ମୋହନ ଦେଲେ ଭଦ୍ରକରେ ୨୭୫ କୋଟିର ଉପହାର

Mohan gave a gift of Rs. 275 crores to Bhadrak

ଭଦ୍ରକ, ୨ା୬ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭଦ୍ରକ ଜିଲ୍ଲାର ବାଲିଆପଡା ଠାରେ ପ୍ରାୟ ୨୭୫ କୋଟି ଟଙ୍କାର ସମୁଦାୟ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ସହିତ ଭଦ୍ରକରେ ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାପନା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବହୁ ଦିନରୁ ଦାବି ଥିବା ମେଡିକାଲ କଲେଜର ଭିତିପ୍ରସ୍ତର ସ୍ଥାପନ ଖୁବ ଶୀଘ୍ର ଏହି ଜିଲ୍ଲାରେ ହେବ ଏବଂ ଏହା ସହିତ ଆଇଓସିଏଲ ପକ୍ଷରୁ ଭଦ୍ରକରେ ଏକ ଟେକ୍ନିକାଲ ଟେକ୍ସଟାଇଲ କମ୍ପେ୍ଲକ୍ସ ଓ ଏମସିପିଆଇ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଗୋଟିଏ ଏଚଏମଏଲଏସ୍ ପଲିଷ୍ଟର ଉତ୍ପାଦନ କମ୍ପାନୀ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାସହିତ, ଭଦ୍ରକ ରେ ଥିବା ସମସ୍ତ ଶହୀଦ ପୀଠ ମାନଙ୍କର ସୌନ୍ଦର୍ଯ୍ୟକରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ଆମର ସରକାର କ୍ଷମତାକୁ ଆସିବା ପରେ ବିପ୍ଲବୀ ମାଟି ଭଦ୍ରକରେ ଆଜି ବିକାଶର ଗତି ତ୍ୱରାନ୍ୱିତ ହୋଇଛି । ଯେଉଁ ପ୍ରତିଶୃତି ଦେଇ ଆମେ ଲୋକଙ୍କ ସାହାଯ୍ୟ ଓ ସମର୍ଥନ ଲୋଡିଥିଲୁ, ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଆମେ ଗୋଟିଏ ମିନିଟ ବି ନଷ୍ଟ କରିନାହୁଁ । ଏହି ଭାବନାକୁ ମନରେ ରଖି ଗତ ପ୍ରାୟ ଏକବର୍ଷ ହେଲା ଆମ ସରକାର ଜନତାଙ୍କ ସେବାରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟରତ । ଆମ ସରକାର ଆସିବାର ପ୍ରଥମ ଦିନରୁ ହିଁ ଲୋକଙ୍କ ବିଶ୍ୱାସ ଓ ଭରସାକୁ ବଜାୟ ରଖି ଚାରିଗୋଟି ପ୍ରତିଶୃତିକୁ ପାଳନ କରିଥିଲୁ । ମାତ୍ର ୨୪ ମିନିଟରେ ସୁଭଦ୍ରା ଯୋଜନା, ଚାଷୀଭାଇ ଓ ଭଉଣୀଙ୍କୁ ଧାନ କିଣା ବାବଦକୁ କୁଇଂଟାଲ ପିଛା ଅଧିକ ୮୦୦ ଟଙ୍କା ପ୍ରଦାନ, ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲା ଏବଂ ପ୍ରଭୁଙ୍କ ସେବା ପୂଜା ପାଇଁ ୫୦୦ କୋଟି ତାଙ୍କର କର୍ପସ ଫଣ୍ଡ ପରି ନସ୍ତି ନେଇଥିଲୁ । ଏହି ୧୨ ମାସରେ ସରକାରର ସଫଳତାର ଫର୍ଦ୍ଦ ବହୁତ ଲମ୍ବା । ଏହାର ହିସାବ ଆମେ ଆସନ୍ତା ୧୨ ତାରିଖରେ ଜନତା ଜନାର୍ଦ୍ଦନଙ୍କୁ ଦେବୁ । ଜୀବନ ଜୈବିକା ରାଜ୍ୟର ବିକାଶ ପାଇଁ ଅପରିହାର୍ଜ୍ୟ । କୃଷି ଓ ଆନୁଷଙ୍ଗିକ କୃଷି ତଥା ଶିଳ୍ପର ବିକାଶ ମଧ୍ୟମରେ ରାଜ୍ୟର ପ୍ରତିଟି ନାଗରିକଙ୍କ ଆର୍ôଥକ ସ୍ଥିତିରେ ସୁଧାର ଆଣିବାକୁ ଆମର ଉଦ୍ୟମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିରୋଧୀ ଦଳ ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗୁଣାତ୍ମକ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଯେ କୌଣସି ସରକାରଙ୍କ ପ୍ରଥମ କର୍ତବ୍ୟ । ବିଶ୍ୱସ୍ତରୀୟ ସେବା ନାଁ ରେ ୨୪ ବର୍ଷର ଶାସନ କେବଳ ରଙ୍ଗମାରିବା ଏବଂ ନିଜର ବାଜା ବଜାଇବାରେ ଚାଲିଗଲା । କିନ୍ତୁ, ପ୍ରକୃତ ବିକାଶ ଏବେ ଆରମ୍ଭ ହୋଇଛି । ଆଗାମୀ କିଛି ବର୍ଷରେ ଓଡିଶାରେ ପ୍ରାଥମିକ ଶିକ୍ଷାର ଦଶା ଓ ଦିଶା ସଂପୂର୍ଣ୍ଣଭାବେ ବଦଳିବାକୁ ଯାଉଛି । ୫ଟିର ରଙ୍ଗମରା ଶିକ୍ଷା ନୁହେଁ, ବାସ୍ତବ ଅର୍ଥରେ ଓଡିଶାର ବିକାଶ ହେବ । ଆମ ସରକାର ଉତ୍କର୍ଷ ଓଡ଼ିଶାର ମାତ୍ର ୧୨୦ ଦିନରେ ୮୦ ହଜାର କୋଟିରୁ ବି ଅଧିକ ଟଙ୍କାର ପ୍ରକଳ୍ପ ପାଇଁ ଆରମ୍ଭ କରିଛନ୍ତି । ଏହା ବ୍ୟତୀତ ଗତ ୨୨ ତାରିଖରେ ୧୦ ଗୋଟି ପ୍ରକଳ୍ପ ୧ ଲକ୍ଷ ୬୫ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ରାଜ୍ୟ ସରକାର ଦ୍ୱାରା ଆରମ୍ଭ କରଯାଇଥିବା ଓଡିଶାର ଶିଳ୍ପ ବିପ୍ଲବ ପ୍ରତି ଜିଲ୍ଲାରେ ଶିଳ୍ପାୟନ କରିବ । ଓଡିଶାରେ ଏବେ ଯେଉଁ ଶିଳ୍ପ ବିପ୍ଲବ ଆରମ୍ଭ ହେବାକୁ ଯାଉଛି, ସେଥିରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଭଦ୍ରକ ଜିଲ୍ଲା ପାଇଁ ମଧ୍ୟ ରହିଛି । ଏହି ଦୁଇଟି ପ୍ରକଳ୍ପ ଭଦ୍ରକ ଟେକ୍ସଟାଇଲ ପାର୍କରେ ପ୍ରତିଷ୍ଠା କରାଯିବ । ଗୋଟିଏ ହେଲା ଆଇଓସିଏଲ ପକ୍ଷରୁ ଭଦ୍ରକରେ ୪,୩୭୭ କୋଟି ଟଙ୍କା ବିନିଯୋଗ ଏକ ଟେକ୍ନିକାଲ ଟେକ୍ସଟାଇଲ କମ୍ପେ୍ଲକ୍ସ ପ୍ରତିଷ୍ଠା କରାଯିବ ଏବଂ ଏହା ଦ୍ୱାରା ପ୍ରାୟ ୪୩୦୦ ଲୋକଙ୍କୁ ନିଯୁକ୍ତି ମିଳିବ । ଏହା ସହିତ ୨୨୨୩.୨୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ଏମସିପିଆଇ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟ ଭଦ୍ରକରେ ଗୋଟିଏ ଏଚଏମଏଲଏସ ପଲିଷ୍ଟର ଉତ୍ପାଦନ କମ୍ପାନୀ ପ୍ରତିଷ୍ଠା କରିବ । ଏହାଦ୍ୱାରା ୧୧୫୦ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ସେ କହିଥିଲେ । ସେ ପୁଣି କହିଥିଲେଯେ, ଭଦ୍ରକ ଜିଲ୍ଲାକୁ ମଧ୍ୟ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ପାଇଁ ଆମର ଉଦ୍ୟମ ଜାରି ରହିଛି । ଭଦ୍ରକ ଜିଲ୍ଲାର ସର୍ବାଙ୍ଗୀନ ବିକାଶ କରିବା ହେଉଛି ଆମର ପ୍ରାଥମିକତା । ଆଜି ଜିଲ୍ଲା ପାଇଁ ୨୭୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଜନକଲ୍ୟାଣକାରୀ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରାଗଲା । ଜିଲ୍ଲା ସଦର ମହକୁମା ଡାକ୍ତରଖାନା ସହିତ ଏଥିରେ ରାସ୍ତା, କ୍ରୀଡା ଭିତିଭୂମି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଲାଇବ୍ରେରୀ ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଏକ ପାର୍କ ନିର୍ମାଣ ପ୍ରକଳ୍ପ ରହିଛି । ଭଦ୍ରକ ଜିଲ୍ଲାବାସୀଙ୍କ ସେବାରେ ଏ ସବୁ ପ୍ରକଳ୍ପ ଗୁଡିକ ଉଦ୍ଦିଷ୍ଟ । ନିଜ ବକ୍ତବ୍ୟ ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ଆମେ ଏକ ‘ସମୃଦ୍ଧ ଓଡିଶା’ ଗଠନ କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ ଜାରି ରଖିଛୁ । ସମୃଦ୍ଧ ଓଡ଼ିଶାର ଅର୍ଥ ହେଲା ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ସମାବେଶୀ ବିକାଶ । ଆମେ ପ୍ରତିବଦ୍ଧତାର ସହିତ ଏ ଦିଗରେ ପ୍ରୟାସ ଆରମ୍ଭ କରିଛୁ । କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଭଦ୍ରକ ମାଟି ବୀରତ୍ୱର ମାଟି । ଲୋକଙ୍କ ବିଶ୍ୱାସ ଓ ଭରସାକୁ ବଜାୟ ରଖି ଆମ ସରକାର ଗୋଟିଏ ବର୍ଷ ଭିତରେ ଯେଉଁ ସବୁ କାର୍ଯ୍ୟ କରିଛନ୍ତି ଏବଂ କରୁଛନ୍ତି, ତାହା ଲୋକଙ୍କ ସରକାର ଙ୍କ ପ୍ରତିବଦ୍ଧତା ଦିଗରେ ସୂଚାଉଛି । ଏହି ଉନ୍ନତିମୂଳକ ପ୍ରକଳ୍ପ ସମସ୍ତ ଭଦ୍ରକବାସୀଙ୍କ ଦୃଢ଼ ସମର୍ଥନର ପ୍ରତିଫଳନ । ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବାସୁଦେବପୁର ବିଧାୟକ ଅଶୋକ ଦାସ, ସିମୁଳିଆ ବିଧାୟକପଦ୍ମଲୋଚନ ପଣ୍ଡା ଓ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଧନ୍ୟବାଦ ଦେଇଥିଲେ ।

Comments (0)
Add Comment