ବ୍ୟାପକ ଆର୍ଥିକ ଏବଂ ବାଣିଜ୍ୟ ରାଜିନାମାରେ ସ୍ୱାକ୍ଷର କଲେ ଭାରତ ଏବଂ ବ୍ରିଟେନ୍

India and Britain sign comprehensive economic and trade agreement

ନୂଆଦିଲ୍ଲୀ, ୨୪ା୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ, ଭାରତ ଗୁରୁବାର ବ୍ରିଟେନ୍ ସହିତ ଏକ ବ୍ୟାପକ ଆର୍ଥିକ ଏବଂ ବାଣିଜ୍ୟ ରାଜିନାମା (ସିଇଟିଏ) ସ୍ୱାକ୍ଷର କରିଛି । ଏହାସହିତ ଦୁଇ ଦେଶ ଏକ ଦୃଢ଼ ଆର୍ଥିକ ଭାଗିଦାରୀ ଗଠନ ଦିଗରେ ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି । ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବ୍ରିଟେନର ବ୍ୟବସାୟ ଓ ବାଣିଜ୍ୟ ରାଷ୍ଟ୍ର ସଚିବ ଜୋନାଥନ ରେନାଲ୍ଡସ୍ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି । ଏହି ମୁକ୍ତ ବାଣିଜ୍ୟ ରାଜିନାମା ବା ଏଫଟିଏ ପ୍ରମୁଖ ବିକଶିତ ଅର୍ଥବ୍ୟବସ୍ଥା ସହିତ ଭାରତର ସମ୍ପର୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହା ମଧ୍ୟ ଆର୍ଥିକ ସମନ୍ୱୟକୁ ସୁଦୃଢ଼ କରିବା ପାଇଁ ଏକ ସହଭାଗୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ବିଶ୍ୱର ଚତୁର୍ଥ ଏବଂ ଷଷ୍ଠ ବୃହତ ଅର୍ଥବ୍ୟବସ୍ଥା ଭାବରେ, ଭାରତ ଏବଂ ବ୍ରିଟେନର ଦ୍ୱିପାକ୍ଷିକ ସମ୍ପର୍କ ବିଶ୍ୱରେ ବେଶ୍ ଆର୍ଥିକ ଗୁରୁତ୍ୱ ବହନ କରେ । ଭାରତ-ବ୍ରିଟେନ ସିଇଟିଏ ସ୍ୱାକ୍ଷରିତ ହେବା ପରେ ୬ ମଇ ୨୦୨୫ରେ ଆରମ୍ଭ ହୋଇଥିବା ଆଲୋଚନାର ସଫଳ ପରିସମାପ୍ତି ଘଟିଛି । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରାୟ ୫୬ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିବା ବେଳେ ୨୦୩୦ ସୁଦ୍ଧା ଏହି ସଂଖ୍ୟାକୁ ଦ୍ୱିଗୁଣିତ କରିବା ପାଇଁ ମିଳିତ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସିଇଟିଏ ଦ୍ୱାରା ଭାରତର ୯୯% ରପ୍ତାନି ପାଇଁ ବ୍ରିଟେନ ବଜାରରେ ବ୍ୟାପକ ଶୁଳ୍କ ଛାଡ଼ ସୁବିଧା ମିଳିବ । ଏହା ପ୍ରାୟ ସମଗ୍ର ବାଣିଜ୍ୟ କ୍ଷେତ୍ରକୁ ସାମିଲ କରିବ । ଏହା ଶ୍ରମ-କେନ୍ଦ୍ରିକ ଶିଳ୍ପ ଯେପରିକି ବୟନଶିଳ୍ପ, ସାମୁଦ୍ରିକ ଉତ୍ପାଦ, ଚମଡା, ଜୋତା, କ୍ରୀଡା ସାମଗ୍ରୀ, ଖେଳଣା ଏବଂ ରତ୍ନ ଓ ଗହଣା ସହିତ ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ର ଯଥା- ଇଞ୍ଜିନିୟରିଂ ସାମଗ୍ରୀ, ଅଟୋ ଉପକରଣ ଏବଂ ଜୈବ ରାସାୟନିକ ପଦାର୍ଥ ପାଇଁ ନୂତନ ସୁଯୋଗ ଖୋଲିବ ବୋଲି ଆଶା କରାଯାଉଛି । ଭାରତୀୟ ଅର୍ଥବ୍ୟବସ୍ଥାର ଏକ ଦୃଢ଼ ବାହକ ସେବା କ୍ଷେତ୍ର ମଧ୍ୟ ବ୍ୟାପକ ଲାଭ ପାଇବ । ଏହି ରାଜିନାମା ଆଇଟି ଓ ଆଇଟି ଆଧାରିତ ସେବା, ଆର୍ଥିକ ଓ ଆଇନଗତ ସେବା, ବୃତ୍ତିଗତ ଓ ଶିକ୍ଷାଗତ ସେବା ଏବଂ ଡିଜିଟାଲ୍ ବାଣିଜ୍ୟରେ ଉନ୍ନତ ବଜାର ପ୍ରବେଶ ପ୍ରଦାନ ରିବୟ ସମସ୍ତ ସେବା କ୍ଷେତ୍ରରେ ବ୍ରିଟେନରେ କାମ କରିବା ପାଇଁ କମ୍ପାନୀଗୁଡ଼ିକ ଦ୍ୱାରା ନିୟୋଜିତ ପେସାଦାର ଏବଂ ସ୍ଥପତି, ଇଞ୍ଜିନିୟର, ରୋଷେୟା ବା ସେଫ୍, ଯୋଗ ପ୍ରଶିକ୍ଷକ ଏବଂ ସଂଗୀତଜ୍ଞଙ୍କ ଭଳି ଚୁକ୍ତିଭିତ୍ତିକ ପେସାଦାରଙ୍କ ସମେତ ଭାରତୀୟ ପେସାଦାରମାନେ ସରଳୀକୃତ ଭିସା ପ୍ରକ୍ରିୟା ଏବଂ ଉଦାରୀକରଣ ପ୍ରବେଶ ସୁବିଧାରୁ ଲାଭ ପାଇବେ । ଏହା ପ୍ରତିଭାଙ୍କ ପାଇଁ ବ୍ରିଟେନରେ କାମ କରିବାକୁ ସହଜ କରିବ । ଏହି ଐତିହାସିକ ରାଜିନାମାକୁ ସମ୍ଭବ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ଅଟଳ ପ୍ରତିବଦ୍ଧତା ପାଇଁ କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ତାଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏହି ସିଇଟିଏ ଦୁଇଟି ପ୍ରମୁଖ ଅର୍ଥବ୍ୟବସ୍ଥା ମଧ୍ୟରେ ବାଣିଜ୍ୟ ସମ୍ପର୍କରେ ଏକ ମାଇଲଖୁଣ୍ଟ । ଏହା ଏକ ମହତ୍ୱାକାଂକ୍ଷୀ ଏବଂ ସନ୍ତୁଳିତ ଢାଞ୍ଚା ପ୍ରତିଷ୍ଠା କରୁଛି । ଏହା ବ୍ରିଟେନକୁ ୯୯% ଭାରତୀୟ ରପ୍ତାନିର ପାଇଁ ଶୁଳ୍କମୁକ୍ତ ପ୍ରବେଶ ପ୍ରଦାନ କରିଥାଏ । ଏଥିରେ ବାଣିଜ୍ୟ ମୂଲ୍ୟର ପ୍ରାୟ ୧୦୦% ସାମିଲ । ଏହି ରାଜିନାମା ଶ୍ରମ-ସଘନ କ୍ଷେତ୍ରଗୁଡ଼ିକ ସମେତ “ମେକ୍ ଇନ୍ ଇଣ୍ଡିଆ’ ଅଭିଯାନକୁ ଆଗକୁ ବଢାଇଥାଏ । ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ପାଇଁ ଏହା ଏକ ମୂଳଦୁଆ ସ୍ଥାପନ କରିଥାଏ । ଏଥିରେ ବିଭିନ୍ନ କ୍ଷେତ୍ରକୁ ସାମିଲ କରୁଥିବା ବସ୍ତୁ ଏବଂ ସେବାରେ ମହତ୍ୱାକାଂକ୍ଷୀ ପ୍ରତିବଦ୍ଧତା ସାମିଲ ରହିଛି । ଚୁକ୍ତିଭିତ୍ତିକ ସେବା ପ୍ରଦାନକାରୀ, ବ୍ୟବସାୟ ପରିଦର୍ଶକ ଏବଂ ମୁକ୍ତବୃତ୍ତିର ପେସାଦାରଙ୍କ ପାଇଁ ଏହି ଏଫଟିଏ ପ୍ରବେଶକୁ ସରଳ କରି ଭାରତୀୟ ପେସାଦାରଙ୍କ ଗତିଶୀଳତାକୁ ବୃଦ୍ଧି କରିଥାଏ । ଡବଲ୍ କଣ୍ଟ୍ରିବ୍ୟୁସନ୍ କନଭେନସନ୍ (ଡିସିସି) ବା ଅଭିନବ ଦ୍ୱୈତ ଯୋଗଦାନ ରାଜିନାମା ଭାରତୀୟ ଶ୍ରମିକ ଏବଂ ସେମାନଙ୍କର ନିଯୁକ୍ତିଦାତାଙ୍କୁ ତିନି ବର୍ଷ ପାଇଁ ବ୍ରିଟେନର ସାମାଜିକ ସୁରକ୍ଷା ଦେୟରୁ ମୁକ୍ତ ରଖିବ । ଏହାଦ୍ୱାରା ପ୍ରତିଯୋଗିତା ଏବଂ ଆୟ ବୃଦ୍ଧି ପାଇବ । ଏହି ଏଫଟିଏ ସମାବେଶୀ ଅଭିବୃଦ୍ଧି ପାଇଁ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ । ଏଥିସହିତ କୃଷକ, କାରିଗର, ଶ୍ରମିକ, ଏମଏସଏମଇ, ଷ୍ଟାର୍ଟଅପ୍ ଏବଂ ନବସୃଜନକାରୀଙ୍କୁ ଲାଭ ପହଞ୍ଚାଇବ । ଭାରତର ମୌଳିକ ସ୍ୱାର୍ଥକୁ ସୁରକ୍ଷା ଦେବ ଏବଂ ଏକ ବିଶ୍ୱ ଆର୍ଥିକ ମହାଶକ୍ତି ହେବା ପାଇଁ ଦେଶର ଯାତ୍ରାକୁ ତ୍ୱରାନ୍ୱିତ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗୋୟଲ କହିଥିଲେ । ଭାରତ ଦ୍ୱୈତ ଯୋଗଦାନ ରାଜିନାମା ଉପରେ ମଧ୍ୟ ଏକ ବୁଝାମଣା କରିଛି । ଏହା ଭାରତୀୟ ପେସାଦାର ଏବଂ ସେମାନଙ୍କ ନିଯୁକ୍ତିଦାତାମାନଙ୍କୁ ବ୍ରିଟେନରେ ତିନି ବର୍ଷ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଦେୟରୁ ମୁକ୍ତ କରିବ, ଯାହାଦ୍ୱାରା ଭାରତୀୟ ପ୍ରତିଭାଙ୍କ ଖର୍ଚ୍ଚ ଦକ୍ଷତାରେ ଉନ୍ନତି ଆସିବ । ଏହି ରାଜିନାମା ବାଣିଜ୍ୟକୁ ଅଧିକ ସମାବେଶୀ କରିବା ପାଇଁ ଡିଜାଇନ୍ କରାଯାଇଛି । ମହିଳା ଏବଂ ଯୁବ ଉଦ୍ୟୋଗୀ, ଚାଷୀ, ମତ୍ସ୍ୟଜୀବୀ, ଷ୍ଟାର୍ଟଅପ୍ ଏବଂ ଏମଏସଏମଇ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ନୂତନ ପ୍ରବେଶ ପାଇବେ । ଏହା ଏପରି ଏକ ବ୍ୟବସ୍ଥା ଦ୍ୱାରା ସମର୍ଥିତ ଯାହା ନବସୃଜନକୁ ଉତ୍ସାହିତ କରିବ, ଦୀର୍ଘସ୍ଥାୟୀ ଅଭ୍ୟାସକୁ ପ୍ରୋତ୍ସାହନ ଦେବ ଏବଂ ଅଣ-ଶୁଳ୍କ ପ୍ରତିବନ୍ଧକକୁ ହ୍ରାସ କରିବ । ଆଗାମୀ ବର୍ଷଗୁଡ଼ିକରେ ସିଇଟିଏ ବାଣିଜ୍ୟ ପରିମାଣକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ଏହା ନିଯୁକ୍ତି ସୃଷ୍ଟି କରିବ, ରପ୍ତାନିକୁ ବାଇବ ଏବଂ ଭାରତ ଓ ବ୍ରିଟେନ ମଧ୍ୟରେ ଏକ ଗଭୀର, ଅଧିକ ସ୍ଥିର ଆର୍ଥିକ ସମ୍ପର୍କକୁ ସମର୍ଥନ କରିବ ।

Comments (0)
Add Comment