ପ୍ରଥମ ତିନି ମାସରେ ୧.୨୨ କୋଟି ଟଙ୍କା ଲାଭ କରିଛି ଓମଫେଡ୍‌

Omfed has earned Rs 1.22 crore in the first three months

ଭୁବନେଶ୍ୱର,: ଲାଭ ମୁହାଁ ଓମଫେଡ୍ । ଗତ ବର୍ଷ ୧୦୨୮ କୋଟି ଟଙ୍କାର କାରବାର କରି ପୂର୍ବର ସମସ୍ତ ରେର୍କଡକୁ ଭାଙ୍ଗିଥିବା ଓମଫେଡ୍ ଚଳିତ ବର୍ଷର ପ୍ରଥମ ତିନି ମାସ ଅର୍ଥାତ୍ ଏପ୍ରିଲ ୧ରୁ ଜୁନ୍ ୩୦ ତାରିଖ ମଧ୍ୟରେ ୧.୨୨ କୋଟି ଟଙ୍କାର କ୍ୟାସ୍ ପ୍ରଫିଟ୍ କରିଛି । ଏପ୍ରିଲ ୧ ତାରିଖରୁ ଚାଷୀଙ୍କୁ ବର୍ଦ୍ଧିତ ଦାମ ଦେଇଥିବା ବେଳେ ବର୍ଷର ପ୍ରଥମ ତିନିମାସରେ ଓମଫେଡ୍ ମୋଟ ୨୪୭ କୋଟି ଟଙ୍କାର କାରବାର କରିଛି । ନୂତନ ପଦକ୍ଷେପ, ମାର୍କେଟ ବିସ୍ତାର, ନୂଆ ନୂଆ ଉତ୍ପାଦ ଏବଂ ଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ ସହ ଦୁଗ୍ଧ ସଂଗ୍ରହ ବୃଦ୍ଧି କରିବା ଦ୍ୱାରା ଏହି ସଫଳତା ମିଳିଥିବା କୁହାଯାଇଛି । ଆସନ୍ତା ତିନୋଟି କ୍ୱାର୍ଟର ବା ୯ ମାସ ମଧ୍ୟରେ ୯୦୦ କୋଟି ଟଙ୍କାର କାରବାର କରିବାକୁ ଲକ୍ଷ୍ୟ ରଖିଛି ଓମଫେଡ୍ । ଏହି ସମୟ ମଧ୍ୟରେ ୧୦ କୋଟି ଟଙ୍କାରୁ ଅଧିକ ଲାଭ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି । ଏବେ ରାଜ୍ୟ ଓ ରାଜ୍ୟ ବାହାରକୁ ଓମଫେଡ୍ ଉତ୍ପାଦ ରପ୍ତାନୀ କରିବାକୁ ଯୋଜନା କରିଛି । ସେଥିପାଇଁ ମଧ୍ୟ ଯୋଜନା ଚାଲିଛି । ଗତ ବର୍ଷ ୧୦୨୮ କୋଟି ଟଙ୍କା କାରବାର କରିଥିବା ବେଳେ ଚଳିତ ବର୍ଷ ୧୨ ୦୦ କୋଟି ଟଙ୍କାରୁ ଅଧିକ କାରବାର କରିବା ପାଇଁ ଲକ୍ଷ୍ୟ ରଖିଥିବା ଓମଫେଡ୍ ପକ୍ଷରୁ କୁହାଯାଇଛି । ଏହା କେବଳ ସମ୍ଭବ ହୋଇପାରିଛି ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀ ଓ କର୍ମଚାରୀଙ୍କ କଠୋର ପରିଶ୍ରମ, ଅଗଣିତ ଗ୍ରାହକଙ୍କ ଭଲ ପାଇବା, ଓମ୍ଫେଡ ପ୍ରତ୍ୟେକ ଉତ୍ପାଦର ଗୁଣବତ୍ତା ରକ୍ଷା କରିବା ଯୋଗୁଁ । ଏହା ବ୍ୟତୀତ ରାଜ୍ୟର ସମସ୍ତ ସମବାୟ ସମିତିର କର୍ମକର୍ତ୍ତା, ବୋର୍ଡ ଅଫଡାଇରେକ୍ଟରଙ୍କ ସହଯୋଗ, ରାଜ୍ୟ ସରକାର ତଥା ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସହାୟତା ଏବଂ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ବିଭିନ୍ନ ପଦକ୍ଷେପ ପାଇଁ ଓମଫେଡକୁ ଏହି ସଫଳତା ମିଳିଛି । ଆଗାମୀ ଦିନରେ ଓମଫେଡ୍ ଉତ୍ପାଦ ଗ୍ରାମାଞ୍ଚଳରେ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା କୁହାଯାଇଛି ।

Comments (0)
Add Comment