ଜଟଣୀ, : ଜଟଣୀ ନିର୍ବାଚନମଣ୍ଡଳି ଅନ୍ତର୍ଗତ ୨ଟି ପଞ୍ଚାୟତକୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବଡ଼ ଉପହାର । ଜଟଣୀ ନିର୍ବାଚନ ମଣ୍ଡଳିର କଣ୍ଟାବାଡ଼ ପଞ୍ଚାୟତର ଭୋଳା ଗାଁ ଏବଂ ଗଙ୍ଗପଡ଼ା ଗ୍ରାମ ପଞ୍ଚାୟତର ୨ଟି ଗାଁକୁ ରାସ୍ତା ପ୍ରକଳ୍ପ ଭେଟି ଦେଇ ସ୍ଥାନୀୟ ଜନସାଧାରଣଙ୍କ ମୁହଁରେ ହସ ଫୁଟାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । କଣ୍ଟାବାଡ଼ ପଞ୍ଚାୟତର ଭୋଳା ଗାଁରୁ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥକୁ ପକ୍କା ସଡକରେ ସଂଯୋଗ ବ୍ୟବସ୍ଥା ସେତେ ଭଲ ନଥିଲା । ଏନେଇ ସ୍ଥାନୀୟ ଗ୍ରାମବାସୀ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବହୁ ବର୍ଷରୁ ଜଣାଇ ଏକ ସ୍ଥାୟୀ, ଭଲ ରାସ୍ତା ପାଇଁ ଦାବି କରି ଆସୁଥିଲେ । ସମସ୍ତ ଉଦ୍ୟମ ସତ୍ତ୍ୱେ ପୂର୍ବ ସରକାର ଅମଳରେ ଏହାର କାମ କିନ୍ତୁ ହୋଇପାରିନଥିଲା । ଓଡ଼ିଶାରେ ଡବଲ ଇଂଜିନ ସରକାର ଆସିବା ପରେ କଣ୍ଟାବାଡ଼ ପଂଚାୟତର ଭୋଳା ଗାଁରୁ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥକୁ ସଂଯୋଗ ପାଇଁ ୩ କିଲୋମିଟର ୫୫୦ ମିଟର ଲମ୍ବ ଏବଂ ୫.୫ ମିଟର ଚଉଡାର ରାସ୍ତା ପାଇଁ ୩ କୋଟି ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମଞ୍ଜୁର ହୋଇ ଥିବା ଜଣାଇଛନ୍ତି ଭୁବନେଶ୍ୱର ସାଂସଦ । ପୂର୍ବ ସରକାରଙ୍କୁ ଏହି ରାସ୍ତା ବାବଦରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ବହୁ ବାର ଅନୁରୋଧ କରିବା ପରେ ମଧ୍ୟ, ପୂର୍ବ ସରକାର ଏହା ଶୁଣିନଥିଲେ । ତେବେ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହିତ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗାଯୋଗ କରିବା ସହ ରାସ୍ତା ତିଆରି ପାଇଁ ବାଟ ଫିଟାଇଛନ୍ତି । ଆଜି ଏହି ୨ଟି ଯାକ ରାସ୍ତା ପ୍ରକଳ୍ପ ପାଇଁ ପଂଚାୟତରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଭୁବନେଶ୍ୱର ସାଂସଦ । କଣ୍ଟାବାଡର ଭୋଳା ଗାଁର ରାସ୍ତା ଏହି ପ୍ରକଳ୍ପ ଜରିଆରେ ଅଧିକ ପ୍ରଶସ୍ତି କରଣ ହୋଇପାରିବ । ସାଧାରଣରେ ଏହି ରାସ୍ତାରେ ବର୍ଷାଦିନରେ ଜରୁରୀକାଳୀନ ସମୟରେ ଯାଆସରେ ସମସ୍ୟା ଭୋଗୁଥିଲେ । ବର୍ତ୍ତମାନ ଏହି ପ୍ରଶସ୍ତିକରଣ ସରିଲେ ଲୋକଙ୍କୁ ଆଉ ବର୍ଷ ବର୍ଷର ସମସ୍ୟା ଭୋଗିବାକୁ ପଡିବ ନାହିଁ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ସେହିପରି ଗଙ୍ଗପଡ଼ା ଗ୍ରାମପଞ୍ଚାୟତର ଗଙ୍ଗେଶ୍ୱର ମନ୍ଦିର ରାସ୍ତା ନିର୍ମାଣ କାମର ମଧ୍ୟ ଭିତ୍ତି ରଖିଛନ୍ତି ଭୁବନେଶ୍ୱର ସାଂସଦ । ଗଙ୍ଗପଡ଼ା ଗ୍ରାମପଂଚାୟତର ରାସ୍ତା ପାଇଁ ୩ କୋଟି ୨୨ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି । ସାଂସଦ ମହୋଦୟାଙ୍କୁ ଦୀର୍ଘ ବର୍ଷରୁ ଏହି ରାସ୍ତା ପାଇଁ ଦାବି କରି ଆସୁଥିଲେ ସ୍ଥାନୀୟ ଗ୍ରାମବାସୀ । ପୂର୍ବ ସରକାରଙ୍କୁ ବହୁବାର ଏନେଇ ଜଣାଇଥିଲେ ମଧ୍ୟ କୌଣସି ସହଯୋଗ ମିଳିନଥିଲା, ରାଜ୍ୟରେ ସରକାର ବଦଳିବା ପରେ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗ
ସହଯୋଗରେ ବର୍ତ୍ତମାନ ଲୋକଙ୍କ ବହୁ ବର୍ଷର ଦାବି ପୂରଣ ହେବାକୁ ଯାଉଛି ବୋଲି ଭିତ୍ତି ପ୍ରସ୍ତର ରଖିବା ସମୟରେ ମତବ୍ୟକ୍ତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଦୁଇ ଗୋଟି ରାସ୍ତା ଆସନ୍ତା ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ, ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ୱ ରଂଜନ ବଡଜେନା, ଜଟଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ, ଖୋର୍ଦ୍ଧା ୭ ନଂ ଜିଲ୍ଲା ପରିଷଦ ଜୋନ୍ ସଦସ୍ୟା ମୋହିନୀ ନାୟକ, ଗଙ୍ଗପଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଧାଂଶୁ ଶେଖର ମହାରଣା, ଗଙ୍ଗପଡ଼ା ଗ୍ରାମପଞ୍ଚାୟତ ସମିତିସଭ୍ୟା ବିଜୟଲକ୍ଷ୍ମୀ ସାମନ୍ତରା, ଭୁବନେଶ୍ୱର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିରୁପମା ସାହୁ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଜୋନ୍ ନଂ ୨୮ର ସଦସ୍ୟ ପ୍ରଭାତ ପରିଡା, କଣ୍ଟାବାଡ଼ ଗ୍ରାମପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ ସାହୁ, କଣ୍ଟାବାଡ଼ ଗ୍ରାମପଞ୍ଚାୟତ ସମିତିସଭ୍ୟା ସସ୍ମିତା ବେହେରା ଏବଂ ଭୋଳା ୱାର୍ଡ ସଭ୍ୟା ପ୍ରଭାତୀ ଜଟ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ୨ଟି ଗାଁର ବରିଷ୍ଠ ନାଗରିକମାନେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି ।