୨୨ରେ ଖୋଲିବ ଟିଟିଏଲ୍‌ର ଆଇପିଓ

TTL's IPO will open on 22

ଭୁବନେଶ୍ୱର, : ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଟାଟା ଗ୍ରୁପର ସହଯୋଗୀ ସଂସ୍ଥା ଟାଟା ଟେକ୍ନୋଲୋଜି ଲିମିଟେଡ୍‌ (ଟିଟିଏଲ୍‌)ର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ଚଳିତ ବର୍ଷ ନଭେମ୍ବର ୨୨ରେ ଖୋଲିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି । ବିଶେଷ କରି କମ୍ପାନୀର ୬୦,୮୫୦,୨୭୮ ଇକ୍ୱିଟି ଶେୟାର ଉକ୍ତ ଆଇପିଓ ଜରିଆରେ ଉପଲବ୍ଧ କରାଯିବ । ଏହି ଅଫର ୨୦୨୩ ନଭେମ୍ବର ୨୪ରେ ବନ୍ଦ ହେବ । ସେହିଭଳି ଏହାର ଆଙ୍କର ନିବେଶକମାନେ ଅଫର ଖୋଲିବାର ଗୋଟିଏ ଦିନ ପୂର୍ବରୁ (୨୦୨୩ ନଭେମ୍ବର ୨୧) ବିଡ୍‌ ଦାଖଲ କରିପାରିବେ । ଉକ୍ତ ଅଫରରେ ଇକ୍ୱିଟି ଶେୟାରର ମୂଲ୍ୟ ୪୭୫ରୁ ୫୦୦ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ସେହିପରି ସର୍ବନିମ୍ନ ୩୦ଟି ଇକ୍ୱିଟି ଶେୟାର ପାଇଁ ବିଡ୍‌ ଦାଖଲ କରାଯାଇପାରିବ ଏବଂ ଏହା ପରେ ୩୦ଟି ଲେଖାଏଁ ଇକ୍ୱିଟି ଶେୟାର ଗୁଣିତକ ଭାବେ ଯୋଡ଼ା ଯାଇ ପାରିବ । ଫଳରେ ଅଫର ଫର ସେଲ୍‌ରେ ଟାଟା ମୋଟର୍ସ ଲିମିଟେଡ୍‌ ୪୬, ୨୭୫,୦୦୦ ଇକ୍ୱିଟି ଶେୟାର, ଆଲ୍‌ଫା ଟିସି ହୋଲଡିଂସ ପିଟିଇ ଲିମିଟେଡ୍‌ ୯,୭୧୬, ୮୫୩ ଇକ୍ୱିଟି ଶେୟାର ଏବଂ ଟାଟା କ୍ୟାପିଟାଲ୍‌ ଗ୍ରୋଥ୍‌ ଫଣ୍ଡ୍‌ ୧୪,୮୫୮,୪୨୫ ଇକ୍ୱିଟି ଶେୟାର ଉପଲବ୍ଧ କରାଇପାରିବେ । ଅପର ପକ୍ଷରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ନିୟମ ଅନୁସାରେ ଉକ୍ତ ଅଫରର ୫୦% ପର୍ଯ୍ୟନ୍ତ ଇକ୍ୱିଟି ଶେୟାର ସମାନୁପାତିକ ଭିତ୍ତିରେ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି) ମାନଙ୍କ ଲାଗି ରହିବ । ଏପରିକି ବୁକ୍‌ ରନିଂ ଲିଡ୍‌ ମ୍ୟାନେଜରଙ୍କ ପରାମର୍ଶରେ କ୍ୟୁଆଇବି ଭାଗର ୬୦% ଇକ୍ୱିଟି ଶେୟାରକୁ ଆଙ୍କର ନିବେଶକ ମାନଙ୍କ ଲାଗି ଉପଲବ୍ଧ କରାଯାଇ ପାରିବ । ସେଥିରୁ ଅତିକମ୍‌ରେ ଏକ ତୃତୀୟାଂଶ ଇକ୍ୱିଟି ଶେୟାରକୁ ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍‌ଗଡ଼ିକୁ ପ୍ରଦାନ କରାଯିବ । ଯଦି ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍‌ ସବୁ ଶେୟାର ନେବେ ନାହିଁ ତେବେ ଅବଶିଷ୍ଟ ଶେୟାରକୁ କ୍ୟୁଆଇବିଙ୍କ ପାଇଁ ପୁଣି ଥରେ ସାମିଲ କରାଯାଇ ପାରିବ । ଉକ୍ତ ଅଫରର ୧୫% ଇକ୍ୱିଟି ଶେୟାର ଅଣ ସଂସ୍ଥାଗତ ନିବେଶକ ମାନଙ୍କ ଲାଗି ରହିବ । ସେବି ନିୟମ ଅନୁସାରେ ନେଟ୍‌ ଅଫରର ୩୫% ପର୍ଯ୍ୟନ୍ତ ଇକ୍ୱିଟି ଶେୟାରକୁ ଖୁଚୁରା ନିବେଶକ ମାନଙ୍କ ଲାଗି ଉପଲବ୍ଧ କରାଯିବ । ବିଶେଷକରି କମ୍ପାନୀର ଇକ୍ୱିଟି ଶେୟାର ଗୁଡ଼ିକୁ ବିଏସଇ ଲିମିଟେଡ୍‌ ଓ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ଇଣ୍ଡିଆ ଲିମିଟେଡ୍‌ରେ ତାଲିକାଭୁକ୍ତ କରିବା ଲାଗି ରେଡ୍‌ ହେରିଂ ପ୍ରସପେକ୍ଟସ୍‌ରେ ପ୍ରସ୍ତାବ ରହିଛି । ଏହି ଅଫରର ବୁକ୍‌ ରନିଂ ଲିଡ୍‌ ମ୍ୟାନେଜର ଯଥା ଜେଏମ୍‌ ଫାଇନାନ୍ସିଆଲ ଲିମିଟେଡ୍‌, ସିଟି ଗ୍ରୁପ୍‌ ଗ୍ଲୋବାଲ୍‌ ମାର୍କେଟ୍‌ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ବିଓଏଫ୍‌ଏ ସିକ୍ୟୁରିଟିଜ୍‌ ଇଣ୍ଡିଆ ଲିମିଟେଡ୍‌ ଇତ୍ୟାଦି ରହିଛନ୍ତି ।

#bhubaneswar#dumanikhabar#latestnews#localnews#news#odisha
Comments (0)
Add Comment