ସୁଶାନ୍ତ-ରିୟାଙ୍କ ପ୍ରେମ କାହାଣୀକୁ ନେଇ ତିଆରି ହେବ ଫିଲ୍ମ!

ମୁମ୍ବାଇ, : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ୧୪ ଜୁନ୍ ୨୦୨୦ରେ ଏ ଦୁନିଆ ଛାଡି ଚାଲିଯାଇଥିଲେ । ତାଙ୍କ ଶୋଇବା ଘରୁ ତାଙ୍କର ମୃତଦେହ ମିଳିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ତାଙ୍କ ଦେହାନ୍ତଙ୍କୁ ୫ବର୍ଷ ବିତିଥିବା ବେଳେ ପ୍ରଶଂସକମାନେ ଏବେ ବି ତାଙ୍କୁ ବହୁତ ମନେ ପକାଉଛନ୍ତି । ତେବେ ସୁଶାନ୍ତଙ୍କ ପଞ୍ଚମ ମୃତ୍ୟୁ ବାର୍ଷିକୀରେ ପ୍ରଶଂସକମାନଙ୍କୁ ଏକ ଉପହାର ମିଳିଛି । ନିର୍ଦ୍ଦେଶକ ରୁମି ଜାଫରୀ ସୁଶାନ୍ତ ସିଂହ ରାଜପୁତ ଏବଂ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ତଥାକଥିତ ପ୍ରେମିକା ରିଆ ଚକ୍ରବର୍ତ୍ତୀଙ୍କ ପ୍ରେମ କାହାଣୀ ଉପରେ ଏକ ଫିଲ୍ମ ତିଆରି କରିବା ନେଇ ଘୋଷଣା କରିଛନ୍ତି । ରୁମି ବର୍ତ୍ତମାନ ସ୍କ୍ରିନପ୍ଲେ ଉପରେ କାମ କରୁଛନ୍ତି । ଫିଲ୍ମର କାଷ୍ଟକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି । ରୁମି ଜାଫରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ‘ମୁଁ ଏବେ ବି ସୁଶାନ୍ତଙ୍କୁ ମୋ ଚାରିପାଖରେ ଅନୁଭବ କରିପାରୁଛି । ତାଙ୍କ ଚାରିପାଖ ସବୁବେଳେ ଖୁସି ଏବଂ ଉତ୍ସାହରେ ପରିପୂର୍ଣ୍ଣ ଥିଲା । ସେ ବହୁତ ଅସ୍ଥିର ଆତ୍ମା ଥିଲେ । ସେ ଗୋଟିଏ ମିନିଟ୍ ପାଇଁ ମଧ୍ୟ ସ୍ଥିର ହୋଇ ବସି ପାରୁ ନଥିଲେ । ମୁଁ ତାଙ୍କ ଚାଲିବା, କଥା ହେବା ଏବଂ ତାଙ୍କ ସହିତ ରହି କ୍ଳାନ୍ତ ହୋଇଯାଉଥିଲି ଏବଂ ତାଙ୍କ ପ୍ରେମିକା ରିୟା ସବୁବେଳେ ତାଙ୍କ ସହିତ ଥିଲେ ଏବଂ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଥିଲେ । ସୁଶାନ୍ତ ଆମ ସହିତ ଥିବା ସମୟରେ ମୋ ମନରେ ତାଙ୍କ ଦୁହିଁଙ୍କ ପ୍ରେମ କାହାଣୀକୁ ନେଇ ଫିଲ୍ମ କରିବି ବୋଲି ଯୋଜନା କରିଥିଲି । ରିୟା ପ୍ରତି ତାଙ୍କର ପ୍ରେମ କୌଣସି ସାଧାରଣ କଥା ନଥିଲା । ସେ ତାଙ୍କ ପାଇଁ ନିଜ ଜୀବନ ଦେବାକୁ ବି ପଛାଇ ନଥାନ୍ତେ ।\’ କୁହାଯାଉଛି ଯେ, ଫିଲ୍ମରେ ସୁଶାନ୍ତଙ୍କ ଚରିତ୍ର ପାଇଁ ରୁମି ବେଦାଙ୍ଗଙ୍କୁ ନେବା ପାଇଁ ଚିନ୍ତା କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ କୌଣସି ଅଧିକାରୀକ ଘୋଷଣା ହୋଇନାହିଁ ।

Comments (0)
Add Comment