ଭୁବନେଶ୍ୱର,୨୧ା୧୧ : ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ମତ୍ସ୍ୟଜୀବୀ ମାନଙ୍କ ପାଇଁ ୧୬ଟି କାର୍ଯ୍ୟକ୍ରମ ରହିଛି ଏବଂ ଏବର୍ଷ ଏଥିପାଇଁ ୪୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ, ମତ୍ସ୍ୟଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିବେଦନ କରି କହିଛନ୍ତି ଯେ ଆପଣମାନଙ୍କ କଲ୍ୟାଣ ଓ ବିକାଶ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି । ଆପଣମାନେ ଏହାର ସୁଯୋଗ ନେଇ ନିଜର ଓ ରାଜ୍ୟର ସମୃଦ୍ଧିରେ ଯୋଗଦାନ ରଖନ୍ତୁ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ରାଜ୍ୟରେ ପ୍ରଚୁର ଜଳସଂପଦ ରହିଛି । ଅର୍ଥନୀତିର ବିକାଶ ପାଇଁ ଜଳସଂପଦର ପୂର୍ଣ୍ଣ ବିନିଯୋଗ ଆମର ଲକ୍ଷ୍ୟ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା, ସେମାନଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା, ମା’ ମାନଙ୍କୁ ସଶକ୍ତ କରିବା ଏବଂ ସର୍ବୋପରି ରାଜ୍ୟର ଆର୍ôଥକ ବିକାଶ କରିବା । ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଏ ସବୁ କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନେବ ବୋଲି ପ୍ରକାଶ କରି ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଆମର ୫-ଟି ନୀତିରେ କାର୍ଯ୍ୟକାରୀ କରାଯିବ । ଏଥିରେ ୧୧,୦୦୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ୫୦ ହଜାର ମାଛ ଚାଷୀ ଓ ଏକ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ଉପକାର ପାଇବେ ବୋଲି ସେ କହିଥିଲେ । ରାଜ୍ୟରେ ମତ୍ସ୍ୟ ବିକାଶ କ୍ଷେତ୍ରରେ ହୋଇଥିବା ଉନ୍ନତି ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ ୨୦ ବର୍ଷ ଭିତରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ଚାରି ଗୁଣ ବୃଦ୍ଧି ପାଇଛି । ସାମୁଦ୍ରିକମତ୍ସ୍ୟ ରପ୍ତାନୀ ୪୫୦୦ କୋଟି ଟଙ୍କାରେ ପହଞ୍ଚିଛି । ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଓଡିଶା ମତ୍ସ୍ୟନୀତି-୨୦୧୫ ଏବଂ ଓଡିଶା ଜଳଭଣ୍ଡାର ମତ୍ସ୍ୟନୀତି୨୦୧୨ ଆଣିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ବୋଲି ସେ କହିଥିଲେ । ଓଡିଶା ଆଜି ମାଛ ଯାଁଳ ଉତ୍ପାଦନରେ ଆତ୍ମନିର୍ଭର ହୋଇପାରିଛି ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ମତ୍ସ୍ୟ ଓ ପଶୁସଂପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଜନତାଙ୍କ ମୁଖ୍ୟମନ୍ତ୍ରୀ । ଜନତାଙ୍କ କଲ୍ୟାଣ ପାଇଁ ସେ ସବୁବେଳେ ନୂଆ ନୂଆ ଯୋଜନା କରିଆସିଛନ୍ତି । ଆଜି ବିଶ୍ୱ ମତ୍ସ୍ୟ ଦିବସରେ ଏହି ଯୋଜନା ରାଜ୍ୟର ମତ୍ସ୍ୟ କ୍ଷେତ୍ରରେ ରୂପାନ୍ତର ଆଣିବାରେ ସହାୟକ ହେବ ବୋଲି ସେ କହିଥିଲେ । ଏହି ଯୋଜନାର ବିଭିନ୍ନ ଆଭିମୁଖ୍ୟ ସଂପର୍କରେ ଶ୍ରୀ ସ୍ୱାଇଁ ବିସ୍ତୃତ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ସମବାୟ ସଚିବ ଅରବିନ୍ଦ ଅଗ୍ରୱାଲ, କୃଷି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଓ ମତ୍ସ୍ୟଜୀବୀମାନେ ଅନ୍ଲାଇନ ଜରିଆରେ ଯୋଡି ହୋଇଥିଲେ ।ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ସ୍ୱାଗତ ଭାଷଣ ଦେଇଥିଲେ ଓ ମତ୍ସ୍ୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।