ଭୟଙ୍କର ଭୂକମ୍ପ ପରେ ମାଡ଼ି ଆସିଲା ସୁନାମୀ, ବ୍ୟାପକ କ୍ଷୟକ୍ଷତି

After the severe earthquake, tsunami struck, causing extensive damage

ମସ୍କୋ, ୩୦ା୭ : ରୁଷ ଉପକୂଳରେ ଭୟଙ୍କର ଭୂକମ୍ପ ପରେ ଏବେ ସୁନାମୀ ତାଣ୍ଡବ ରଚିବା ଆରମ୍ଭ କରିଛି । ବୁଧବାର ସକାଳୁ ସକାଳୁ ରୁଷର ପୂର୍ବ ପ୍ରାନ୍ତରେ ଥିବା କାମଚଟକାରେ ୮.୮ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଭୂକମ୍ପ ଯୋଗୁ ଏବେ ରୁଷ ସମେତ ଆମେରିକା ଓ ଜାପାନରେ ବଡ଼ଧରଣର ସୁନାମୀ ଦେଖିବାକୁ ମିଳିଛି । ଉପକୂଳରେ ଥିବା ଶହଶହ ବଡ଼ ବଡ଼ ବିଲଡିଂ ସମୁଦ୍ର ଗର୍ଭରେ ଲୀନ ହୋଇଛି । ଉପକୂଳରେ ଥିବା ଲକ୍ଷାଧିକ ଲୋକ ଜୀବନ ବିକଳରେ ଉଚ୍ଚ ସ୍ଥାନକୁ ଯିବାକୁ ଲାଗିଛନ୍ତି । ଏବେ ଛୋଟ ଧରଣର ସମୁଦ୍ର ଢେଉ କୂଳ ଲଙ୍ଘିଥିବା ବେଳେ ଆଗକୁ ୧୦ ଫୁଟ ଉଚ୍ଚର ଜୁଆର ଆମେରିକାର ହାୱାଇ ଦ୍ୱୀପରେ ଭୟଙ୍କର ସ୍ଥିତି ସୃଷ୍ଟି କରିବାର ଆଶଙ୍କା ପ୍ରକାଶ ପାଇଛି । ସମୁଦ୍ର ଗର୍ଭରେ ଭୂକମ୍ପର କେନ୍ଦ୍ର ସ୍ଥଳ ରହିଥିବାରୁ ସ୍ଥିତି ଭୟଙ୍କର ହେବାର ଯଥେଷ୍ଟ ଆଶଙ୍କା ଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି । ସମୁଦ୍ର ଜୁଆର ଘୁଘୁ ଗର୍ଜନ କରି ସ୍ଥଳ ଭାଗକୁ ମାଡ଼ି ଆସିଥିବାର ଛାତିଥରା ଫଟୋ ଓ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ବର୍ତ୍ତମାନ ଉତ୍ତର ଆଲାସ୍କାରେ ସୁନାମୀର ପ୍ରଥମ ଜୁଆର ପ୍ରବେଶ କରିଛି । ହାୱାଇରେ ମଧ୍ୟ ୪ ଫୁଟ ବା ୧.୨ ମିଟର ଉଚ୍ଚର ଜୁଆର ସ୍ଥଳ ଭାଗରେ ପ୍ରବେଶ କରିଥିବା ପ୍ୟାସିଫିକ ସୁନାମୀ ୱାର୍ଣ୍ଣିଂ ସେଣ୍ଟର(ପିଟିଡବ୍ଲୁସି) ପକ୍ଷରୁ କୁହାଯାଇଛି । ପିଟିଡବ୍ଲୁସି କହିଛି ଯେ ସୁନାମୀ ଜୁଆର ଉପକୂଳବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିବା ଆରମ୍ଭ କରିଛି । ବର୍ତ୍ତମାନ ସବୁଠାରୁ ବଡ଼ ଜୁଆର ହାୱାଇରେ ରେକର୍ଡ କରାଯାଇଛି । ଉତ୍ତର ଉପକୂଳ ଓହାହୁର ହାଲେଇୱାରେ ୪ ଫୁଟ ଉଚ୍ଚର ଜୁଆର ସ୍ଥଳ ଭାଗରେ ତାଣ୍ଡବ ରଚିଛି । ପ୍ରାୟ ୧୨ ମିନିଟର ବ୍ୟବଧାନରେ ଉଚ୍ଚ ଜୁଆର ସ୍ଥଳ ଭାଗକୁ ଆସୁଛି । ଜାପାନ ମେଟ୍ରୋଲୋଜିକାଲ ଏଜେନ୍ସି କହିଛି ଯେ ୪୦ ସେଣ୍ଟିମିଟର ବା ୧.୩ ଫୁଟର ସୁନାମୀ ହୋକ୍କାଇଡୋର ଟୋକାଚିରେ ଚିହ୍ନଟ ହୋଇଛି । ଏହି ସ୍ଥାନଟି ଜାପାନର ଉତ୍ତରପୂର୍ବର ପ୍ରାନ୍ତର ଗୋଟିଏ ପ୍ରମୁଖ ସ୍ଥାନୟ ଭୂକମ୍ପର କେନ୍ଦ୍ରସ୍ଥଳ କାମଚଟକାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କିନ୍ତୁ କେହି ବି ଗୁରୁତର ଭାବେ ଆହତ ହୋଇ ନାହାନ୍ତି । ରୁଷର କୁରିଲ ଦ୍ୱୀପପୁଞ୍ଜର ସେଭେରୋ-କୁରିଲସ୍କରେ ସୁନାମୀ ଜୁଆର ପ୍ରବେଶ କରିଥିବା ସ୍ଥାନୀୟ ଗଭର୍ଣ୍ଣର ଭାଲେରୟ ଲିମାରେନକୋ କହିଛନ୍ତି । ତାଙ୍କ କହିବା କଥା ଯେ ଭୂକମ୍ପ ପରେ ସୁନାମୀ ଆସିଥିବା ବେଳେ ସ୍ଥାନୀୟ ଲୋକ ସୁରକ୍ଷିତ ରହିଛନ୍ତି । ସେମାନଙ୍କୁ ବିପଦ ଟଳିବା ଯାଏ ସେମାନଙ୍କୁ ଉଚ୍ଚ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ଜାପାନର ଇୱାଟେ ସ୍ଥିତ କୁଜି ପୋର୍ଟରେ ୧.୩ ମିଟର ବା ୪.୩ ଫୁଟ ଉଚ୍ଚର ଜୁଆର ପ୍ରବେଶ କରିଛି । କ୍ରମାଗତ ଭାବେ ବଡ଼ ବଡ଼ ଜୁଆର କୂଳ ଲଙ୍ଘିବାରେ ଲାଗିଛି । ଜାପାନ ଓ ଆମେରିକାରେ ସୁନାମୀର ସତର୍କ ସାଇରନ ବାଜୁଥିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି । ସେମାନେ ସୁରକ୍ଷିତ ସ୍ଥାନକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ବ୍ୟାପକ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି । ହାୱାଇରେ ସୁନାମୀ ଉପକୂଳବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିଥିବା ବେଳେ ଏକାଧିକ ବିମାନର ଦିଗ ପରିବର୍ତ୍ତନ କରାଯାଇଛି । ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Comments (0)
Add Comment