ଭଗବାନ ଅସୁରକ୍ଷିତ

ଏବେ ଚୋରମାନେ ବିଭିନ୍ନ ଧର୍ମାନୁଷ୍ଠାନକୁ ଟାର୍ଗେଟ୍ କରିଛନ୍ତି । ଏପରିକି ସେମାନେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାଉସୀ ମା’ ମନ୍ଦିରରୁ ମଧ୍ୟ ଚୋରି କରିବାକୁ ପଛାଇ ନାହାନ୍ତି । ତାଲାକାଟି ଆଲ୍ମିରା ଓ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ୩୦ ହଜାର ଟଙ୍କା ସମେତ ଅନ୍ୟାନ୍ୟ ଜିନିଷ ମଧ୍ୟ ଚୋରି କରି ନେଇଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ରାଜ୍ୟରେ ଖାଲି ଆଇନ୍ଶୃଙ୍ଖଳା ପରିସ୍ଥିତି ନୁହେଁ ଏହି ଦୁର୍ବୃତ୍ତମାନଙ୍କ ଭଗବାନଙ୍କ ପ୍ରତି ଭୟ ମଧ୍ୟ କମିଯାଇଛି । ଏହାକୁ ନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ ଚୋରି ଘଟଣା ସମ୍ପର୍କରେ ଶୁଣି ମୁଁ ଆଶ୍ଚର୍ଯ୍ୟ । ଶ୍ରୀକ୍ଷେତ୍ର ଭଳି ଧାର୍ମିକ ସ୍ଥଳ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ନେଇ ସେ ଉଦ୍ବେଗ ପ୍ରକାଶ କରିଛନ୍ତି । କିଛିଦିନ ତଳେ ରାମଚଣ୍ଡିଙ୍କ ମନ୍ଦିରରୁ ଚୋରି ହେବା ପରେ ଗୁରୁବାର ବଳଗଣ୍ଡି ନିକଟରେ ଥିବା ମାଉସୀ ମା’ ମନ୍ଦିରରୁ ମଧ୍ୟ ଚୋରି ହୋଇଛି । ଧାର୍ମିକସ୍ଥଳର ସୁରକ୍ଷା ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଗଜପତି କହିବା ସହିତ ଏହିସବୁ ସ୍ଥଳର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପଦକ୍ଷେପ ନେବା ଜରୁରୀ ବୋଲି ସେ ମତ ଦେଇଛନ୍ତି । ଗତ ଡିସେମ୍ବର ମାସରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଥିବା ପ୍ରସିଦ୍ଧ ଦକ୍ଷ ପ୍ରଜାପତି ମନ୍ଦିରରୁ ୨୨ଟି ଦୁର୍ଲ୍ଲଭ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଚୋରି ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଥିଲା । ସେହିପରି ଜାନୁଆରୀ ମାସରେ ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ କାକୁଡ଼ିଆ ଗ୍ରାମସ୍ଥିତ ଗୋପୀନାଥ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଚୋରମାନେ ଏବେ ଧାର୍ମିକ ସ୍ଥଳକୁ ଟାର୍ଗେଟ୍ କଲେଣି । ଅପରାଧୀମାନଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସେମାନେ ଏବେ ଭଗବାନଙ୍କ ଉପରେ ଆଖି ପକାଇଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ ଭଗବାନଙ୍କ ମନ୍ଦିରରୁ ଯଦି ଚୋରି ହୁଏ ତେବେ ଲୋକଙ୍କ ଧାର୍ମିକ ଭାବନା ପ୍ରତି କୂଠାରଘାତ ହେବ ଏଥିରେ ସନ୍ଦେହ ନାହିଁ । ଏଣୁ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ମିଳିତ ଭାବେ ଏଥିପ୍ରତି ସଜାଗ ରହିବା ସହିତ ଏହି ଚୋରମାନଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି । ଖାଲି ଧାର୍ମିକସ୍ଥଳୀ ନୁହେଁ ଅନେକ ସ୍ଥାନରେ ଲୁଟ୍, ଡକାୟତି, ହତ୍ୟା ବଢ଼ିଚାଲିଛି । ଅପରାଧ ଏବଂ ଅପରାଧୀ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛନ୍ତି । ପୋଲିସ ପ୍ରତି ଅପରାଧୀଙ୍କର ଆଉ ଭୟ ନାହିଁ । ନିର୍ଭୟରେ ଏମାନେ ଅପରାଧ ଘଟାଇ ନିଃସଙ୍କୋଚରେ ଖୋଲାରେ ବୁଲୁଛନ୍ତି । ରାଜଧାନୀ ଭୁବନେଶ୍ୱର ମଧ୍ୟ ଏବେ ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ବିଭିନ୍ନ ସ୍ଥାନରେ ଚୋରି, ରାହାଜାନି, ଡକାୟତି ଇତ୍ୟାଦି ବଢ଼ିବାରେ ଲାଗିଛି । ସେଥିପାଇଁ କମିଶନରେଟ୍ ପୋଲିସ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ ଅଣ୍ଟା ଭିଡ଼ିଛି ।

Comments (0)
Add Comment