ମୁମ୍ବାଇ, ୬ା୭ : ବଲିଉଡ଼ ଅଭିନେତା ରଣବୀର ସିଂହ ରବିବାର ତାଙ୍କ ୪୦ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଅଭିନେତା । ରଣବୀରଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର “ଧୁରନ୍ଧର’ର ଟିଜର ରବିବାର ରିଲିଜ୍ କରାଯାଇଛି । ଟିଜରରେ ରଣବୀର ସିଂହ ଦମଦାର ଲୁକରେ ନଜର ଆସିଛନ୍ତି । ଟିଜରରେ ତାଙ୍କ ଲୁକଠାରୁ ଆରମ୍ଭ କରି ଆକ୍ସନ୍ ପର୍ଯ୍ୟନ୍ତ, ସବୁକିଛି ବେଶ୍ ଆକର୍ଷଣୀୟ ଦେଖାଯାଉଛି । ଟିଜର ରିଲିଜ୍ ହେବାପରେ ପ୍ରଶଂସକମାନେ ରଣବୀରଙ୍କ ଫିଲ୍ମ ପାଇଁ ଆହୁରି ଅଧିକ ଉତ୍ସାହିତ ହୋଇଯାଇଛନ୍ତି । ୨ ମିନିଟ୍ ୩୯ ସେକେଣ୍ଡର ଏହି ଟିଜରଟି ଆର ମାଧବନଙ୍କ କଣ୍ଠ ସ୍ୱରରୁ ଆରମ୍ଭ ହେଉଛି । ଟିଜରରୁ ଜଣାପଡ଼ୁଛି ଯେ, ଫିଲ୍ମର କାହାଣୀ ଏକ ଗୁପ୍ତ ମିଶନ ଉପରେ ଆଧାରିତ । ଯେଉଁଥିରେ ରଣବୀର ସିଂହ ସମ୍ଭବତଃ ଜଣେ ଗୁପ୍ତ ଏଜେଣ୍ଟ ଭୂମିକାରେ ଅଭିନୟ କରିଛନ୍ତି । ଟିଜରରେ ଫିଲ୍ମର ଅନ୍ୟ କଳାକାରମାନେ ମଧ୍ୟ ନଜର ଆସିଛନ୍ତି । ଏଥିରେ ଆର ମାଧବନ, ଅକ୍ଷୟ ଖାନ୍ନା, ସଞ୍ଜୟ ଦତ୍ତ ଏବଂ ଅର୍ଜୁନ ରାମପାଲଙ୍କ ଝଲକ୍ ମଧ୍ୟ ଦେଖିବାକୁ ମିଳିଛି । ଟିଜରରେ ରଣବୀର ସିଂହଙ୍କ ଦମଦାର ଷ୍ଟାଇଲ୍ ବ୍ୟତୀତ ଯଦି କେହି ତାଙ୍କ ଲୁକ୍ ଦ୍ୱାରା ସଭିଙ୍କୁ ଚମକାଇ ଦେଇଛନ୍ତି, ସେ ହେଉଛନ୍ତି ଆର ମାଧବନ । ଟିଜରରେ ମାଧବନଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର । ସେ କୋଟ୍-ପ୍ୟାଣ୍ଟ ପିନ୍ଧି ଏବଂ ଚନ୍ଦା ଲୁକରେ ନଜର ଆସିଛନ୍ତି । ତାଙ୍କ ଲୁକ୍ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ମେଳ ଖାଉଛି । ଏହା ବ୍ୟତୀତ ଟିଜରରେ ଅକ୍ଷୟ ଖାନ୍ନାଙ୍କ ଲୁକ୍ ମଧ୍ୟ ବେଶ୍ ଦମଦାର ଦେଖାଯାଉଛି । “ଛାଭା’ରେ ଔରଙ୍ଗଜେବ ପରେ ଅକ୍ଷୟ ଖାନ୍ନା ପୁଣି ଥରେ ତାଙ୍କ ଲୁକରେ ଖୁବ୍ ପ୍ରଭାବିତ କରୁଛନ୍ତି ।