ସ୍ୱାମୀଙ୍କୁ ସୁସ୍ଥ କରିବାକୁ ସ୍ତ୍ରୀ ମାଗୁଛନ୍ତି ଭିକ୍ଷା

Woman begs for husband's cure

କାକଟପୁର,: କାକଟପୁର ବ୍ଲକ ଦହିଖିଆ ଅଞ୍ଚଳରେ ବାସ କରନ୍ତି ରାଜୁ ବାଲମୁଛ ଓ ତାଙ୍କ ଧର୍ମପତ୍ନୀ ସାଇ ବାଲମୁଛ । ପେଷାରେ ରାଜୁ ଜଣେ ଦିନ ମଜୁରିଆ ଓ ରାଜମିସ୍ତ୍ରୀ । ଯାହା କିଛି ରୋଜଗାର କରନ୍ତି ଘରେ ତିନି ପ୍ରାଣୀ କୁଟୁମ୍ବଙ୍କ ଭରଣ ପୋଷଣ କରନ୍ତି । ସେଥିରେ ପୂର୍ବରୁ ତାଙ୍କ ଝିଅର ମଧ୍ୟ ବାହାଘର କରିଛନ୍ତି । ରାଜୁଙ୍କର କୌଣସି ଜମିବାଡ଼ି ନାହିଁ, କେବଳ ଘରେ ଖଣ୍ଡେ, ୩ ମାସ ଆଗରୁ ରାଜୁ ଘରକୁ ଆସିଥିଲେ ହଠାତ୍ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା । ତାଙ୍କ ପୁଅ ଓ ସ୍ତ୍ରୀ ପ୍ରଥମେ କାକଟପୁର, ପରେ ଚାରିଛକ ଓ ଶେଷରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ । କ୍ୟାପିଟାଲ ହସ୍ପିଟାଲରୁ ରିପୋର୍ଟ ଆସିଥିଲା ତାଙ୍କ ବ୍ରେନ ଷ୍ଟ୍ରୋକ ହୋଇ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଚି, ଶେଷରେ ସମ୍ ହସ୍ପିଟାଲ ନେଇ ସେଠି ଆୟୁଷ୍ମାନ କାର୍ଡରେ ସ୍ୱାମୀଙ୍କ ଚିକିତ୍ସା କରାଇବା ସହ ଅସ୍ତ୍ରୋପଚାର ମଧ୍ୟ କରିଥିଲେ । ମାତ୍ର ରାଜୁ ସୁସ୍ଥ ନ ହୋଇ ପୁନଃବାର ଅସୁସ୍ଥ ହେଲେ । ମେଡିକାଲ ଟିମ୍‌ କହିଲା ଯେ ଆଉ ଏକ ଅସ୍ତ୍ରୋପଚାର କରାଯିବ ଯେଉଁଥି ପାଇଁ ୫ ରୁ ୧୦ ଲକ୍ଷ ଭିତରେ ଖର୍ଚ୍ଚ ହେବ । ମାତ୍ର ପରିବାରର ଆର୍ଥିକ ସ୍ଥିତି ବର୍ତ୍ତମାନ ପୁରା ଦୁର୍ବଳ । ବେସାହାରା ହୋଇଯାଇଛନ୍ତି ତାଙ୍କ ଧର୍ମ ପତ୍ନୀ ସାଇ । ଏବେ ଭାତ ଥିଲେ ଲୁଣ ବି ନାହିଁ, ଅନେକ ଅର୍ଥ କରଜ କରିଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କର ଆରୋଗ୍ୟ ପାଇଁ ଯେଉଁଠି ଲକ୍ଷାଧିକ ଟଙ୍କାର ଆବଶ୍ୟକ ସେଠି ଚାଉଳ କେଜିଟିଏ କିଣିବାକୁ ପଇସା ନାହିଁ । ଏବେ ଦହିଖିଆ ଗ୍ରାମର ଯୁବକମାନେ ଏକତ୍ରିତ ହୋଇ କାକଟପୁର ଅସ୍ତରଙ୍ଗ ରାସ୍ତାରେ ପଥଚାରୀଙ୍କୁ ରାଜୁଙ୍କ ଆରୋଗ୍ୟ ପାଇଁ ଭିକ୍ଷା କରୁଥିବା ବେଳେ ରାଜୁଙ୍କ ଧର୍ମପତ୍ନୀ ସାଇ ଗ୍ରାମରେ ପ୍ରତ୍ୟେକଙ୍କ ଘରକୁ ଯାଇ କାନି ପତେଇ ଭିକ ମାଗୁଛନ୍ତି । କିଏ ଆର୍ଥିକ ସହାୟତା କରୁଛନ୍ତି ତ ଆଉ କିଏ ଚାଉଳ ମଧ୍ୟ ଦେଉଛନ୍ତି । ଏହି ସମୟରେ କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠି ବାଟରେ ଅଟକି କିଛି ଆର୍ଥିକ ସହାୟତା ଯୋଗାଇ ଦେବା ସହ ରାଜୁ ବାଲମୁଛଙ୍କ ପାଇଁ ସରକାରଙ୍କୁ ନିବେଦନ କରିବେ ବୋଲି କହିଛନ୍ତି । ଏବେ ଗୋଟେ ଗୋଟେ ଟଙ୍କାର ମୂଲ୍ୟ ସାଇ ବାଲମୁଛଙ୍କ ପାଇଁ ମୂଲ୍ୟବାନ ହୋଇଥିବା ବେଳେ ଦହିଖିଆ ଯୁବକ ଗୋଷ୍ଠୀଙ୍କ ତରଫରୁ ୯୩୩୭୩୯୦୧୨୬ ଏକ ଫୋନ ପେ ନମ୍ବର ଦିଆଯାଇଛି । ଯେ କୌଣସି ବଦାନ୍ୟ ବ୍ୟକ୍ତି ଚାହିଁବେ ରାଜୁଙ୍କ ପାଇଁ ଗୋଟେ ଟଙ୍କା ହେଉ ପଛେ ଆର୍ଥିକ ସହାୟତା ଯୋଗାଇ ପାରିବେ ।

Comments (0)
Add Comment