ଭାରତୀୟଙ୍କ ଘରେ ୨୫ ହଜାର ଟନ୍ ସୁନା: ପାକିସ୍ତାନ ଅର୍ଥନୀତି ତୁଳନାରେ ୬ ଗୁଣା ଅଧିକ

ନୂଆଦିଲ୍ଲୀ, : ଭାରତୀୟମାନେ ସୁନା ପ୍ରିୟ । ଦେଶର ମନ୍ଦିର ସମେତ ପରିବାର ଗୁଡ଼ିକରେ ପ୍ରାୟ ୨୫ ହଜାର ଟନ୍ ସୁନା ଗଚ୍ଛିତ ରହିଛି । ଏହି ସୁନାର ବର୍ତ୍ତମାନ ମୂଲ୍ୟ ପ୍ରାୟ ୨.୪ ଲକ୍ଷ କୋଟି ଡଲାର ବୋଲି ୱାର୍ଲଡ ଗୋଲଡ୍ କାଉନସିଲ୍‌ ପକ୍ଷରୁ କୁହାଯାଇଛି । ୨୦୨୫- ୨୬ରେ ଭାରତର ନାମମାତ୍ର ଜିଡିପିର ଏହା ପ୍ରାୟ ୫୬ ପ୍ରତିଶତୟ ତେବେ ଭାରତର ମନ୍ଦିର ଓ ପରିବାର ଗୁଡ଼ିକରେ ଗଚ୍ଛିତ ଥିବା ସୁନାର ମୂଲ୍ୟ ପଡ଼ୋଶୀ ପାକିସ୍ତାନ ଅର୍ଥନୀତିର ଆକାରଠାରୁ ୬ ଗୁଣା ଅଧିକ । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଅନୁଯାୟୀ ପାକିସ୍ତାନର ଜିଡିପି ୨୦୨୪-୨୫ ଆର୍ଥିକବର୍ଷରେ ପ୍ରାୟ ୪୧୧ ବିଲିଅନ୍ ଡଲାର ରହିଛି । କେବଳ ସେତିକି ନୁହେଁ, ଭାରତୀୟ ପରିବାର ଗୁଡ଼ିକରେ ମହଜୁଦ ଥିବା ସୁନାର ମୂଲ୍ୟ ଇଟାଲୀ ଏବଂ କାନାଡ଼ା ଭଳି ବିକଶିତ ଦେଶର ଜିଡିପି ତୁଳନାରେ ବି ଅଧିକ । ଇଟାଲୀର ଜିଡିପି ୨.୪ ଟ୍ରିଲିଅନ୍ ଡଲାର ଥିବାବେଳେ କାନାଡ଼ାର ଜିଡିପି ୨.୩୩ ଟ୍ରିଲିଅନ୍‌ ଡଲାର ରହିଛି । ୟୁନିୟନ ବ୍ୟାଙ୍କ ଅଫ୍‌ ସ୍ୱିଜରଲାଣ୍ଡ୍ର ହିସାବ ଅନୁଯାୟୀ, ବଜାରରେ ସୁନା ମୂଲ୍ୟ ୨୦୧୯- ୨୦ରୁ ଇତିମଧ୍ୟରେ ଦୁଇଗୁଣା ବଢ଼ିଛି । ଏଥିଯୋଗୁ ଭାରତୀୟ ପରିବାର ଗୁଡ଼ିକର ସଂପତ୍ତି ବି ବଢ଼ିଯାଇଛି । ୨୦୨୬ ସୁଦ୍ଧା ସୁନା ମୂଲ୍ୟ ଆଉନ୍ସ ପିଛା ୩୫୦୦ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ବିଶ୍ୱରେ ଉତ୍ତେଜନାମୂଳକ ଭେଗୋଳିକ ରାଜନେତିକ ପରିସ୍ଥିତି ସହିତ ଉଚ୍ଚ ମୁଦ୍ରାସ୍ଫୀତି ଏବଂ ବାଣିଜ୍ୟ ଅସ୍ଥିରତା ପାଇଁ ସୁନା ଦର ବିବ ବୋଲି ଆକଳନ କରାଯାଇଛି । ଉଚ୍ଚମୂଲ୍ୟ ଯୋଗୁ ଭାରତର ସୁନା ଚାହିଦା ୨୦୨୫-୨୬ରେ କିଛି ମାତ୍ରାରେ କମିବ । ନିଟ୍ ଆମଦାନୀ ୫୫ରୁ ୬୦ ବିଲିଅନ୍ ଡଲାର ବା ଜିଡିପିର ୧.୨ ପ୍ରତିଶତରେ ରହିବ ବୋଲି ଆକଳନ କରାଯାଇଛି । ୨୦୨୫-୨୬ରେ ଭାରତର ସୁନା ଚାହିଦା ୭୨୫ ଟନ୍‌ ରହିବ । କିନ୍ତୁ ୨୦୨୬-୨୭ରେ ଏଥିରେ ଉନ୍ନତି ଘଟି ୮୦୦ ଟନ୍ରେ ପହଞ୍ଚିବ । ଅଷ୍ଟମ ବେତନ କମିସନ ସୁପାରିସ ଫଳରେ କର୍ମଚାରୀମାନଙ୍କୁ ଅଧିକ ୫୫ ବିଲିଅନ୍ ଡଲାର ଦରମା ମିଳିବ । ଏହାର ପ୍ରଭାବରେ ସୁନା ଚାହିଦା ବଢ଼ିବ ବୋଲି କୁହାଯାଇଛି । ଉଚ୍ଚମୂଲ୍ୟ ସତ୍ତ୍ୱେ ଭାରତର ସୁନା ଚାହିଦା ୨୦୨୪-୨୫ରେ ଉଚ୍ଚସ୍ତରରେ ରହିଥିଲା । ଭାରତରେ ଗ୍ରାହକଙ୍କ ଚାହିଦା ୭୮୨ ଟନ୍ ଥିଲା, ଯାହାକି କରୋନା ମହାମାରୀର ପୂର୍ବସ୍ଥିତିରେ ଥିବା ଚାହିଦା ତୁଳନାରେ ୧୫ ପ୍ରତିଶତ ଅଧିକ । ୨୦୨୪ରେ ଆମଦାନୀ ଶୁଳ୍କ ୧୫ ପ୍ରତିଶତରୁ ୬ ପ୍ରତିଶତକୁ ହ୍ରାସ କରାଯିବା ଫଳରେ ସ୍ୱର୍ଣ୍ଣ ଦଣ୍ଡ ଏବଂ ମୁଦ୍ରାରେ ନିବେଶ ବାର୍ଷିକ ଭିତ୍ତିରେ ୨୫ ପ୍ରତିଶତ ବୃଦ୍ଧି ପାଇଛି । ଭାରତର ପରିବାର ଗୁଡ଼ିକରେ ଏତେ ମାତ୍ରାରେ ସୁନା ଗଚ୍ଛିତ ଥିଲେ ମଧ୍ୟ ତାହାକୁ ମନିଟାଇଜେସନ୍ (ଅର୍ଥରେ ରୂପାନ୍ତର) ପାଇଁ ବ୍ୟବହାର କରିବାରେ କମ୍ ଉପଯୋଗ କରାଯାଉଛି । ବ୍ୟାଙ୍କ ଏବଂ ଅଣବ୍ୟାଙ୍କିଂ ପ୍ରତିଷ୍ଠାନ ଗୁଡ଼ିକର ଉଦ୍ୟମ ସତ୍ତ୍ୱେ ପରିବାର ଗୁଡ଼ିକରେ ଗଚ୍ଛିତ ଥିବା ସୁନାର ୨ ପ୍ରତିଶତରୁ କମ୍ ଋଣ ପାଇଁ ବନ୍ଧକ ରଖାଯାଉଛି । ସୁନା ପ୍ରତି ଲୋକଙ୍କର ରହିଥିବା ଆବେଗିକ ବନ୍ଧନ କାରଣରୁ ଗୋଲ୍ଡ ମନିଟାଇଜେସନ୍ ସ୍କିମ୍ ଏବଂ ସଭରେନ୍ ଗୋଲ୍ଡ ବଣ୍ଡ୍ ସେତେଟା ସଫଳ ହେଉନାହିଁ । ଘରୋଇ ଭାବେ ବିଶ୍ୱରେ ଗଚ୍ଛିତ ରଖାଯାଇଥିବା ମୋଟ ସୁନା ମଧ୍ୟରୁ ୧୪ ପ୍ରତିଶତ ଭାରତୀୟ ପରିବାର ଗୁଡ଼ିକରେ ରହିଛି । ଭାରତ ଏ କ୍ଷେତ୍ରରେ ସବୁଠୁ ଆଗରେ ରହିଛି । ସୁନା ସହିତ ଭାରତୀୟ ପରିବାର ଗୁଡ଼ିକର କେବଳ ଆବେଗିକ ସଂପର୍କ ନାହିଁ, ବରଂ ଏଥିପାଇଁ ସେମାନେ ଧନୀ ମଧ୍ୟ ହେଉଛନ୍ତି । ବିଶ୍ୱରେ ଅସ୍ଥିରତା ଲାଗି ରହିଥିବାବେଳେ ଭାରତୀୟ ମାନଙ୍କର ପୁରୁଣା ବିଶ୍ୱାସ ସେମାନଙ୍କୁ ଲାଭ ଦେଉଛି ବୋଲି ୟୁବିଏସ୍ ପକ୍ଷରୁ କୁହାଯାଇଛି ।

Comments (0)
Add Comment