ଅନ୍ତର୍ଜାତୀୟ କ୍ରିକେଟରୁ ନିକୋଲସ ପୂରନଙ୍କ ଅବସର

Nicholas Pooran retires from international cricket

ନୂଆଦିଲ୍ଲୀ, ୧୦ା୬ : ଟି-୨୦ କ୍ରିକେଟରେ ଅନ୍ୟତମ ବିସ୍ଫୋରକ ବ୍ୟାଟର ତଥା ୱେଷ୍ଟଇଣ୍ଡିଜର ଷ୍ଟାର କ୍ରିକେଟର ନିକୋଲସ ପୂରନ ସମସ୍ତଙ୍କୁ ଚକିତ କରିବା ଭଳି ପଦକ୍ଷେପ ନେଇଛନ୍ତି । ମାତ୍ର ୨୯ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ଏହାର ଅର୍ଥ ୱେଷ୍ଟଇଣ୍ଡିଜ ପାଇଁ ପୂରନଙ୍କୁ କ୍ରିକେଟର ୩ଟି ଯାକ ଫର୍ମାଟରେ ଆଉ ଦେଖିବାକୁ ମିଳିବ ନାହିଁ । ପୂରନଙ୍କ ଏହି ଅପ୍ରତ୍ୟାଶିତ ଅବସର ପୂର୍ବରୁ ଦକ୍ଷିଣ ଆଫ୍ରିକାର ୱିକେଟ କିପର ବ୍ୟାଟର ହେନରିଚ କ୍ଲାସେନ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ଉଭୟ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟକୁ ଛାଡ଼ି ଥିଲେ ହେଁ ଆଇପିଏଲ ସମେତ ବିଭିନ୍ନ ପ୍ରାଞ୍ଚାଇଜ ଟି-୨୦ ଲିଗରେ ନଜର ଆସିବେ । ନିଜର ଅବସର ସମ୍ପର୍କରେ ପୂରନ କହିଛନ୍ତି, ଅନେକ କିଛି ବି·ର ବିମର୍ଶ ଓ ଚିନ୍ତା କରିବା ପରେ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି । ଏହି ଖେଳ ମୋତେ ଅନେକ କିଛି ଦେଇଛି । ଆଗକୁ ମଧ୍ୟ ଅନେକ କିଛି ଦେବ । ଖୁସି ଠାରୁ ଆରମ୍ଭ କରି ଅନେକ ସ୍ମରଣୀୟ ମୁହୂର୍ତ୍ତ ମୋ ପାଇଁ ରହିଛି । ଏହି ଖେଳ ମୋତେ ୱେଷ୍ଟଇଣ୍ଡିଜକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇଥିଲା । ୨୯ ବର୍ଷୀୟ ପୂରଣ ୱେଷ୍ଟଇଣ୍ଡିଜ ପାଇଁ ସର୍ବାଧିକ ଟି-୨୦ ମ୍ୟାଚ୍ ଖେଳିବାର ରେକର୍ଡ କରିଛନ୍ତି । ସେ ନିଜ ଦେଶ ପାଇଁ ୧୦୬ ମ୍ୟାଚରେ ୨୨୭୫ ରନ କରିଛନ୍ତି । ୨୦୧୬ରେ ପୂରନ ପାକିସ୍ତାନ ବିପକ୍ଷ ଟି-୨୦ରେ ନିଜର ଡେବ୍ୟୁ କରିଥିଲେ । ଏହାର ୩ ବର୍ଷ ପରେ ତାଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆରେ ସୁଯୋଗ ମିଳିଥିଲା । ୨୦୨୨ରେ ପୂରନଙ୍କୁ ୱେଷ୍ଟଇଣ୍ଡିଜର ଧଳା ବଲ କ୍ରିକେଟ ଟିମର ଅଧିନାୟକ କରାଯାଇଥିଲା । କିନ୍ତୁ ସେହି ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହୋଇଥିବା ଟି-୨୦ ବିଶ୍ୱକପରେ ଇଣ୍ଡିଜ ଟିମ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଏଥିଯୋଗୁ ସେ କ୍ୟାପ୍ଟେନ ପଦ ଛାଡ଼ି ଦେଇଥିଲେ । ଶେଷଥର ପାଇଁ ତାଙ୍କୁ ୨୦୨୪ ଡିସେମ୍ବରରେ ୱେଷ୍ଟଇଣ୍ଡିଜ ପାଇଁ ଖେଳୁଥିବା ଦେଖା ଯାଇଥିଲା । ୨୦୨୪ରେ ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା (୧୭୦) ମାରିବାର ରେକର୍ଡ କରିଥିଲେ । ୨୦୨୫ ଆଇପିଏଲରେ ପୂରନ ଲକ୍ଷେ୍ନø ସୁପର ଜାଏଣ୍ଟସ ପାଇଁ ୫ଟି ଅର୍ଦ୍ଧଶତକ ସହ ୫୨୪ ରନ କରିଥିଲେ । ତାଙ୍କ ଷ୍ଟ୍ରାଇକ ରେଟ ୧୯୬.୨୫ ରହିଥିଲା । ଆଶା କରାଯାଉଥିଲା ଯେ ୨୦୨୬ ଟି-୨୦ ବିଶ୍ୱକପରେ ପୂରନଙ୍କୁ ଇଣ୍ଡିଜ ଟିମରେ ଦେଖିବାକୁ ମିଳିବ । କିନ୍ତୁ ଏହା ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଯାଇଛନ୍ତି । ଆଗକୁ ତାଙ୍କୁ ଏମଏଲସି ଓ ଦ ହଣ୍ଡରେଡ୍ ଭଳି ପ୍ରାଞ୍ଚାଇଜ ଲିଗରେ ଦେଖିବାକୁ ମିଳିବ । ଆଇପିଏଲ ଓ ସିପିଏଲ ବ୍ୟତୀତ ପୂରନ ୟୁଏଇରେ ଅନୁଷ୍ଠିତ ହେଉଥିବା ଆଇଏଲ ଟି-୨୦ ମଧ୍ୟ ନିୟମିତ ଖେଳନ୍ତି । ଟି-୨୦ରେ ଇଣ୍ଡିଜ ପାଇଁ ୨୨୭୫ ରନ କରିଥିବା ପୂରନ ଦିନିକିଆରେ ମାତ୍ର ୧୯୮୩ ରନ କରିଥିଲେ ।

Comments (0)
Add Comment