ଭୁବନେଶ୍ୱର, : ଓଡ଼ିଶାର ଆଉ ଦୁଇଟି ସରକାରୀ ମେଡିକାଲ କଲେଜ ପାଇଁ ୨୦୦ ଆସନ ଅନୁମୋଦିତ ହୋଇଛି । ଜାତୀୟ ମେଡିକାଲ କମିଶନ୍ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଫୁଲବାଣୀ ସରକାରୀ ମେଡିକାଲ କଲେଜ ପାଇଁ ୧୦୦ଟି ସିଟ୍ ଓ ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜ ପାଇଁ ମଧ୍ୟ ୧୦୦ଟି ସିଟ୍ ଅନୁମୋଦିତ ହୋଇଛି । ଏଠାରେ ଚଳିତ ୨୦୨୫- ୨୬ ଶିକ୍ଷା ବର୍ଷରୁ ପାଠ ପଢା ଆରମ୍ଭ ହେବ । ଜାତୀୟ ମେଡିକାଲ କମିଶନ୍ ଦ୍ୱାରା ଏହାକୁ ମଞ୍ଜୁରୀ ମିଳିବା ପରେ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ଏହି ଅବସରରେ ସେ କହିଛନ୍ତି ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ଗୋଟିଏ ବର୍ଷରେ ୨୦୦ ଓଡ଼ିଆ ଛାତ୍ରଛାତ୍ରୀ ଚଳିତ ଶିକ୍ଷା ବର୍ଷ ଠାରୁ ଡାକ୍ତରୀ ଶିକ୍ଷା ଗ୍ରହଣ କରି ପାରିବେ । ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଓଡ଼ିଶାର ସ୍ୱାସ୍ଥ୍ୟ ସେବା ଓ ସ୍ୱାସ୍ଥ୍ୟ ଶିକ୍ଷାରେ ଉନ୍ନତି ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରି ଚାଲିଛନ୍ତି । ଏହି ମଞ୍ଜୁରୀ ଦ୍ୱାରା ସରକାରଙ୍କ ଉଦ୍ୟମ ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।