ସିଏସକେ ସହ ନିଜର ଭବିଷ୍ୟତକୁ ନେଇ ସୂଚନା ଦେଲେ ଧୋନି

Dhoni gives information about his future with CSK

ନୂଆଦିଲ୍ଲୀ, : ଆଇପିଏଲରେ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ଅନେକ ଆଲୋଚନା ଓ ଚର୍ଚ୍ଚା ଚାଲିଛି । ଆଗାମୀ ଆଇପିଏଲରେ ଧୋନି ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିବେ କି ନାହିଁ, ତା\’କୁ ନେଇ ସସପେନ୍ସ ଲାଗି ରହିଛି । ୨୦୨୫ ଆଇପିଏଲରେ ସିଏସକେର ଅଧିନାୟକ ଋତୁରାଜ ଗାଏକ୍ୱାଡ ଆହତ ହେବାରୁ ଧୋନି ପୁଣି ଦଳର କମାଣ ସମ୍ଭାଳିଥିଲେ । କିନ୍ତୁ ପୂରା ସଂସ୍କରଣରେ ଧୋନିଙ୍କ ଆଇପିଏଲ ଅବସରକୁ ନେଇ ବେଶ ବିତର୍କ ହୋଇଥିଲା । ଅବସର ଚର୍ଚ୍ଚା ଜୋର ଧରିଥିବା ବେଳେ ଧୋନି କିମ୍ବା ସିଏସକେ ପକ୍ଷରୁ ଏନେଇ ଏଯାଏ କୌଣସି ଘୋଷଣା କରାଯାଇ ନାହିଁ । ଧୋନି ନିଜର ଭବିଷ୍ୟତ ଯୋଜନାକୁ ଅତ୍ୟନ୍ତ ଗୋପନ ରଖିଛନ୍ତି । ନିକଟରେ ଭେଟରାନ କ୍ରିକେଟର ଧୋନିଙ୍କୁ
ସିଏସକେରେ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ କରାଯାଇଥିଲା । ପ୍ରଶ୍ନ ଶୁଣିବା ପରେ ଧୋନି ବଡ଼ ସୂଚନା ଦେଇଛନ୍ତି । ହେଲେ ନିଜର ଭବିଷ୍ୟତ ଯୋଜନା ଉପରୁ ପରଦା ହଟାଇ ନାହାନ୍ତି । ସେ କହିଛନ୍ତି, ମୁଁ ସବୁବେଳେ କହି ଆସିଛି ଯେ ଭବିଷ୍ୟତର ନିଷ୍ପତ୍ତି ନେବା ପାଇଁ ମୋ ପାଖରେ ବହୁତ ସମୟ ରହିଛି । କିନ୍ତୁ ଆପଣ ଯଦି ହଳଦିଆ ଜର୍ସିରେ ଆସିବା କଥା ପଚାରିବେ, ତା\’ହେଲେ ମୁଁ ସବୁବେଳେ ହଳଦିଆ ଜର୍ସିରେ ରହିବି । ଖେଳେ କି ନ ଖେଳେ, ସେଇଟା ଭିନ୍ନ କଥା । ମୁଁ ଓ ସିଏସକେ ସବୁବେଳେ ଏକାଠି । ଏପରି କି ଆଗାମୀ ୧୫ରୁ ୨୦ ବର୍ଷ ଆମେ ଏକାଠି ରହିବୁ । ମୋର ଆଶା ଆଗାମୀ ୧୫ରୁ ୨୦ ବର୍ଷ ମୁଁ ଖେଳିବି ବୋଲି ସେମାନେ ଭାବିବେ ନାହିଁ । ଏହାଶୁଣି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକମାନେ ବିଶେଷ କରି ସିଏସକେ ଫ୍ୟାନ୍ସ ବେଶ ଉତ୍ସାହିତ ହୋଇ ପଡ଼ିଥିଲେ । ଆଇପିଏଲର ପ୍ରଥମ ସଂସ୍କରଣ ଅର୍ଥାତ ୨୦୦୮ରୁ ଧୋନି ସିଏସକେ ସହ ରହିଛନ୍ତି । ତାଙ୍କ କ୍ୟାପ୍ଟେନ୍ସିରେ ଚେନ୍ନାଇ ୫ ଥର ଆଇପିଏଲ ଟ୍ରଫି ଜିତିଛି । ଧୋନି ଚେନ୍ନାଇ ସହ ସୃଷ୍ଟି ହୋଇଥିବା ନିବିଡ଼ତା ସମ୍ପର୍କରେ ମଧ୍ୟ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ମୁଁ ଭାବୁଛି ବର୍ଷ ବିତିବା ସହ ସମ୍ପର୍କ ଆହୁରି ନିବିଡ଼ ହୋଇଛି । ଏହା ମୋତେ ଜଣେ ବ୍ୟକ୍ତି ହେବାରେ ଗଢି ତୋଳିବାରେ ସହାୟତା କରିଛି । ଏହା ମୋତେ ଜଣେ କ୍ରିକେଟର ହିସାବରେ ଆଗକୁ ଯିବା ପାଇଁ ପ୍ରେରଣା ଦେଇଛି । ମୁଁ ଭାବୁଛି ଏହା ଚେନ୍ନାଇ ପାଇଁ ଭଲ । ଏହା ଆଜି ମୋ ପାଇଁ ମଧ୍ୟ ଭଲ । ୨୦୨୫ ଆଇପିଏଲରେ ଚେନ୍ନାଇ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହି ନିଜର ଅଭିଯାନ ଶେଷ କରିଥିଲା । ଏ ସମ୍ପର୍କରେ ଧୋନି କହିଛନ୍ତି, ହଁ, ବିଗତ କିଛି ବର୍ଷ ଆମ ପାଇଁ ଭଲ ଯାଇ ନାହିଁ । ଆମେ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରି ନାହୁଁ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆମେ ଶିଖିବାକୁ ଚେଷ୍ଟା କରିଛୁ । ହଁ, ଆମ ପାଇଁ ଗୋଟିଏ ଖରାପ ସଂସ୍କରଣ ଥିଲା । କିନ୍ତୁ କ\’ଣ ଭୁଲ ହେଲା? ଏହି ପ୍ରଶ୍ନ ଆମ ପାଇଁ ଗତବର୍ଷ ଥିଲା ।

Comments (0)
Add Comment