ସବୁ ବିଦ୍ୟାଳୟରେ ହେବ ଯୋଗ ଦିବସ

ଭୁବନେଶ୍ୱର, : ଆସନ୍ତା ୨୧ ତାରିଖରେ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ । ଚଳିତବର୍ଷର ବିଷୟବସ୍ତୁ ରହିଛି \”ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ\’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚଳିତବର୍ଷ ଐତିହାସିକ ଯୋଗ ସଙ୍ଗମ (ଗଣ ଯୋଗ ପ୍ରଦର୍ଶନ) ସକାଳ ସାଢ଼େ ୬ଟାରୁ ୭ଟା ୪୫ ମିନିଟ ପର୍ଯ୍ୟନ୍ତ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ସୁସ୍ଥ ଜୀବନ ପାଇଁ ଯୋଗର ଲାଭ ସମ୍ପର୍କରେ ପିଲାମାନେ ଜାଣିବା ଉଦ୍ଦେଶ୍ୟରେ ଏଥର ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏନେଇ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯିବା ପରେ ରାଜ୍ୟରେ ବିଦ୍ୟାଳୟସ୍ତରରେ ଯୋଗ ଦିବସ ପାଳନ ପାଇଁ ତତ୍ପରତା ପ୍ରକାଶ ପାଇଛି । ଏ ସମ୍ପର୍କରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ପତ୍ର ଜରିଆରେ ଅବଗତ କରିଛନ୍ତି । ଆନ୍ତର୍ଜାତିକ ଯୋଗ ଦିବସ ପୋର୍ଟାଲରେ ଆୟୋଜକ ଭାବେ ବିଦ୍ୟାଳୟର ପଞ୍ଜୀକରଣ କରିବାକୁ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କୁହାଯିବ । ବିଦ୍ୟାଳୟଗୁଡ଼ିକରେ ସକାଳ ସାଢ଼େ ୬ଟାରୁ ୭ଟା ୪୫ ମିନିଟ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଯୋଗ ଅଧିବେଶନ ଅନୁଷ୍ଠିତ ହେବ । ଏଥିରେ ଶିକ୍ଷାର୍ଥୀଙ୍କୁ ଯୋଗଦେବା ପାଇଁ ଉତ୍ସାହିତ କରାଯିବ । ଆୟୁଷ ମନ୍ତ୍ରଣାଳୟର ଏକକ ଯୋଗ ପ୍ରୋଟୋକଲକୁ ଅନୁକରଣ
କରାଯିବ । ଏହା ମନ୍ତ୍ରଣାଳୟର ଆନ୍ତର୍ଜାତିକ ଯୋଗ ଦିବସ ପୋର୍ଟାଲରେ ୨୨ଟି ଭାରତୀୟ ଭାଷାରେ ଉପଲବ୍ଧ । ୨୧ ତାରିଖ ଦିନ ୨ଟା ସୁଦ୍ଧା ଯୋଗ ଦିବସରେ ସାମିଲ ଜିଲାୱାରୀ ବିଦ୍ୟାଳୟ/ ଶିକ୍ଷାନୁଷ୍ଠାନ/ଛାତ୍ରଛାତ୍ରୀ/ଶିକ୍ଷକଶିକ୍ଷୟିତ୍ରୀ/ଅଭିଭାବକ ସମ୍ପର୍କରେ ରାଜ୍ୟ ପ୍ରକଳ୍ପ କାର୍ଯ୍ୟାଳୟକୁ ଜଣାଯିବ ।

Comments (0)
Add Comment