ଭୁବନେଶ୍ୱର, : ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଆଶ୍ୱାସନା ଦେଇଛନ୍ତି ଯେ, ରାଜ୍ୟର ଉତ୍ତର ଭାଗରେ, ବିଶେଷକରି ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ପରିସ୍ଥିତି ପରିଚାଳନା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି । ଗଣମାଧ୍ୟମକୁ ସମ୍ବୋଧିତ କରି ପୂଜାରୀ କହିଛନ୍ତି, ଏନେଇ ରାଜ୍ୟ ସରକାରୀ କଳକୁ ନିୟୋଜିତ କରାଯାଇଛି ଏବଂ ସମସ୍ତ ସମ୍ପୃକ୍ତ ବିଭାଗ ପରିସ୍ଥିତିକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ପାଇଁ ସମନ୍ୱୟ ଭାବରେ କାର୍ଯ୍ୟ କରୁଛନ୍ତି । ଆମର ପ୍ରାଥମିକତା ହେଉଛି ବୃଦ୍ଧି ପାଉଥିବା ଜଳସ୍ତର ଦ୍ୱାରା ପ୍ରଭାବିତ ଲୋକଙ୍କ ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବା । ସେ କହିଛନ୍ତି ଯେ, ନିମ୍ନ ଏବଂ ଦୁର୍ବଳ ଅଞ୍ଚଳରୁ ୧୧୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ମନ୍ତ୍ରୀ କହିଛନ୍ତି, ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଚିକିତ୍ସା ସହାୟତା ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାର ବ୍ୟବସ୍ଥା ସହିତ ଅସ୍ଥାୟୀ ଆଶ୍ରୟସ୍ଥଳ ପ୍ରତିଷ୍ଠା କରାଯାଇଛି । ସେ କହିଥିଲେ ଯେ ଶିଶୁ, ମହିଳା ଏବଂ ବୃଦ୍ଧଙ୍କ ଭଳି ଦୁର୍ବଳ ଗୋଷ୍ଠୀମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ସୁବର୍ଣ୍ଣରେଖା ଏବଂ ବୁଢାବଳଙ୍ଗ ଭଳି ପ୍ରମୁଖ ନଦୀର ଜଳସ୍ତର ଉପରେ କଡ଼ା ନଜର ରଖାଯାଇଛି ଏବଂ ସମ୍ବେଦନଶୀଳ ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆମେ ଝାଡ଼ଖଣ୍ଡ ଏବଂ ପଡ଼ୋଶୀ ଅଞ୍ଚଳରୁ ପାଣି ଆସିବାର ଆଶା କରୁଛୁ, ଏବଂ ଆବଶ୍ୟକୀୟ ସତର୍କତା ଗ୍ରହଣ କରାଯାଇଛି । ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସ (ଓଡ୍ରାଫ) ଏବଂ ଅଗ୍ନିଶମ ସେବା ସମେତ ଉଦ୍ଧାର ଏବଂ ରିଲିଫ୍ ଦଳ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କେଉଁଝର, ବାଲେଶ୍ୱର ଏବଂ ମୟୂରଭଞ୍ଜର ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଓଡ୍ରାଫ୍ଦ ଳଗୁଡ଼ିକୁ
ନିୟୋଜିତ କରାଯାଇଛି ଏବଂ ବାଲେଶ୍ୱର ଜିଲ୍ଲାକୁ ଦୁଇଟି ଅତିରିକ୍ତ ଓଡ୍ରାଫ୍ ଦଳ ପଠାଯାଇଛି । ଜଳବନ୍ଦୀ ଗ୍ରାମଗୁଡ଼ିକରେ ଅଗ୍ନିଶମ ସେବା କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ପ୍ରତି ଘଣ୍ଟାରେ ଅପଡେଟ୍ ଗ୍ରହଣ କରୁଛନ୍ତି । ଆମେ ଜିଲ୍ଲା କଲେକ୍ଟର ଏବଂ ସ୍ଥାନୀୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛୁ । ଆବଶ୍ୟକ ହେଲେ ଅତିରିକ୍ତ ଏନଡିଆରଏଫ ଦଳ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି । ଜନସାଧାରଣଙ୍କୁ ଶାନ୍ତ ରହିବାକୁ ନିବେଦନ କରି ମନ୍ତ୍ରୀ କହିଛନ୍ତି, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଆମେ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରୁଛୁ । ଏହି ସଙ୍କଟ ସମୟରେ ରାଜ୍ୟ ସରକାର ସମସ୍ତ ପ୍ରକାରର ସହାୟତା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ । ମନ୍ତ୍ରୀ ପୂଜାରୀ, ସ୍ୱତନ୍ତ୍ର ରିଲିଫ୍ କମିସନର ଦେଓରଞ୍ଜନ କୁମାର ସିଂହଙ୍କ ସହ ଏଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି ସମୀକ୍ଷା କରିଥିଲେ । ମନ୍ତ୍ରୀ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ବୁଢାବଳଙ୍ଗ ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି, ଯେତେବେଳେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି । ଅନୁକୂଳ ସମୁଦ୍ର ପରିସ୍ଥିତି ଯୋଗୁ ନଦୀଗୁଡ଼ିକରେ ବର୍ଷାଜଳ ସୁଗମ ଭାବରେ ବଙ୍ଗୋପସାଗରକୁ ନିଷ୍କାସିତ ହେଉଥିବାରୁ ବନ୍ୟା ପରିସ୍ଥିତିରେ ଶୀଘ୍ର ଉନ୍ନତି ହେବ ବୋଲି ସେ କହିଛନ୍ତି । ଏହା ସହିତ, ଉପରମୁଣ୍ଡ ଅଞ୍ଚଳରେ ବର୍ଷା ବନ୍ଦ ହୋଇଯାଇଛି, ଯେତେବେଳେ ତଳମୁଣ୍ଡ ଅଞ୍ଚଳରେ ହାଲୁକା ବର୍ଷା ହେଉଛି ବୋଲି ସେ କହିଛନ୍ତି । ସେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ ଯେ ରବିବାର ଠାରୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତରିତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ଶୁଖିଲା ଏବଂ ରନ୍ଧା ଖାଦ୍ୟ ଏବଂ ଅନ୍ୟାନ୍ୟ
ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇଛି । ରିପୋର୍ଟ ଅନୁସାରେ, ବାଲେଶ୍ୱରର ବସ୍ତା ବ୍ଲକ ଏବଂ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଉଦଳା ଅଞ୍ଚଳରେ ଅନେକ ତଳିଆ ଗାଁ ଜଳବନ୍ଦୀ ରହିଛି ।