ନୂଆଦିଲ୍ଲୀ: ଭାରତକୁ ଗ୍ଲୋବାଲ ମାର୍କେଟରୁ ବଡ଼ ସଫଳତା ମିଳିଛି। ଦୀର୍ଘ ସମୟ ହେଲା ଜାରିଥିବା ଉଦ୍ୟମକୁ ସଫଳତା ମିଳିଛି ଓ ସଂଯୁକ୍ତ ଆରବ ଏମିରେଟ (ୟୁଏଇ) ଟଙ୍କାରେ ନେଣଦେଣ କରିବାରେ ପ୍ରଥମ ଦେଶ ପାଲଟିଛି। ଭାରତ ୟୁଏଇରୁ ଅଶୋଧିତ ତୈଳ (କ୍ରୁଡ) କିଣି ଭାରତୀୟ ମୁଦ୍ରାରେ ପୈଠ କରିଛି, ଯାହା ସାଧାରଣ ଲୋକଙ୍କ ନିମନ୍ତେ ଏସ ଆଶ୍ୱସ୍ତିଭରା ଖବର। ଏହା ସହିତ ଭାରତ ନିଜ ମୁଦ୍ରାକୁ ବୈଶ୍ୱିକ ସ୍ତରକୁ ନେଇ ଯିବାରେ ସଫଳ ହୋଇଛି। ମାମଲା ସମ୍ପର୍କିତ ଅଧିକାରୀ କହିଛନ୍ତି ଯେ କେବଳ ୟୁଏଇ ନୁହେଁ ଭାରତ ଅନ୍ୟ ତୈଳ ଯୋଗାଣକାରୀ ଦେଶଙ୍କ ସହିତ ମଧ୍ୟ ଏଇଭଳି ଟଙ୍କାରେ ପୈଠ କରିବା ପାଇଁ ଉଦ୍ୟମ ଜାରି ରଖିଛି। ତେବେ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ଲାଗୁ କରିବା ଏକ ପ୍ରକ୍ରିୟା ଓ ଏଥିପାଇଁ କୌଣସି ଲକ୍ଷ ରଖା ଯାଇ ନାହିଁ। ଯାହା ବି ହେଉ ଏ ଦିଗରେ ପ୍ରଥମ ସଫଳତା ମିଳିଛି। ଆମେ ୟୁଏଇରୁ ବିପୁଳ ପରିମାଣରେ ଅଶୋଧିତ ତୈଳ କ୍ରୟ କରୁଛେ ଏଥି ପାଇଁ ଏବେ ଟଙ୍କାରେ ପୈଠ କଲେ ଆମର ବେଶ୍ ସଞ୍ଚୟ ହେବ ବୋଲି ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୮୫ ପ୍ରତିଶତରୁ ଅଧିକ ତୈଳ ଆବଶ୍ୟକତା ପୂରଣ ନିମନ୍ତେ ଭାରତ ଆମଦାନୀ ଉପରେ ନିର୍ଭରଶୀଳ। ଏଥିପାଇଁ ଏପର୍ଯ୍ୟନ୍ତ ବିପୁଳ ଡଲାର ବିନିମୟ ହେଉଥିଲା। ହେଲେ ଏବେ ଭାରତ ତୈଳ କ୍ରୟ ନିମନ୍ତେ ପୈଠ ଡଲାର ବଦଳେ ଟଙ୍କାରେ କରିବା ଆରମ୍ଭ କରିଛି ଓ ଏ ଦିଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଜରୁରି ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି। ଡଲାରରେ ପୈଠ କରିବା ପାଇଁ ଭାରତକୁ ମୁଦ୍ରା ବିନିମୟ ଶୁଳ୍କ ଅର୍ଥାତ ଫୋରେକ୍ସ ଫି ଦେବାକୁ ବାଧ୍ୟ ହେଉଥିଲା। ଫଳରେ ତୈଳ ଆମଦାନୀ ମହଙ୍ଗା ପଡୁଥିଲା। ତୈଳ କ୍ରୟ ବାବଦେ ଭାରତ ଟଙ୍କାରେ ପୈଠ କରିବା ପାଇଁ ଗତ ଜୁଲାଇ ମାସରେ ଏକ ବୁଝାମଣାରେ ସ୍ୱାକ୍ଷର କରିଥିଲା। ସାର୍ବଜନିକ କ୍ଷେତ୍ରର ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) ଅବୁଧାବୀ ନ୍ୟାସନାଲ ଅଏଲ କମ୍ପାନୀ (ଏଡି ଏନଓସି) ୧୦ଲକ୍ଷ ବାରଲ ଅଶୋଧିତ ତୈଳ କ୍ରୟ ବାବଦେ ଭାରତୀୟ ମୁଦ୍ରାରେ ପୈଠ କରିଛି। ଏହା ହଜାର କୋଟି ଟଙ୍କାର ଡିଲ ବୋଲି ଏବେ ମନେ କରାଯାଉଛି। ତେବେ କେବଳ ୟୁଏଇ ନୁହେଁ ଋଷିଆରୁ ଆମଦାନୀ ହେଉଥିବା ଅଶୋଧିତ ତୈଳ ପାଇଁ ମଧ୍ୟ କିଛି ପୈଠ ଟଙ୍କାରେ ହେଉଛି। ଟଙ୍କାର ଅନ୍ତର୍ଜାତୀୟକରଣ ଦ୍ୱାରା ଡଲାରର ଚାହିଦା ହ୍ରାସ କରାଯାଇ ପାରିବ। ଏହା ଦ୍ୱାରା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଅନ୍ତର୍ଜାତୀୟ ମୌଦ୍ରିକ ପ୍ରଭାବରୁ ମୁକ୍ତ ରଖିହେବ। ଯାହାର ଲାଭ ସାଧାରଣ ଲୋକଙ୍କୁ ମଧ୍ୟ ମିଳିବ। ଯେତେବେଳେ ଦେଶର ଆମଦାନୀ ଶସ୍ତା ହେବ ଆମଦାନୀ ସାମଗ୍ରୀ ମଧ୍ୟ ଦେଶରେ ଶସ୍ତା ହେବ। ଏଥିରେ ଯଦି ଭାରତ ଅଶୋଧିତ ତୈଳର କ୍ରୟ ମୁଦ୍ରାରେ କରେ ତେବେ ଏହା ଶସ୍ତା ପଡିବ ଓ ଏହାର ଲାଭ ସାଧାରଣ ଲୋକଙ୍କୁ ମଧ୍ୟ ମିଳିବ।