ପୁରୀ, ୭ା୭ : ପରମ୍ପରା ଅନୁଯାୟୀ ଦ୍ୱାଦଶୀ ତିଥିରେ ରଥ ଉପରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ଅଧର ନୀତି । ଭକ୍ତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳ ହୁଳି ଧ୍ୱନିରେ ମଧ୍ୟରେ ସମ୍ପନ୍ନ ହୋଇଥିଲା ମହାପ୍ରଭୁଙ୍କ ଏହି ଦୁର୍ଲଭ ନୀତି । ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତିନିଟି ଲେଖାଏଁ ଅଧର ହାଣ୍ଡି ଭୋଗ ହେବା ପରେ ପାଶ୍ୱର୍ ଦେବଦେବୀ ଓ ଆଶରୀରୀଙ୍କ ଉଦ୍ଦେଶ୍ୟରେ ସେଗୁଡିକୁ ଭାଙ୍ଗି ଦିଆଯାଇଥିଲା । ମଙ୍ଗଳବାର ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ନୀତି ସମ୍ପନ୍ନ ହେବ । ସୋମବାର ରାତିରେ ବଡ଼ସିଂହାର ଭୋଗ, ମଇଲମ, ମହାସ୍ନାନ ପୂଜା, ସର୍ବାଙ୍ଗ, ବଡ଼ ସିଂହାର ବେଶ ଓ ବଡ ସିଂହାର ଭୋଗ ପରେ ଭୋର ୫ଟାରେ ଶୟନ ଠାକୁର ବିଜେ କରିଥିଲେ । ହରି ଶୟନ ନୀତି ଓ ବେଶ ପରେ ଭୋର ୫ଟା ୧୫ରେ ରଥ ଉପରେ ଶ୍ରୀଜିଉଙ୍କ ରାତି ପହୁଡ ହୋଇଥିଲା । ମଙ୍ଗଳବାର ସକାଳ ୭ଟା ୨୦ ମଧ୍ୟରେ ତିନି ରଥରେ ହୋଇଥିଲା ଶ୍ରୀଜିଉମାନଙ୍କ ମଙ୍ଗଳ ଆଳତି । ତିନି ରଥରେ ଶ୍ରୀଜିଉଙ୍କ ମଇଲମ, ତଡ଼ପ ଲାଗି ଓ ଅବକାଶ ଆଦି ନିତୀ ପରେ ୧୦ଟା ୧୫ ସୁଦ୍ଧା ଗୋପାଳବଲ୍ଲଭ, ଦିନ ଗୋଟାଏ ୫ ସୁଦ୍ଧା ସକାଳ ଧୂପ ଶେଷହୋଇଥିଲା । ଅନ୍ୟ ନୀତି ପରେ ଦିନ ୩ଟା ୪୫ ସୁଦ୍ଧା ଶେଷ ହୋଇଥିଲା ଶ୍ରୀଜିଉମାନଙ୍କ ମଧ୍ୟାହ୍ନ ଧୂପ । ପୂର୍ବରୁ ପ୍ରସ୍ତୁତ ହୋଇଥିବ ୯ଟି ଅଧର ହାଣ୍ଡିକୁ ପ୍ରତି ରଥରେ ୩ଟି ଲେଖାଏଁ ମହାପ୍ରଭୁଙ୍କ ସମ୍ମୁଖରେ ରଖାଯାଇଥିଲା । ପଣିଆ ଆପଟ ସେବକ ସିଂହଦ୍ୱାର ନିକଟସ୍ଥ ଛାଉଣୀ ମଠରୁ ପାଣି ଆଣିଥିଲେ । ସୂପକାର ସେବକ କ୍ଷୀର, ଛେନା, କଦଳୀ ଓ ଚିନି ପ୍ରଭୁତିକୁ ମିଶାଇ ପ୍ରସ୍ତୁତ କରିଥିଲେ ପଣା । ସୁଆର ବଡୁ, ପତ୍ରୀ ବଡୁ ଓ ପାଳିଆ ସେବକ ସେମାନଙ୍କୁ ସହାୟତା କରିଥିଲେ । ପୂଜାପଣ୍ଡା ପଞ୍ଚୋପ·ରରେ ପୂଜା କରିବା ପରେ ଅଧର ହାଣ୍ଡି ଗୁଡ଼ିକୁ ପାଶ୍ୱର୍ ଦେବଦେବୀ ଓ ଆଶରୀରୀଙ୍କ ଉଦ୍ଦେଶ୍ୟରେ ଭାଙ୍ଗି ଦିଆଯାଇଥିଲା । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।