ରାଜ୍ୟରେ ଖୋଲିବ ୬୦ ପଞ୍ଚାୟତ ଲର୍ଣ୍ଣିଂ ସେଣ୍ଟର

60 panchayat learning centers will be opened in the state

ଭୁବନେଶ୍ୱର,୨୨ା୧୧ : ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ହେଉଛି ଗାଁର ସରକାର । ଓଡ଼ିଶାର ବିକାଶରେ ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସାରା ଦେଶକୁ ଓଡ଼ିଶା ଅନେକ କ୍ଷେତ୍ରରେ ମାର୍ଗଦର୍ଶନ କରୁଛି । ଏହାକୁ ଅଧିକ ସଙ୍ଗଠିତ କରିବା ସହ ପଞ୍ଚାୟତିରାଜ ବ୍ୟବସ୍ଥାର ରୂପାନ୍ତରଣ ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ଗ୍ରହଣ କରିବାକୁ ଯାଉଛନ୍ତି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପଞ୍ଚାୟତିରାଜ ବ୍ୟବସ୍ଥାରେ ରୂପାନ୍ତରଣ ସୁନିଶ୍ଚିତ ଲକ୍ଷ୍ୟରେ ୫-ଟି ଉପକ୍ରମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଟେକ୍ନୋଲୋଜିକ (ବୈଷୟିକ ଜ୍ଞାନ କୌଶଳ)କୁ ପ୍ରୟୋଗ କରିବାକୁ ଯାଉଛନ୍ତି ସରକାର । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ ଜିଲ୍ଲାର ୬୦ଟି ପଞ୍ଚାୟତରେ ପ୍ରୟୋଗାତ୍ମକ ଭାବରେ ଲର୍ଣ୍ଣିଂ ସେଣ୍ଟର ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛ । । ଏହି ଲର୍ଣ୍ଣିଂ ସେଣ୍ଟର ଏକ ଜ୍ଞାନ ସମ୍ବଳିତ କେନ୍ଦ୍ର ଭାବେ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କର ଦକ୍ଷତା ବୃଦ୍ଧିରେ ସହଯୋଗ କରିବ । ସେହିପରି ପଞ୍ଚାୟତଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାର ଲକ୍ଷ୍ୟ ନେଇ ଲୋକାଲ ଚାମ୍ପିଅନ୍‌ ଟ୍ରେନିଂ ପ୍ରୋଗ୍ରାମ ଆରମ୍ଭ କରାଯିବ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ ପୂର୍ବକ ଏହି କାର୍ଯ୍ୟକ୍ରମର ପରିଚାଳନା କରାଯିବ । ସେହିପରି ଅନୁସୂଚିତ ଅଞ୍ଚଳର ୭୦ଟି ବ୍ଲକରେ ସାଟେଲାଇଟ୍‌ ଇଣ୍ଟେରାକ୍ଟିଭ୍‌ ଟର୍ମିନାଲ ସ୍ଥାପନ କରାଯାଇ ଦୂର ଶିକ୍ଷା ଯୋଗାଯୋଗ ବ୍ୟବସ୍ଥା କରାଯିବ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ (ଏସ୍‌ଆଇଆରଡି)ରେ ଅତ୍ୟାଧୁନିକ ଭିତ୍ତିଭୂମି ସୃଷ୍ଟି କରାଯିବ । ଏଥିରେ ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ, ୨୫୦ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷ ଓ ସାଟେଲାଇଟ୍‌ ଆଧାରିତ ଷ୍ଟୁଡିଓ ସ୍ଥାପନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ଦିନକ ିନ ପଞ୍ଚାୟତିରାଜ ଅନୁଷ୍ଠାନର ଗୁରୁତ୍ୱ ବୃଦ୍ଧି ପାଉଥିବା ବେଳେ ଗ୍ରାମାଞ୍ଚର ବିକାଶରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛି । ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜ ଲକ୍ଷ୍ୟ ହାସଲ କରିବା ଦିଗରେ ଓଡ଼ିଶା ଅନେକାଂଶରେ ସଫଳ ହୋଇଛି । ତେବେ ପଞ୍ଚାୟତିରାଜ ଅନୁଷ୍ଠାନ ଉପରେ କାର୍ଯ୍ୟଭାର ବହୁଥିବା ବେଳେ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଏକାନ୍ତ ଆବଶ୍ୟକ ହୋଇପଡ଼ିଛି । ଏହି ଲକ୍ଷ୍ୟ ନେଇ ପଞ୍ଚାୟତିରାଜ ବିଭାଗ ଲର୍ଣ୍ଣିଂ ସେଣ୍ଟର ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେଇଛି । ଗୋଟିଏ ଲର୍ଣ୍ଣିଂ ସେଣ୍ଟରରେ ଏକାଧିକ ପଞ୍ଚାୟତର କର୍ମକର୍ତ୍ତା ପ୍ରଶିକ୍ଷଣ ନେବେ । ବୈଷୟିକ କୌଶଳ, ପ୍ରଯୁକ୍ତି ବିଦ୍ୟା ତଥା ଅନ୍ୟ ପ୍ରସଙ୍ଗରେ ପ୍ରଶିକ୍ଷଣ ଦିଆଯିବ । ପଞ୍ଚାୟତ ଉପରେ ବଢ଼ୁଥିବା କାର୍ଯ୍ୟଭାର ଯେପରି ସଫଳ ରୂପେ ସମ୍ପାଦନ ହେବ ଏବଂ ଜାତୀୟ ସ୍ତରରେ ଆମର ପଞ୍ଚାୟତିରାଜ ଅନୁଷ୍ଠାନ ଆହୁରି ଭଲ ପ୍ରଦର୍ଶନ କରିବେ ତାହା ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ । ଜାତୀୟସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ମାସ ତଳେ ବିପୁଳ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଜାତୀୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପଞ୍ଚାୟତିରାଜ ସଂସ୍ଥାକୁ କେନ୍ଦ୍ର ସରକାରଙ୍କ ପୁରସ୍କାର ରାଶିର ୬ ଗୁଣ ଅଧିକ ପ୍ରୋତ୍ସାହନ ରାଶି ଏବଂ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପଞ୍ଚାୟତିରାଜ
ଅନୁଷ୍ଠାନକୁ ରାଜ୍ୟ ସରକାର ଯଥାକ୍ରମେ ୩ ଗୁଣ ଏବଂ ୨ ଗୁଣ ଅଧିକ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହି ପ୍ରୋତ୍ସାହନ ବ୍ୟବସ୍ଥା ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କ ମଧ୍ୟରେ ବିକାଶ ପାଇଁ ଏକ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି କରିବ । ଏପରିସ୍ଥଳେ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସରକାରଙ୍କ ଉଦ୍ୟମ ରାଜ୍ୟର ପଞ୍ଚାୟତ ରୂପାନ୍ତରଣ ଅଭିଯାନକୁ ବଳ ଯୋଗାଇବ ବୋଲି କୁହାଯାଇଛି ।

#bhubaneswar#dumanikhabar#latestnews#localnews#news#odisha
Comments (0)
Add Comment