ରେଲୱେ ଟ୍ରାକ ଉଡ଼ାଇଲେ ମାଓବାଦୀ, ଆଇଡି ବିସ୍ପୋରଣରେ ଜଣେ ମୃତ

Maoists blow up railway tracks, one killed in ID blast

କୋଇଡା, : ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ବିମଳାଗଡ଼ ରେଳ ସେକ୍ସନର କରମପଦା ଓ ରେଞ୍ଜଡ଼ା ମଧ୍ୟରେ ଥିବା ରେଲୱେ ଟ୍ରାକରେ ଆଇଡି ବିସ୍ପୋରଣ ଘଟାଇ ନିଜର ଉପସ୍ଥିତି ଜାହିର କରିଛି ମାଓ ସଂଗଠନ ଓ ମାଓବାଦୀଙ୍କ ସହିଦ ସପ୍ତାହ ପାଳନର ଅନ୍ତିମ ଦିନରେ ଲ୍ୟାଣ୍ଡମାଇନ ବିସ୍ପୋରଣ ଘଟାଇଛି ମାଓ ସଂଗଠନ । ମିଳିଥିବା ସୂଚନା ଅନୁଯାଇ ଶନିବାର ବିଳମ୍ବିତ ରାତିରେ ମାଓବାଦୀ ଏହି ଘଟଣା ଘଟାଇଥିବା ଅନୁମାନ କରାଯାଉଛି । ସମ୍ପୃକ୍ତ ଟ୍ରାକରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ଓ ଘଟଣା ସ୍ଥଳରେ ଓଡିଶା ଓ ଝାରଖଣ୍ଡ ପୋଲିସ ପହଂଚି ତଦନ୍ତ ଜାରି ରଖିଛନ୍ତି । ଏହି ଆଇଡି ବିସ୍ପୋରଣରେ ରେଳ ବିଭାଗର କର୍ମଚାରୀ କିମ୍ୟାନ ଇତୁଆ ଓରାମଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ବୁଧୁରାମ ମୁଣ୍ଡାଙ୍କୁ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ବିଗତ କିଛି ଦିନ ପୂର୍ବରୁ ଏହି ଅଂଚଳରୁ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଲୁଟ କରିଥିଲେ ମାଓବାଦୀ ଏବଂ ବେଶ କିଛି ଦିନର କୁମ୍ବିଂ ଅପରେସନ ପରେ ଅଧିକାଂଶ ପରିମାଣର ବିସ୍ପୋରକ ସାମଗ୍ରୀ ଉଦ୍ଧାର ହେବା ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ଅପରାଧୀଙ୍କୁ ପୋଲିସ ଗିରଫ କରିଥିଲା ଓ କିଛି ଦିନ ପୂର୍ବରୁ ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀଙ୍କ ଦ୍ୱାରା କୁମ୍ବିଂ ଅପରେସନ ଚାଲିଥିବା ସମୟରେ ମାଟି ତଳେ ପୋତା ଯାଇଥିବା ତିରିଶ ଲକ୍ଷ ଟଙ୍କା ସୁରକ୍ଷା ବାହିନୀଙ୍କ ଦ୍ୱାରା ଉଦ୍ଧାର କରାଯାଇଥିଲା । କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ମାଓ ମୁକ୍ତ ଭାରତ ଘୋଷଣା କରିବାକୁ କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ ମାଓବାଦୀଙ୍କ ଦ୍ୱାରା ସଂଗଠିତ ଏହି ବର୍ବରକାଣ୍ଡ ଅଂଚଳରେ ନିଜର ଉପସ୍ଥିତ ଜାହିର କରିବା ସହିତ ସରକାର ଓ ଓଡିଶା, ଝାରଖଣ୍ଡ ପୋଲିସ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Comments (0)
Add Comment