ରକ୍ତ ଦାନର ଗୁରୁତ୍ୱ ସଂପର୍କରେ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ସଚେତନତା ସୃଷ୍ଟି ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ

Governor stresses on creating awareness in higher educational institutions regarding the importance of blood donation

ଭୁବନେଶ୍ୱର, : ରକ୍ତ ଦାନର ଗୁରୁତ୍ୱ ସଂପର୍କରେ ଯୁବ ଗୋଷ୍ଠୀ ବିଶେଷ କରି ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଅଧିକ ସଚେତନତା ସୃଷ୍ଟି କରିବା ଉପରେ ରାଜ୍ୟପାଳ-ତଥା-ଭାରତୀୟ ରେଡକ୍ରସ ସୋସାଇଟି, ରାଜ୍ୟ ଶାଖାର ଅଧ୍ୟକ୍ଷ ଡ. ହରି ବାବୁ କମ୍ଭମ୍‌ପାଟି ଗୁରୁତ୍ୱାରୋପ କରିଛନ୍ତି । ଚଳିତ ଅଗଷ୍ଟ ୧୩ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଆୟୋଜିତ କାର୍ଯ୍ୟ ନିର୍ବାହୀ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଏପରି ଗୁରୁତ୍ୱାରୋପ କରିଛନ୍ତି । ବିଶେଷ କରି ଉଚ୍ଚ ଶିକ୍ଷାନୁଷ୍ଠାନରେ ଗୁରୁତ୍ୱପୂର୍ଣ୍ଣ ଅବସରରେ ବର୍ଷକୁ ୨ରୁ ୩ ଥର ରକ୍ତଦାନ ଶିବିର ଆୟୋଜନ କରିବା ଏବଂ ଏ ଦିଗରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ରକ୍ତଦାନ ଅଭିଯାନରେ ସାମିଲ କରିବା ନିମନ୍ତେ ସଚେତନତା ସୃଷ୍ଟି କରିବାକୁ ରାଜ୍ୟପାଳ କହିଥିଲେ । ନିଜ ଉଦ୍‌ବୋଧନରେ ରାଜ୍ୟପାଳ କହିଥିଲେ ଯେ ରକ୍ତଦାନ କରି କିପରି ଅନ୍ୟର ଜୀବନ ରକ୍ଷା କରାଯାଇପାରିବ ସେ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି । ରକ୍ତ ଦାନ ସଂପର୍କରେ ଏବେବି ଲୋକଙ୍କ ମନରେ ଭୁଲ ଧାରଣା ରହିଛି । ବ୍ୟାପକ ସଚେତନତା ସୃଷ୍ଟି ମାଧ୍ୟମରେ ଏପରି ଭ୍ରାନ୍ତ ଧାରଣା ଦୂର କରାଯାଇ ପାରିବ ବୋଲି ରାଜ୍ୟପାଳ କହିଥିଲେ । ରାଜ୍ୟରେ ଥାଲାସେମିଆ ଓ ସିକିଲ୍‌ ସେଲ ରୋଗର ସ୍ଥିତି ସଂର୍ପକରେ ସମୀକ୍ଷା କରି ରୋଗୀମାନଙ୍କୁ ସହଜରେ ରକ୍ତ ଉପଲବ୍ଧ କରିବା ପାଇଁ ଏବଂ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ପଚାରି ବୁଝିଥିଲେ । ରାଜ୍ୟପାଳ ଆହୁରି ମଧ୍ୟ କହିଥିଲେ ଯେ ଝିଅ ଓ ମହିଳାମାନଙ୍କ ମଧ୍ୟରେ କମ୍ ହିମୋଗ୍ଲୋବିନ ସ୍ତର ରକ୍ତଦାନ ଶିବିରରେ ସେମାନଙ୍କର କମ୍ ଅଂଶ ଗ୍ରହଣ ପଛରେ ପ୍ରମୁଖ କାରଣ ହୋଇଛି । ସ୍କୁଲ ପିଲାମାନଙ୍କ ମଧ୍ୟରେ ଦୃଷ୍ଟି ସମସ୍ୟା ବୃଦ୍ଧି ପାଉଥିବା ନେଇ ରାଜ୍ୟପାଳ ଚିନ୍ତା ପ୍ରକଟ କରି ଏହି ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ପଦକ୍ଷେପ ନେବା ପାଇଁ ଆହ୍ୱାନ ଜଣାଇଥିଲେ । ଏହି ବୈଠକରେ ଭାରତୀୟ ରେଡକ୍ରସ ସୋସାଇଟି, ରାଜ୍ୟ ଶାଖାର କାର୍ଯ୍ୟାବଳୀ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା । ଭାରତୀୟ ରେଡକ୍ରସ ସୋସାଇଟି, ରାଜ୍ୟ ଶାଖା ତରଫରୁ ସମୟୋଚିତ ଆର୍ଥିକ ରିପୋର୍ଟ ଦାଖଲ ପାଇଁ ସଂପୃକ୍ତ କର୍ମକର୍ତ୍ତାଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ରୂପା ରୋଶନ ସାହୁ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭାରତୀୟ ରେଡକ୍ରସ ସୋସାଇଟି, ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଷ ଚନ୍ଦ୍ର ପାତ୍ର କାର୍ଯ୍ୟସୂଚୀ ଅନୁଯାୟୀ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପଂଚାୟତିରାଜ ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଏତଦ୍‌ବ୍ୟତୀତ ବିଭିନ୍ନ ଜିଲ୍ଲାର ଅଧିକାରୀ ଆଭାସୀ ମାଧ୍ୟମରେ ଏହି ବୈଠକରେ ଅଂଶ ଗ୍ରହଣ କରିଥିଲେ ।

Comments (0)
Add Comment