ଆପଣ କିପରି ଜାଣିଲେ ଚୀନ୍ ୨୦୦୦ କିମି ଜମି ଦଖଲ କରିଛି?

How did you know that China had submitted 2000 km2 of land?

0 106

ନୂଆଦିଲ୍ଲୀ, : ଭାରତ-ଚୀନ୍‌ ଉତ୍ତେଜନା ଉପରେ ଦେଇଥିବା ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ରାହୁଲ ୨୦୨୨ ଭାରତ ଯୋଡୋ ଯାତ୍ରା ସମୟରେ ଏହି ବିବାଦୀୟ ବୟାନ ଦେଇଥିଲେ । ଏହି ସମ୍ବନ୍ଧୀୟ ମାମଲାକୁ ରଦ୍ଦ କରିବାକୁ ଆସିଥିବା ରାହୁଲଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ତଥାପି, ସୁପ୍ରିମକୋର୍ଟ ବର୍ତ୍ତମାନ ଲକ୍ଷ୍ନୌରେ ଚାଲିଥିବା ମାମଲା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ବିଚାରପତି ଦୀପଙ୍କର ଦତ୍ତା ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମସିହଙ୍କ ଖଣ୍ଡପୀଠ କହିଛନ୍ତି ଯେ, \”ଆପଣ କିପରି ଜାଣିଲେ ଯେ ଚୀନ୍‌ ଭାରତର ୨୦୦୦ ବର୍ଗ କିଲୋମିଟର ଜମି ଦଖଲ କରିଛି? ଆପଣ ସେଠାରେ ଥିଲେ କି? ଆପଣଙ୍କ ପାଖରେ କ\’ଣ ପ୍ରମାଣ ଥିଲା? ଯଦି ଆପଣ ଜଣେ ପ୍ରକୃତ ଭାରତୀୟ, ତେବେ ଆପଣ ଏପରି କହିପାରିବେ ନାହିଁ । ଯେତେବେଳେ ସୀମାରେ ସଂଘର୍ଷର ପରିସ୍ଥିତି ସୃଷ୍ଟି ହୁଏ, ସେତେବେଳେ ଉଭୟ ପାଶ୍ୱର୍ର ସେନା କ୍ଷତି ସହିବା ସ୍ୱାଭାବିକ ।\’ ତେବେ ଡିସେମ୍ବର ୧୬, ୨୦୨୨ରେ ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଭାରତ-ଚୀନ୍‌ ବିବାଦ ଉପରେ ମନ୍ତବ୍ୟ ଦେଇଥିଲେ । ରାହୁଲ ଏକ ଭାଷଣରେ କହିଥିଲେ ଯେ, ଚୀନ୍ ସୈନିକମାନେ ଭାରତୀୟ ସୈନିକଙ୍କୁ ମାରୁଛନ୍ତି । ଏହି ବିବୃତ୍ତିକୁ ଆଧାର କରି ବର୍ଡର ରୋଡ୍ ଅର୍ଗାନାଇଜେସନର ପୂର୍ବତନ ନିର୍ଦ୍ଦେଶକ ଉଦୟ ଶଙ୍କର ଶ୍ରୀବାସ୍ତବ ଲକ୍ଷ୍ନୌରେ ରାହୁଲଙ୍କ ବିରୋଧରେ ଏକ ଫୌଜଦାରୀ ମାନହାନି ମାମଲା ଦାୟର କରିଥିଲେ । ତେବେ ଲକ୍ଷ୍ନୌର ସାଂସଦ/ ବିଧାୟକ କୋର୍ଟରେ ଦାୟର ଅଭିଯୋଗରେ ଶ୍ରୀବାସ୍ତବ କହିଛନ୍ତି ଯେ, ଭାରତୀୟ ସେନା ୧୨ ଡିସେମ୍ବର ୨୦୨୨ରେ ଏକ ସରକାରୀ ବିବୃତ୍ତି ଜାରି କରି କହିଥିଲେ ଯେ, ଆମର ସୈନିକମାନେ ଭାରତୀୟ ସୀମାରେ ଚୀନ୍ ସୈନିକଙ୍କୁ ଉପଯୁକ୍ତ ଜବାବ ଦେଇଥିଲେ । ଏହା ପରେ ଚୀନ୍ ସୈନିକ ଫେରି ଆସିଥିଲେ । ଏହା ସତ୍ତ୍ୱେ ରାହୁଲ ଗାନ୍ଧୀ ସେନାକୁ ଅପମାନିତ କରି ଏକ ମିଥ୍ୟା ବିବୃତ୍ତି ଦେଇଥିଲେ । ଏହା ତାଙ୍କୁ ଏବଂ ଭାରତୀୟ ସୈନିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ରାହୁଲ ଏହି ମାମଲାକୁ ଆଲାହାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସେ କହିଥିଲେ ଯେ, ଅଭିଯୋଗକାରୀ ଏହି ମାମଲାରେ ପ୍ରଭାବିତ ପକ୍ଷ ନୁହଁନ୍ତି, କିନ୍ତୁ ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରି କହିଛନ୍ତି ଯେ, ସେନାକୁ ସମ୍ମାନ କରୁଥିବା ଯେକୌଣସି ବ୍ୟକ୍ତି ଏପରି ବୟାନ ଦ୍ୱାରା ପୀଡିତ ହୋଇପାରନ୍ତି । ମତାମତର ସ୍ୱାଧୀନତାର ଏକ ସୀମା ଅଛି । ଏହାର ନାମରେ କିଛି କହିବାକୁ ଅନୁମତି ନାହିଁ । ସୁପ୍ରିମ କୋର୍ଟରେ ରାହୁଲଙ୍କ ପକ୍ଷରୁ ଯୁକ୍ତି ରଖି ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି କହିଛନ୍ତି ଯେ, ମାମଲାର ବିଚାର କରିବା ପୂର୍ବରୁ ନିମ୍ନ ଅଦାଲତ ତାଙ୍କ ପକ୍ଷ ଶୁଣି ନଥିଲେ । ଏହା ଉପରେ ବିଚାରପତିମାନେ ତାଙ୍କୁ ବାଧା ଦେଇ କହିଥିଲେ ଯେ, ଏହି ଯୁକ୍ତି ହାଇକୋର୍ଟରେ ଦିଆଯାଇ ନଥିଲା । ସିଂଘଭି ସ୍ୱୀକାର କରିଥିଲେ ଯେ, ଏହି ମାମଲା ହାଇକୋର୍ଟରେ ଉଠାଯାଇ ନଥିଲା । ପ୍ରାୟ ୫ ମିନିଟ୍ ଧରି ଚାଲିଥିବା ଶୁଣାଣି ସମୟରେ କୋର୍ଟ ଏହା ମଧ୍ୟ ପ୍ରଶ୍ନ ଉଠାଇଥିଲେ ଯେ, ବିରୋଧୀ ଦଳ ନେତା ଭାବରେ ରାହୁଲ କାହିଁକି ଏହି ପ୍ରସଙ୍ଗକୁ ସଂସଦରେ ଉଠାଇବାକୁ ଉପଯୁକ୍ତ ମନେ କଲେ ନାହିଁ? ସେ ଏହାକୁ ସୋସିଆଲ ମିଡିଆରେ କାହିଁକି ରଖିଲେ? ଶୁଣାଣି ଶେଷରେ କୋର୍ଟ ଅଭିଯୋଗକାରୀ ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରି ଉତ୍ତର ମାଗିଥିଲେ । ବର୍ତ୍ତମାନ ପାଇଁ ଏହି ମାମଲାରେ ନିମ୍ନ ଅଦାଲତର କାର୍ଯ୍ୟ ସ୍ଥଗିତ ରହିବ । ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ପୁଣି ଥରେ ମାମଲାର ଶୁଣାଣି କରିବେ ।

Leave A Reply

Your email address will not be published.