କାନାଡା ଯାଇ ସମ୍ମିଳନୀରେ ସାମିଲ ହେବା ସପକ୍ଷରେ ନାହାନ୍ତି । କୌଣସି ଉଚ୍ଚସ୍ତରୀୟ ଗସ୍ତ ପୂର୍ବରୁ ପ୍ରଥମେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସିବା ଦରକାର ବୋଲି ଭାରତ ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି । ଏଥିସହ ଭବିଷ୍ୟତରେ ଯଦି ପ୍ରଧାନମନ୍ତ୍ରୀ ମୋଦି କାନାଡା ଗସ୍ତ କରନ୍ତି, ତା’ହେଲେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ସେଠାକାର ସରକାର ପ୍ରଥମେ ନିଶ୍ଚିତ କରିବା ଦରକାର । ୨୦୧୯ରୁ ପ୍ରତିଟି ଜି-୭ ସମ୍ମିଳନୀ ପାଇଁ ଭାରତକୁ ଆୟୋଜକ ରାଷ୍ଟ୍ରଗୁଡ଼ିକ ନିମନ୍ତ୍ରଣ କରୁଥିଲେ । ଭାରତର ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିମନ୍ତ୍ରଣ ରକ୍ଷା କରି ଜି-୭ ସମ୍ମିଳନୀରେ ସାମିଲ ହେଉଥିଲେ । କିନ୍ତୁ ଏଥର କାନାଡା ଜି-୭ ସମ୍ମିଳନୀ ଆୟୋଜନ କରୁଥିବାରୁ ମୋଦି ଏଥିରେ ସାମିଲ ହେବେ ନାହିଁ । ଗତ ମାସରେ ବୈଦେଶିକ ମନ୍ତ୍ରଣାଳୟ ଦୁଇ ଥର କହି ସାରିଛି ଯେ ଜି-୭ ବୈଠକ ପାଇଁ ପ୍ରଧାନମନ୍ତ୍ରୀ କାନାଡା ଗସ୍ତ କରିବାର କୌଣସି ସୂଚନା ଏଯାଏ ଆସି ନାହିଁ । ତେବେ କାନାଡାର ବୈଦେଶିକ ମନ୍ତ୍ରୀ ଅଙ୍କିତା ଆନନ୍ଦ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଦେଶର ନୂଆ ମାର୍କ କାର୍ଣ୍ଣେୟ ସରକାର ଭାରତ ସହ ଭଲ ବନ୍ଧୁତା ସ୍ଥାପନ କରିବାକୁ ଆଗ୍ରହୀ ରହିଛନ୍ତି । ଏଥିସହ କାନାଡା ମାଟିରେ ଖଲିସ୍ତାନୀ ନେତା ହରଦୀପ ସିଂହ ନିଜାରର ହତ୍ୟାକୁ ନେଇ ଭାରତ ସହ ଥିବା ସମ୍ପର୍କରେ ତିକ୍ତତା ଆସିଥିବା ସେ ସ୍ୱୀକାର କରିଛନ୍ତି । ନିଜାର ହତ୍ୟାକାଣ୍ଡରେ ଭାରତ ସରକାର ସାମିଲ ଥିବା କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଥିଲେ । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା ।

Comments (0)
Add Comment