ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ପାଣି: ଧୀରେଧୀରେ ବଢିବାରେ ଲାଗିଛି ଜଳସ୍ତର

ଭୁବନେଶ୍ୱର, : ବନ୍ୟାଜଳ ପହଞ୍ଚିବା ପରେ ମହାନଦୀର ଜଳସ୍ତର ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ମୁଣ୍ଡଳିଦେଇ ୮୭ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ମୁଣ୍ଡଳିରେ ପହଞ୍ଚିଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଥିବା ମୁଣ୍ଡଳିରେ ପହଞ୍ଚିଛି । ବନ୍ୟାଜଳ ପହଞ୍ଚିବା ପରେ ମହାନଦୀର ଜଳସ୍ତର ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ମୁଣ୍ଡଳିଦେଇ ୮୭ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ବାଙ୍କୀର ଅନେକ ଅଞ୍ଚଳ ପ୍ରଭାବିତ ଆଶଙ୍କା କରାଯାଉଛି । ପାଣି ଆସିବା ଫଳରେ ବାଙ୍କୀର ତାଳବସ୍ତ, ଶିମିଳିପୁର ଓ ଆଠଗଡ଼ ପ୍ରଭାବିତ ହେବ । ତେବେ ମହାନଦୀର ତଳ ମୁଣ୍ଡରେ ଏବେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ଏପଟେ ମଙ୍ଗଳବାର ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷିବ । ଭୀଷଣ ବର୍ଷା ସହ ବଜ୍ରପାତ ପାଇଁ ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ପାଇଁ ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ଝାରସୁଡୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ହାଲୁକା ବର୍ଷା ସହ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବୁଧବାର ବେଳକୁ ବର୍ଷାର ପରିମାଣ ହ୍ରାସ ପାଇବ । ପ୍ରବଳ ବର୍ଷା ପାଇଁ କୋରାପୁଟ, ମାଲକାନଗିର, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ଯାଜପୁରରେ ସ୍ଥିତି ଖରାପ । ବୈତରଣୀ ନଦୀରେ ବନ୍ୟା ଜଳ ବୃଦ୍ଧି ପାଇଛି । ତେବେ ଲଗାଣ ବର୍ଷା ସାଂଗକୁ ନଦୀର ଜଳ ସ୍ତର ବୃଦ୍ଧି ସତ୍ତ୍ୱେ ବନ୍ୟା ପରିସ୍ଥିତି ଉପୁଜିନଥିବା ଏବଂ ପ୍ରଶାସନ ବନ୍ୟା ନିୟନ୍ତ୍ରଣ ଲାଗି ପ୍ରସ୍ତୁତ ଥିବା ଜିଲ୍ଲାପାଳ କହିଛନ୍ତି । ସେପଟେ ଯାଜପୁର ଦଶରଥପୁର ବ୍ଲକ ନିଜାମପୁର
ନୂଆପାଟଣା ନିକଟରେ ନଦୀ ପାଣି ମାଡରେ ୧୦ ଫୁଟରୁ ଉର୍ଦ୍ଧ୍ୱ ପଠା ଧସିଥିବା କାରଣରୁ ନଦୀ ବନ୍ଧ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା କରି ବଲହା ଓ ବାଲି ବସ୍ତା ଦେଇ ଅସ୍ଥାୟୀ ମରାମତି ସରିଛି । ନଦୀ ମଝିରେ ପୂର୍ତ୍ତ ବିଭାଗ ନବ ନିର୍ମିତ ସେତୁ ନିକଟରେ ପୋତା ଯାଇଥିବା ବଲହା ସହ ଥିବା ମାଟି ଦ୍ୱୀପରେ ପାଣି ମାଡ଼ ହେଉଥିବା କାରଣରୁ ନଦୀ ପଠାକୁ ପାଣି ଖାଉଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନ, ଜଳସମ୍ପଦ ବିଭାଗ, ପୂର୍ତ୍ତ ବିଭାଗର ଅଧିକାରୀମାନେ ସ୍ଥିତି ସମୀକ୍ଷା କରିଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩ ସ୍ଥାନରେ ଭୀଷଣ ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଚନ୍ଦୁଆରେ ସର୍ବାଧିକ ୧୧୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରରେ ୮୧.୦ ମି.ମି., ବାରିପଦାରେ ୭୨.୦ ମି.ମି., ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ୬୪.୦ ମି.ମି., ରାଜଘାଟରେ ୫୪.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦାରେ ୪୯.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ୪୮.୦ ମି.ମି., କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରରେ ୪୮.୦ ମି.ମି., ଦେବଗଡ଼ ଜିଲ୍ଲାର ଦେବଗଡ଼ରେ ୪୬.୦ ମି.ମି., ବରଗଡ଼ ଜିଲ୍ଲାର ଅତାବିରାରେ ୪୫.୦ ମି.ମି., ସମ୍ବଲପୁର ଜିଲ୍ଲାର ଧନକଉଡ଼ାରେ ୪୩.୨ ମି.ମି., ଭଦ୍ରକ ଜିଲ୍ଲାର ଧାମନଗରରେ ୪୨.୦ ମି.ମି. ଏବଂ ସମ୍ବଲପୁର ଜିଲ୍ଲାର ବୁର୍ଲାରେ ୪୧.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍‌ରୁ ଏହି ସୂଚନା ମିଳିଛି ।

Comments (0)
Add Comment