ରାଜ୍ୟରେ ଖରିଫ ଫସଲ ପାଇଁ ସାର ଯୋଗାଣ ସ୍ଥିତିର ସମୀକ୍ଷା କଲେ କୃଷି ସଚିବ

Agriculture Secretary reviews fertilizer supply status for Kharif crops in the state

0 47

ଭୁବନେଶ୍ୱର, 21/7: ଖରିଫ ଋତୁ ଆରମ୍ଭ ହୋଇସାରିଛି । ଏହି କ୍ରମରେ ରାଜ୍ୟରେ ପ୍ରାୟ ୫୮.୫୦ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ ଯୋଜନା ରହିଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟରେ ଖରିଫ ଫସଲ ପାଇଁ ସାର ଯୋଗାଣ ସ୍ଥିତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସମବାୟ ବିଭାଗ, ମାର୍କଫେଡ଼, ଓଡ଼ିଶା କୃଷି ଶିଳ୍ପ ନିଗମ ଲିମିଟେଡ଼ ଇତ୍ୟାଦି ସଂସ୍ଥା ତଥା ଇଫ୍ କୋ ଭଳି ପ୍ରମୁଖ ସାର ଉତ୍ପାଦନକାରୀ ସଂସ୍ଥା ଇତ୍ୟାଦିରୁ ବହୁ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ପୂର୍ବ ବର୍ଷର ରେକର୍ଡ ପରିମାଣକୁ ଅନୁଧ୍ୟାନ କରି ସେହି ଅନୁସାରେ ଆଗୁଆ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡ଼ ପାଢ଼ୀ । ଖରିଫ ଋତୁ ପାଇଁ ପ୍ରାୟତଃ ଅଗଷ୍ଟରୁ ସେପ୍େଟମ୍ବର ମାସ ମଧ୍ୟଭାଗ ପର୍ଯନ୍ତ ସାରର ସର୍ବାଧିକ ଚାହିଦା ରହିଥାଏ । ଏହି ଚାହିଦାକୁ ମେଂଟାଇବା ପାଇଁ ଖରିଫ ଋତୁ ଆରମ୍ଭରେ ସରକାର ମାର୍କଫେଡ଼, ପାକ୍ସ, ଲ୍ୟାମ୍ପସ ତଥା ଖୁଚୁରା ଡିଲରମାନଙ୍କ ପାଖରେ ବିଭିନ୍ନ ସାର ଯଥା ୟୁରିଆ, ଡିଏପି, ଏମଓପି, ଏନପିକେଏସ୍ , ଏସଏସପି ଆଦି ଉପଲବ୍ଧ କରାଇବା ପାଇଁ ବିଭାଗ ତରଫରୁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇଛି । ସେହିଭଳି ନାନୋ ସାର ଭଳି ଅନ୍ୟାନ୍ୟ ଇନପୁଟର ଟ୍ୟାଗିଂ ନ କରିବାକୁ ସାର ଉତ୍ପାଦନକାରୀଙ୍କୁ ସରକାରଙ୍କ ତରଫରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେପରି ଚାଷୀମାନେ କୌଣସି ବାଧ୍ୟବାଧକତା ବିନା ସ୍ୱାଧୀନ ଭାବେ ଆବଶ୍ୟକୀୟ ସାର କ୍ରୟ କରିପାରିବେ । ନକଲି ସାରର ବିକ୍ରୟ/ କଳାବଜାରୀ/ ଗଚ୍ଛିତ ରଖିବା ଆଦି ବେଆଇନ୍ କାର୍ଯ୍ୟକୁ ରୋକିବା ପାଇଁ ସାର ଯୋଗାଣ କାରୀ ସଂସ୍ଥା ଓ ସାର ବିକ୍ରେତା ମାନଙ୍କୁ କୃଷି ସଚିବ ଡ଼ ପାଢ଼ୀ ତାଗିଦ କରିଛନ୍ତି । ସୂଚନାଯୋଗ୍ୟ ଯେ, କଳାବଜାରୀ ଆଦିକୁ ରୋକିବା ପାଇଁ ଏନଫୋର୍ସମେଂଟ ସ୍କ୍ୱାର୍ଡ ଦ୍ୱାରା ଚଢାଉ ଜାରି ରହିଛି । ନିୟମିତ ଭାବରେ ସାର ଖୁଚୁରା ବିକ୍ରେତା ଏବଂ ପାଇକାରୀ ବିକ୍ରେତା ପଏଂଟଗୁଡ଼ିକର ଅଚାନକ ଯାଂଚ ଏବଂ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଯେକୌଣସି ପ୍ରକାରର ବେଆଇନ କାର୍ଯ୍ୟକଳାପ ଯାଂଚ କରି ରାଜ୍ୟ ସାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସାରା ଓଡ଼ିଶାରେ ସମୟାନୁସାରେ ସାରର ଯୋଗାଣ ସୁନିଶ୍ଚିତ କରିବା ପାଇଁ ନୂତନ ରେକ୍ ପଏଂଟ ସ୍ଥାପନ ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.