ପୁରୀ,: ଭାଦ୍ରବ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ କୃଷ୍ଣ-ବଳରାମ ବେଶ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାର ଏହି ଅନ୍ତିମ ବେଶ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁ ଭକ୍ତ ମହାପ୍ରଭୁଙ୍କ ଏହି ଦିବ୍ୟବେଶ ଦର୍ଶନ କରିଥିଲା । ଏଥିସହିତ ଗୌଡବାଡ ସାହି ପକ୍ଷରୁ ସମ୍ପନ୍ନ ହୋଇଥିଲା ଅନ୍ନ ପ୍ରଥା ପ୍ରସ୍ତାବ । ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଶ୍ରୀବଳଭଦ୍ରଙ୍କୁ ବଳରାମ ରୂପରେ, ଶ୍ରୀଜଗନ୍ନାଥଙ୍କୁ ଶ୍ରୀକୃଷ୍ଣ ରୂପରେ ଓ ଦେବୀ ସୁଭଦ୍ରାଙ୍କୁ ଯୋଗମାୟା ବେଶରେ ସଜ୍ଜିତ କରାଯାଇଥିଲା । ଶ୍ରୀକୃଷ୍ଣଙ୍କର ବାଲ୍ୟ କାଳରେ ଗୋ ବତ୍ସା ଚାରଣର ଦୃଶ୍ୟ ଏହି ବେଶରେ ପ୍ରତୀୟମାନ ହୋଇଥିଲା । ଏହି ବେଶରେ ଶ୍ରୀବଳଭଦ୍ର ଓ ଶ୍ରୀ ଜଗନ୍ନାଥ ଦୁଇ ହସ୍ତ ଧାରଣ କରିଥିବା ବେଳେ ଦେବୀ ସୁଭଦ୍ରା ଧାରଣ କରିଥିଲେ ଚତୁର୍ଭୁଜ । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ର କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ପ୍ରତୀୟମାନ ହୋଇଥିଲେ । ଦେବୀ ସୁଭଦ୍ରା ରତ୍ନସିଂହାସନ ଉପରେ ଖଞ୍ଜାଯାଇଥିବା ଏକ କାଷ୍ଠ ସିଂହାସନ ଉପରେ ଉପବେଶନ ଭଙ୍ଗୀରେ ବସିଥିଲେ । ଶ୍ରୀଜଗନ୍ନାଥ ଦକ୍ଷିଣ ଭୁଜରେ ବଂଶୀ ଓ ବାମ ଭୁଜରେ ସୋଲ ନିର୍ମିତ ପଦ୍ମ, ପ୍ରଭୁ ବଳଭଦ୍ର ଡାହାଣ ଭୁଜରେ ସିଙ୍ଗା ଏବଂ ବାମ ଭୁଜରେ ସୋଲ ପଦ୍ମ ଧାରଣ କରିଥିଲେ । କିରୀଟି ଉପରେ ଶୋଭା ପାଉଥିଲା ସପ୍ତଫେଣୀ ନାଗ । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଗୋଟିଏ ଲେଖାଏଁ କିରୀଟଯୁକ୍ତ ପାଗ ପରିଧାନ କରିଥିଲେ । ବାଙ୍କଚୂଳ କିରୀଟ ଉପରେ ପତ୍ରଲଗା କଦମ୍ବ ଫୁଲ ଶୋଭାପାଉଥିଲା । ଶ୍ରୀଅଙ୍ଗରେ ଶୋଭା ପାଉଥିଲା ଶ୍ରୀପୟର, ପାଉଁଜି, ବାଙ୍କି, ପାହୁଡ଼, ଗୋଡ଼ମୁଦି, ମଲ୍ଲ କଢ଼ି, ଚନ୍ଦ୍ର, ଚିତା, ନାକଚଣା, ହାତ ଫେର ଓ ଖଡୁ ପ୍ରଭୃତି ଅଭୂଷଣରେ । ଠାକୁରମାନଙ୍କ କିରୀଟରେ କଦମ୍ବ ଫୁଲ ଆଉ ପତ୍ର ଶୋଭା ପାଉଥିଲା । ବଳଭଦ୍ର ଓ ଜଗନ୍ନାଥଙ୍କ ଦୁଇ ପାଶ୍ୱର୍ରେ ନନ୍ଦ, ଉପନନ୍ଦ, ବସୁଦେବ, ଗୋପାଳ ବାଳକ, ଗୋପୀ, ବ୍ରହ୍ମା ସହସ୍ର ଚକ୍ଷୁ ଇନ୍ଦ୍ର, ନାରଦ, ରୋହିଣୀ ଓ ଯଶୋଦାଙ୍କୁ ଦଣ୍ଡାୟମାନ ଭଙ୍ଗୀରେ ରଖାଯାଇଥିଲା । ଠାକୁରଙ୍କ ଆଗରେ ଚାରିଗୋଟି ଗାଈ ଦଣ୍ଡାୟମାନ ଭଙ୍ଗୀରେ ଠିଆ ହୋଇଥିଲେ । ଶ୍ରୀବିଗ୍ରହମାନଙ୍କୁ ଖିରି ଓ ଅମ୍ବାଲୁ ଆଦି ଭୋଗ ଲାଗି କରାଯାଇଥିଲା । ବେଶ ଥାଇ ଶ୍ରୀଜିଉମାନଙ୍କ ସନ୍ଧ୍ୟା ଧୂପ ଅନୁଷ୍ଠିତ ହୋଇହୋଇଥିଲା । ବେଶ ଓଲାଗି ପରେ ଅନ୍ୟ ପାରମ୍ପାରିକ ନୀତି ସମ୍ପାଦିତ ହୋଇଥିଲା ।