ଭୁବନେଶ୍ୱର ଏମ୍ସର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

President attends the convocation ceremony of AIIMS, Bhubaneswar

ଭୁବନେଶ୍ୱର, ୧୪ା୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଭୁବନେଶ୍ୱର ଏମ୍ସର ପଞ୍ଚମ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିଛନ୍ତି । ସମାରୋହରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ, ଗତ ୧୨ ବର୍ଷ ମଧ୍ୟରେ ଏମ୍ସ ଭୁବନେଶ୍ୱର ଉଲ୍ଲେଖନୀୟ ପ୍ରଗତି ହାସଲ କରିବା ଖୁସିର ବିଷୟ । ସେ କହିଥିଲେ, ରୋଗୀ ସେବା, ସ୍ୱାସ୍ଥ୍ୟଗତ ଗବେଷଣା କିମ୍ବା ସମାଜ କଲ୍ୟାଣ କାର୍ଯ୍ୟକଳାପ ହେଉ, ଏହି ପ୍ରତିଷ୍ଠାନ ସବୁ କ୍ଷେତ୍ରରେ ଅନେକ ପ୍ରଶଂସା ଅର୍ଜନ କରିଛି । ଏହା ଓଡ଼ିଶା ସହିତ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଭଳି ପଡ଼ୋଶୀ ରାଜ୍ୟ ଏବଂ ଅନ୍ୟ ରାଜ୍ୟର ଲୋକଙ୍କ ହୃଦୟ ଜିତି ପାରିଛି । ଶଲ୍ୟ ଚିକିତ୍ସା ଉପକରଣ ଏବଂ ପ୍ରତିରୋପଣ ପୁନଃପ୍ରକ୍ରିୟାକରଣରେ ଉଚ୍ଚ ମାନଦଣ୍ଡ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏସିଆ ସେଫ୍ ସର୍ଜିକାଲ ଇମ୍ପ୍ଲାଣ୍ଟ କସୋର୍ଟିୟମ୍ କ୍ୟୁଆଇପି ପୁରସ୍କାର ପ୍ରଦାନ କରି ଏମ୍ସ ଭୁବନେଶ୍ୱରର ଉକ୍ରର୍ଷତାକୁ ସ୍ୱୀକୃତି ପ୍ରଦାନ କରିବା ବିଷୟରେ ରାଷ୍ଟ୍ରପତି ଖୁସିର ସହ ଉଲ୍ଲେଖ କରିଥିଲେ । ସେ କହିଥିଲେ, ଏହି ପ୍ରତିଷ୍ଠାନ ଲଗାତାର ପାଞ୍ଚ ବର୍ଷ ଧରି ଅସାଧାରଣ ସ୍ୱଚ୍ଛତା ଏବଂ ଅନନ୍ୟ ହସ୍ପିଟାଲ ସେବା ପାଇଁ ଜାତୀୟ କାୟାକଳ୍ପ ପୁରସ୍କାର ମଧ୍ୟ ପାଇଛି । ରାଷ୍ଟ୍ରପତି କହିଥିଲେ, ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଏମ୍ସଗୁଡ଼ିକ ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ ଏବଂ ଅଭିଜ୍ଞ ଡାକ୍ତରଙ୍କ ମାଧ୍ୟମରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି । ଏହି ପ୍ରତିଷ୍ଠାନଗୁଡ଼ିକରେ ଲୋକମାନେ କମ ମୂଲ୍ୟରେ ଗୁଣାତ୍ମକ ଚିକିତ୍ସା ସୁବିଧା ପାଉଛନ୍ତି । ଏମ୍ସର ସଫଳତା ଯୋଗୁଁ ଭାରତ ବିଶ୍ୱରେ ଏକ ଅଗ୍ରଣୀ ସ୍ୱାସ୍ଥ୍ୟସେବା ଗନ୍ତବ୍ୟସ୍ଥଳ ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ । ରାଷ୍ଟ୍ରପତି କହିଥିଲେ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଗବେଷଣା ଉପ·ରକୁ ଅଧିକ ସହଜ କରିଛି । ଅନେକ ମହାମାରୀର ପ୍ରକୋପ ହ୍ରାସ ପାଇଛି । ବସନ୍ତ, କୁଷ୍ଠ, ପୋଲିଓ, ଯକ୍ଷ୍ମା ଆଦି ରୋଗର ବୋଝ ଆଉ ପୂର୍ବ ପରି ନାହିଁ । ଏଥିପାଇଁ ଡାକ୍ତର, ଗବେଷକ, ସ୍ୱାସ୍ଥ୍ୟ ଓ ସାମାଜିକ କର୍ମୀ ଏବଂ ସରକାର ପ୍ରଶଂସାର ପାତ୍ର ଅଟନ୍ତି । ରାଷ୍ଟ୍ରପତି ଆହୁରି କହିଥିଲେ ଯେ, ମାନସିକ ଅବସାଦ ଆଜିର ସମାଜରେ ଏକ ବଡ଼ ସମସ୍ୟା ପାଲଟିଛି । ଅବସାଦର ଚିକିତ୍ସା ପାଇଁ ଔଷଧ ବ୍ୟତୀତ ସଚେତନତା ମଧ୍ୟ ଜରୁରୀ । ଜୀବନଶୈଳୀରେ ପରିବର୍ତ୍ତନ ଦ୍ୱାରା ମାନସିକ ଶାନ୍ତି ମିଳିପାରିବ । ସେ କହିଥିଲେ, ଯୋଗ ଏବଂ ପ୍ରାଣାୟାମ ମାନସିକ ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇପାରିବ । ସୁସ୍ଥ ଜୀବନଶୈଳୀର ଲାଭ ବିଷୟରେ ଲୋକମାନଙ୍କୁ ସଚେତନ କରିବା ଲାଗି ସେ ଚିକିତ୍ସକମାନଙ୍କୁ ନିବେଦନ କରିଥିଲେ । ଆଉ ଏକ ଜୀବନଶୈଳୀ ଜନିତ ରୋଗ ରୂପେ ମେଦବହୁଳତା ମଧ୍ୟ ଏକ ଚିନ୍ତାର କାରଣ ପାଲଟିଛି ବୋଲି ରାଷ୍ଟ୍ରପତି କହିଥିଲେ । ଶୃଙ୍ଖଳିତ ଜୀବନଯାପନ, ଖାଦ୍ୟାଭ୍ୟାସରେ ସୁଧାର ଏବଂ ନିୟମିତ ବ୍ୟାୟାମ ଜରିଆରେ ଏହି ରୋଗରୁ ମୁକ୍ତି ପାଇବା ସମ୍ଭବ । ଏ ପ୍ରସଙ୍ଗରେ ସମାଜରେ ସଚେତନତା ସୃଷ୍ଟି କରିବା ଲାଗି ସେ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ । ରାଷ୍ଟ୍ରପତି ସ୍ଥାନୀୟ ସମସ୍ୟା ସମାଧାନ ଲାଗି ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ । ସେ କହିଥିଲେ, ଆଦିବାସୀ ସମାଜରେ ଦୁଇଟି ରୋଗର ଅଧିକ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଜାପାନିଜ୍ ଏନସେଫାଲାଇଟିସ୍ ଏବଂ ଅନ୍ୟଟି ହେଉଛି ସିକଲ୍ ସେଲ ଏନିମିଆ । ସରକାର ଏ ଦୁଇଟି ରୋଗ ନିରାକରଣ କ୍ଷେତ୍ରରେ ଅନେକ ପଦକ୍ଷେପ ନେଇଛନ୍ତି । ଏସବୁ ରୋଗର ଚିକିତ୍ସା ପାଇଁ ଡାକ୍ତରମାନେ ଯଥାସମ୍ଭବ ଅଧିକରୁ ଅଧିକ ଗବେଷଣା କରିବା ଉଚିତ ବୋଲି ରାଷ୍ଟ୍ରପତି କହିଥିଲେ । ସେହିପରି ଡାକ୍ତରମାନେ କର୍ତବ୍ୟ ପ୍ରତି ଅଧିକ ସଚେତନ ହେବା ଦରକାର । ଆକାଂକ୍ଷୀ ସମାଜର ଯତ୍ନ ନେବା ସହ ଓଡ଼ିଶାରେ ସେବା କରିବା ଦରକାର । ସୋମବାର ଏମ୍ସ, ଭୁବନେଶ୍ୱରର ପଞ୍ଚମ ସମାବର୍ତନ ସମାରୋହ ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତିରେ ସ୍ନାତକୋତ୍ତର ଡାକ୍ତର ଏବଂ ଶିକ୍ଷା ସମୁଦାୟଙ୍କୁ ସମ୍ବୋଧିତ କରି ଏହି ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏମ୍ସ ଭୁବନେଶ୍ୱରରେ ଡାକ୍ତରମାନଙ୍କୁ ମାର୍ଗଦର୍ଶନ ଏବଂ ପ୍ରେରଣା ଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଦୁଇ ଦଶନ୍ଧି ପୂର୍ବରୁ ଭାରତରତ୍ନ ସ୍ୱର୍ଗତ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏମ୍ସ ଭୁବନେଶ୍ୱର ମେଡିକାଲ୍ ଶିକ୍ଷା ଓ ଗବେଷଣା ପ୍ରଦାନ କ୍ଷେତ୍ରରେ ଉତ୍କର୍ଷତାର ଏକ ‘ବଟ୍ଟବୃକ୍ଷ’ରେ ପରିଣତ ହୋଇଛି । ଏହା ଅନେକଙ୍କ ସ୍ୱପ୍ନକୁ ପୂରଣ କରିବା ସହ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରୁଛି । ପ୍ରଧାନମନ୍ତ୍ରୀ ସର୍ବଦା ଗୁରୁତ୍ୱାରୋପ କରିଆସିଛନ୍ତି ଯେ ଉତମ ସ୍ୱାସ୍ଥ୍ୟ ; ପ୍ରଗତି ଏବଂ ସମୃଦ୍ଧିର ମୂଳଦୁଆ । ଜାତୀୟ ବିକାଶରେ ଆମର ସ୍ୱାସ୍ଥ୍ୟସେବା ବୃତିଗତଧାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଶେଷକରି ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବା ଦିଗରେ ଏହି ବର୍ଗର ବୃତିଧାରୀଙ୍କ ବଡ ଅବଦାନ ରହିବ । ଶିକ୍ଷା ପ୍ରତିଷ୍ଠାନର ଗୁଣବତା ଏବଂ ବିବିଧତା ସହିତ ଭୁବନେଶ୍ୱର ଏକ ବିଶ୍ୱସ୍ତରୀୟ ମେଡି-ଟେକ୍ ହବ୍ ଭାବରେ ଉଭା ହେବାର ସମ୍ଭାବନା ରଖିଛି । ସ୍ଥାନୀୟ ଏବଂ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ମୁକାବିଲା ପାଇଁ ନୂତନ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ନିର୍ମାଣ କରିବା ଦିଗରେ ସହଯୋଗୀର ଦାୟିତ୍ୱ ନେବାକୁ ସେ ଆଶାବ୍ୟକ୍ତ କରିଛନ୍ତି । ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହିତ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଯୋଗଦେଇଥିଲେ । ଚଳିତ ବର୍ଷ ଡିଗ୍ରୀ ଓ ପଦକ ହାସଲ କରିଥିବା ସ୍ୱାସ୍ଥ୍ୟସେବା ବୃତିଗତଧାରୀଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଥିଲେ ।

Comments (0)
Add Comment