ପ୍ରଶାସନର ବେଆଇନ ଜବରଦଖଲ ଉଚ୍ଛେଦ

Eradication of illegal encroachment of administration

କୋଟପାଡ଼, 20/7: କୋଟପାଡ଼ ଏନଏସିରେ ତୃତୀୟ ଥର ପାଇଁ ବେଆଇନ ଜମି ଜବରଦଖଲ ଉପରେ ବୁଲିଲା ବୁଲଡୋଜର । ପ୍ରଶାସନର ଏହି ପଦକ୍ଷେପକୁ ଅଞ୍ଚଳବାସିଙ୍କ ଦ୍ୱାରା ପ୍ରଶଂସା କରାଯାଇଥିବା ଦେଖାଯାଇଛି । କିନ୍ତୁ କିଛି ଅଞ୍ଚଳବାସୀ ଏହାକୁ ନାପସନ୍ଦ କରିଥିବା ଦେଖାଦେଇଛି । ସେମାନଙ୍କ କହିବା ମୁତାବକ ପ୍ରଶାସନ ବଡବଡ଼ିଆଙ୍କୁ ଛାଡ଼ି କେବଳ ଗରିବ ଖଟିଖିଆଙ୍କ ଉପରେ ଦାଉ ସାଧୁଛି । କେନ୍ଦୁଗୁଡା ଅଞ୍ଚଳରେ କିଛି ସରକାରୀ କର୍ମଚାରୀ ଏକର ଏକର ସରକାରୀ ଜମି ମାଡ଼ି ବସିଥିବା ବେଳେ, ଅଞ୍ଚଳର କିଛି ବଡ଼ ବଡ଼ିଆ ଓ ରାଜନେତା ସରକାରୀ ଜମି ବିକ୍ରି କରି ମାଲେ ମାଲ ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ସବୁ ଜାଣି ଆଖି ବନ୍ଦ କରିଦେଇଛି ବୋଲି ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ଖଟି ଖିଆଙ୍କ ଉପରେ ପ୍ରଶାସନ ଦାଉ ସାଧୁଥିବା ଅଭିଯୋଗ ହୋଇଛି । କିଛି ଦିନ ପୂର୍ବରୁ ଯେଉଁ ସବୁ ଜବରଦଖଲକୁ ପ୍ରଶାସନ ଦ୍ୱାରା ଭଙ୍ଗା ଯାଇଥିଲା, ସେହି ସ୍ଥାନରେ ପୂର୍ବ ଅପେକ୍ଷା ବଡ଼ କରି ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି । କିଛି ହାତ ଗୁଞ୍ଜା ନେଇ ପ୍ରଶାସନ ସେ ଗୁଡିକୁ ପୁଣି ଥରେ ଅନୁମତି ଦେଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ରବିବାର କୋଟପାଡ଼ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ କୋଟପାଡ଼ ତହସିଲଦାରଙ୍କ ଉପସ୍ଥିତିରେ କିଛି ପୂର୍ବରୁ ସୂଚନା ଦିଆଯାଇ କିଛି ବେଆଇନ ଜବରଦଖଲ ଭଙ୍ଗା ଯାଇଥିବା ବେଳେ, ଆଉ କିଛି ବିନା ସୂଚନାରେ ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କିଛି ଗୃହ ମାଲିକ କ୍ଷୟ କ୍ଷତି ଦାବି କରିଛନ୍ତି । ଏହା ତ ହେଲା ବର୍ତ୍ତମାନର ଘଟଣା । କିନ୍ତୁ ଗତ କିଛି ଦିନ ପୂର୍ବେ ଯେଉଁ କିଛି ବେଆଇନ ଭଙ୍ଗା ଯାଇଥିଲା ଓ କିଛି ଭଙ୍ଗାଯିବାର ସରକାରୀ ନୋଟିସ ଜାରି କରାଯାଇଥିଲା ତାହା କାର୍ଯ୍ୟକାରୀ ନ ହୋଇ ସରକାରୀ ନାଲି ଫିତା ତଳେ ଚାପି ଦିଆଯାଇଥିବା ଅଭିଯୋଗ ହୋଇଛି । ନିୟମକୁ ଠିକ ରୂପେ ଚାଲୁ କରି ପ୍ରଶାସନ ବୈମାତୃକ ମନୋଭାବ ନ ଦେଖାଇବାକୁ ଜନସାଧାରଣ ଦାବି କରିଛନ୍ତି । ଦେଖିବାକୁ ବାକି ରହିଲା ଆଗକୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ କି ପଦକ୍ଷେପ ଗ୍ରହଣ କରୁଛି ।

Comments (0)
Add Comment