ମଧ୍ୟପ୍ରାଚ୍ୟ ଉତ୍ତେଜନା କମିଲେ ସୁନା ଶସ୍ତା ହେବ

ନୂଆଦିଲ୍ଲୀ, : ସୁନାର ବର୍ଦ୍ଧିତ ଦରକୁ ନେଇ ଚିନ୍ତିତ ଥିବା ଗ୍ରାହକମାନଙ୍କ ଲାଗି ଏକ ଆଶ୍ୱସନାଭରା ଖବର । ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରଶମିତ ହେଲେ ସୁନା ଦରରେ ହ୍ରାସ ଘଟିବ ବୋଲି ବିଶ୍ୱ ସୁନା ପରିଷଦ ପୂର୍ବାନୁମାନ କରିଛି । ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁନା କିଣା କମାଇଥିବା ବେଳେ ଖୁଚୁରା ନିବେଶ ଚାହିଦା ମଧ୍ୟ କମ୍ ହୋଇଛି । ତାହାର ପ୍ରଭାବରେ ମଧ୍ୟବର୍ତ୍ତୀକାଳୀନ ସମୟରେ ସୁନା ମୂଲ୍ୟ କମିବା ଆଶା କରାଯାଉଛି । ଏବେ ସୁନାର ୧୦ ଗ୍ରାମ ପିଛା ଦାମ୍ ୯୭,୫୧୧ ଟଙ୍କା ଭଳି ଉଚ୍ଚ ସ୍ତରରେ ରହିଛି । ୨୦୨୨ ନଭେମ୍ବର ପରଠାରୁ ସୁନା ଦର ପ୍ରାୟ ଦ୍ୱିଗୁଣିତ ହୋଇଛି । ତାହା ଆଉନ୍ସ ପିଛା ୧୪୨୯ ଡଲାରରୁ ବୃଦ୍ଧି ପାଇ ୩୨୮୭ ଡଲାରରେ ପହଞ୍ଚିଛି । ଅର୍ଥାତ ବାର୍ଷିକ ୩୦ ପ୍ରତିଶତ ହାରରେ ସୁନା ଦର ବଢ଼ିଛି । ୨୦୨୨ ପରଠାରୁ ଭୂରାଜନେତିକ ସଙ୍କଟ ଅଧିକ ଜଟିଳ ହୋଇଥିଲା ।ସେଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଓ ନିବେଶକମାନେ ସୁନାରେ ନିବେଶ ବାଇଥିଲେ । ସୁଧ ହାର ଓ ମୁଦ୍ରାସ୍ଫୀତି ଉଚ୍ଚା ରହିବା ସ୍ଥିତି ଆହୁରି ଜଟିଳ କରିଥିଲା । ସୁନା ଦରରେ ବୃଦ୍ଧି ଅବ୍ୟାହତ ରହିଥିବାରୁ ନିବେଶକମାନେ ସେଥିରେ ରହିଥିବା ସମ୍ଭାବ୍ୟ ବିପଦକୁ ନେଇ ଚିନ୍ତିତ ହେବା ଆରମ୍ଭ କରିଛନ୍ତି ।

Comments (0)
Add Comment