ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ମହିଳା ପୋଲିସ ଅଧିକାରୀ । ଘରୋଇ ମାମଲାର ସମାଧାନ ପାଇଁ ଟଙ୍କା ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ବ୍ରହ୍ମପୁର ମହିଳା ଥାନାର ଏଏସଆଇ ବବିତା ସୁନାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିଛି ଭିଜିଲାନ୍ସ । କେ.ନୂଆଗାଁ ଥାନା ଅନ୍ତର୍ଗତ ବଳିୟାରସିଂହପଲ୍ଲୀର ପ୍ରମୋଦ କୁମାର ନାୟକ ତାଙ୍କ ପତ୍ନୀ ପ୍ରମୋଦ ଓ ତାଙ୍କ ମାଙ୍କ ନାମରେ ମହିଳା ଥାନାରେ ଘରୋଇ କଳିକୁ ନେଇ ଏକ ମାମଲା ଦେଇଥିଲେ । ସମ୍ପୃକ୍ତ ମାମଲାକୁ ରଫାଦଫା କରିବା ପାଇଁ ମହିଳା ଥାନାର ଏଏସଆଇ ବବିତା ସୁନା ପ୍ରମୋଦକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାକୁ ନେଇ ପ୍ରମୋଦ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ଆଜି ପ୍ରମୋଦ ଏଏସଆଇ ବବିତା ସୁନାକୁ ଟଙ୍କା ଦେଉଥିବା ବେଳେ ବବିତାଙ୍କୁ କାବୁ କରିଛି ପୋଲିସ । ଲାଞ୍ଚ ଅର୍ଥ ୧୦ ହଜାର ଟଙ୍କା ଭିଜିଲାନ୍ସର ଅଧିକାରୀ ମାନେ ବବିତାଙ୍କ ପାଖରୁ ଜବତ କରିଛନ୍ତି । ଏହାପରେ ଭିଜିଲାନ୍ସ ପକ୍ଷରୁ ବବିତାଙ୍କ କାର୍ଯ୍ୟାଳୟ ଓ ସରକାରୀ କ୍ବାଟେରରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ତେବେ ବବିତା ସୁନା ୨୦୧୬ ମସିହାରୁ ଏଏସଆଇ ଭାବେ ପଦୋନ୍ନତି ପାଇଥିବା ବେଳେ ଗତ ଦୁଇ ବର୍ଷ ହେଲା ସେ ମହିଳା ଥାନାରେ କାର୍ଯ୍ୟରତ ଥିଲେ ।