ନୂଆଦିଲ୍ଲୀ, : ଉପରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଛନ୍ତି ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ସିପିରାଧାକ୍ରିଷ୍ଣନ । ମଙ୍ଗଳବାର ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ସେ ବିରୋଧୀ ମେଣ୍ଟ ଇଣ୍ଡିଆର ପ୍ରାର୍ଥୀ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ରୁ ଅଧିକ ଖଣ୍ଡ ଭୋଟରେ ହରାଇ ଦେଇଛନ୍ତି । ସିକ୍ରେଟ ବାଲଟରେ ହୋଇଥିବା ଭୋଟିଂରେ ସିପି ରାଧାକ୍ରିଷ୍ଣନଙ୍କୁ ୪୫୨ ଖଣ୍ଡ ଭୋଟ ମିଳିଛି । ସେହିପରି ଜଷ୍ଟିସ ରେଡ୍ଡୀ ୩୦୦ ଖଣ୍ଡ ଭୋଟ ପାଇଛନ୍ତି । ୧୫ଜଣ ସାଂସଦଙ୍କ ଭୋଟ ନାକଚ ହୋଇଥିବା ରିଟର୍ଣ୍ଣିଂ ଅଫିସର ତଥା ରାଜ୍ୟସଭା ମହାସଚିବ ପିସି ମୋଦି ଘୋଷଣା କରିଛନ୍ତି । ସିପି ରାଧାକ୍ରିଷ୍ଣନ ବିଜୟ ହୋଇଥିବାରୁ ସେ ଦେଶର ପରବର୍ତ୍ତୀ ଉପ ରାଷ୍ଟ୍ରପତି ଭାବେ ଶପଥ ନେବେ । ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ୧୦ଟାରୁ ଭୋଟିଂ ଆରମ୍ଭ ହୋଇଥିଲା । ପ୍ରଥମ ଭୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିଲେ । ଏହାପରେ ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଧାଡ଼ିରେ ଆସି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ପାଇଁ ଭୋଟିଂ କରିଥିଲେ । ଉପ ରାଷ୍ଟ୍ରପତି ନିର୍ବାଚନରେ ୯୮% ଭୋଟିଂ ହୋଇଥିଲା । ଉଭୟ ଗୃହର ସାଂସଦଙ୍କ ସଂଖ୍ୟା ୭୮୮ ରହିଥିବା ବେଳେ ଏବେ ୭ଟି ଆସନ ଖାଲି ପଡ଼ିଛି । ୭୮୧ ବୈଧ ଭୋଟ ମଧ୍ୟରୁ ୧୩ ଜଣ ସାଂସଦ ଭୋଟ ଦେଇ ନଥିଲେ । ବିଆରଏସର ୪ ଜଣ, ବିଜେଡିର ୭ ଜଣ, ଅକାଳୀ ଦଳ ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ଉପ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇ ନାହାନ୍ତି । ମୋଟ ୭୬୭ ଜଣ ସାଂସଦ ଭୋଟ ଦେଇଥିଲେ । ଏହା ମଧ୍ୟରୁ ୭୫୨ ବୈଧ ଓ ୧୫ଟିକୁ ନାକଚ କରାଯାଇଥିଲା । ବିଜେପି ନେତୃତ୍ୱାଧୀନ ଏନଡିଏର ୪୨୭ଜଣ ସାଂସଦ ଭୋଟ ଦେଇଛନ୍ତି । ସେହିପରି ବରୋଧୀ ମେଣ୍ଟର ସମସ୍ତ ୩୧୫ ଜଣ ସାଂସଦ ଭୋଟ ଦେଇଥିବା କଂଗ୍ରେସ ନେତା ଜୟ ରାମ ରମେଶ କହିଥିଲେ । ହେଲେ ବିରୋଧୀ ମେଣ୍ଟର ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀଙ୍କୁ ପ୍ରଥମ ପସନ୍ଦର ଉପ ରାଷ୍ଟ୍ରପତି ଭାବେ ୩୦୦ ଖଣ୍ଡ ଭୋଟ ମିଳିଛି । ଅର୍ଥାତ ୧୫ ଖଣ୍ଡ ଭୋଟ ମିଳିନାହିଁ । ଯେଉଁ ୧୫ ଖଣ୍ଡ ଭୋଟ ନାକଚ ହୋଇଛି, ସମ୍ଭବତଃ ତାହା ବିରୋଧୀ ସାଂସଦଙ୍କର ବୋଲି କୁହାଯାଉଛି । ପୂର୍ବ ଗଣତି ହିସାବରେ ଏନଡିଏ ପ୍ରାର୍ଥୀ ଅଧିକ ଭୋଟ ପାଇଛନ୍ତି । ଏନଡିଏ ପାଖରେ ୪୨୭ ଜଣ ସାଂସଦ ଉଭୟ ସଦନରେ ଥିବା ବେଳେ ଏହା ଠାରୁ ଅଧିକ ସମର୍ଥନ ପାଇଛନ୍ତି ସିପି ରାଧାକ୍ରିଷ୍ଣନ । ଅର୍ଥାତ ଆନ୍ଧ୍ର ପ୍ରଦେଶର ୱାଇଏସ୍ଆର କଂଗ୍ରେସର କିଛି ସାଂସଦ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । ରାଜ୍ୟସଭାରେ ଦଳର ୭ଜଣ ଓ ଲୋକସଭାରେ ୪ଜଣ ସଦସ୍ୟ ରହିଛନ୍ତି । ସେମାନେ ସମସ୍ତେ ସମ୍ଭବତଃ ସିପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରିଛନ୍ତି । ସେହିପରି ରାଜ୍ୟସଭାରେ ଥିବା ଆପର ବିଦ୍ରୋହୀ ସାଂସଦ ସ୍ୱାତୀ ମାଲିୱାଲ ମଙ୍ଗଳବାର ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା କୁହାଯାଉଛି । ଲୋକସଭାରେ ଥିବା ୭ ସ୍ୱାଧୀନ ସାଂସଦଙ୍କ ମଧ୍ୟରୁ ଜଣେ ଭୋଟିଂରୁ ଦୂରେଇ ରହିଥିଲେ । ବାକି ୬ ଜଣଙ୍କ ଭୂମିକା ଉପରେ ସମସ୍ତ ନଜର ରହିଥିଲା । ସେମାନେ ମଧ୍ୟ ଏନଡିଏକୁ ସମର୍ଥନ ଦେଇଛନ୍ତି । ଜେଡପିଏମ ମିଜୋରାମ)ର ମଧ୍ୟ ଜଣେ ସାଂସଦ ବି ସିପି ରାଧାକ୍ରିଷ୍ଣନଙ୍କୁ ଭୋଟ ଦେଇଥିବା ଣାପଡ଼ିଛି । ଏଥିଯୋଗୁ ସିପି ରାଧାକ୍ରିଷ୍ଣ ମୋଟ ୪୫୨ ଖଣ୍ଡ ଭୋଟ ପାଇଛନ୍ତି । ତେବେ ଏହା ୩ ବର୍ଷ ତଳେ ଧନଖଡ଼ ହାସଲ କରିଥିବା ୫୨୮ଟି ଭୋଟରୁ କମ । ତେବେ ଚନ୍ଦ୍ରପୁରମ ପୋନ୍ନୁସ୍ୱାମୀ ରାଧାକ୍ରିଷ୍ଣନ ବା ସିପି ରାଧାକ୍ରିଷ୍ଣନ ୧୯୫୭ ମସିହା ଅକ୍ଟୋବର ୨୦ ତାରିଖରେ ତାମିଲନାଡୁର ତିରୁପ୍ପୁରରେ ଜନ୍ମ ହୋଇଥିଲେ । ୧୬ ବର୍ଷ ବୟସରୁ ସେ ଆରଏସ୍ଏସ୍ ଓ ଜନସଂଘ ସହ ଜଡ଼ିତ ହୋଇଥିଲେ । ତାଙ୍କର ଦୀର୍ଘ ରାଜନୀତିକ କ୍ୟାରିୟରରେ ସେ ଅନେକ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି । ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ତାମିଲନାଡୁ ବିଜେପିର ସଭାପତି ଭାବେ କାର୍ଯ୍ୟ କରିଥିଲେ ସିପି ରାଧାକ୍ରିଷ୍ଣନ । ତା\’ପୂର୍ବରୁ ୧୯୯୮ ଓ ୧୯୯୯ରେ ସେ ଦୁଇ ଥର ତାମିଲନାଡୁର କୋଏମ୍ବାଟୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୪ ଜୁଲାଇ ୩୧ ତାରିଖରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ସିପି ରାଧାକ୍ରିଷ୍ଣନ । ତା\’ପୂର୍ବରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ । ୨୦୨୩ ଫେବ୍ରୁଆରୀ ୧୮ରୁ ୨୦୨୪ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ସେ ଝାଡ଼ଖଣ୍ଡର ରାଜ୍ୟପାଳ ରହିଥିଲେ । ୨୦୨୪ ମାର୍ଚ୍ଚରୁ ଜୁଲାଇ ମାସ ପର୍ଯ୍ୟନ୍ତ ସେ ତେଲଙ୍ଗାନାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ । ସେହିଭଳି ୨୦୨୪ ମାର୍ଚ୍ଚରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସେ ପୁଡୁଚେରୀର ଉପ-ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିଥିଲେ । ତାମିଲନାଡୁ ବିଜେପିର ସଭାପତି ଥିବା ବେଳେ ସିପି ରାଧାକ୍ରିଷ୍ଣନ ଏକ ୯୩ ଦିନିଆ ରଥ ଯାତ୍ରା କରିଥିଲେ । ଏଥିରେ ନଦୀ ସଂଯୋଗୀକରଣ, ଆତଙ୍କବାଦର ନିପାତ ଓ ଜାତିପ୍ରଥାକୁ ସଂପୂର୍ଣ୍ଣ ଲୋପ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।