ସାଇବର ସୁରକ୍ଷା ପାଇଁ ବ୍ୟାପକ ଜନସଚେତନତା ଏକାନ୍ତ ଆବଶ୍ୟକ: ରାଜ୍ୟପାଳ

0 134

ଭୁବନେଶ୍ୱର, : ସଂପ୍ରତି ବିଶ୍ୱରେ ସାଇବର ଅପରାଧ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଛି ଏବଂ ସାଇବର ସୁରକ୍ଷା ବ୍ୟକ୍ତି, ସଂଗଠନ ଏବଂ ସରାକରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏଣୁ ସାଇବର ସୁରକ୍ଷା ପାଇଁ ବ୍ୟାପକ ଜନସଚେତନା ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି । ଚଳିତ ଜୁନ୍ ୨୩ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ \”ସାଇବର ସୁରକ୍ଷା’ ସଂପର୍କିତ ସଚେତନତା
ଅଭିଯାନରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ ଏହା କହିଛନ୍ତି । ନିଜ ଉଦ୍‌ବୋଧନରେ ରାଜ୍ୟପାଳ କହିଥିଲେ ଯେ, ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ବିକଶିତ ହେବା ଏବଂ ଇଂଟରନେଟ୍ ଉପରେ ଆମର ନିର୍ଭରଶୀଳତା ବୃଦ୍ଧି ପାଇବା ସହିତ ଭର୍ଚୁଆଲ କ୍ଷେତ୍ରରେ ଥିବା ବିପଦଗୁଡିକ ମଧ୍ୟ ବୃଦ୍ଧି ପାଉଛି । ବ୍ୟକ୍ତିଗତ ସ୍ମାର୍ଟ ଫୋନ ଏବଂ ବ୍ୟାଙ୍କିଗ୍ ସିଷ୍ଟମରୁ ଆରମ୍ଭ କରି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଏବଂ ଜାତୀୟ ପ୍ରତିରକ୍ଷା ନେଟ୍‌ୱାର୍କ ପର୍ଯ୍ୟନ୍ତ ସବୁକିଛିକୁ ଟାର୍ଗେଟ୍ କରି ସାଇବର
ଆକ୍ରମଣ ବାରମ୍ବାର ହେଉଛି । ଏହି ଆକ୍ରମଣ ଆର୍ଥିକ କ୍ଷତି, ତଥ୍ୟ ଚୋରି, ସମ୍ମାନ ହାନି ଏବଂ ଜାତୀୟ ସୁରକ୍ଷା ପ୍ରତି ବିପଦ ମଧ୍ୟ ସୃଷ୍ଟି କରିପାରିବ । କେବଳ ପ୍ରଯୁକ୍ତିବିଦ୍ୟା ସାଇବର ସୁରକ୍ଷାର ଗ୍ୟାରେଂଟି ଦେଇ ପାରିବ ନାହିଁ । ମଣିଷର ତ୍ରୁଟି ସୁରକ୍ଷା ଉଲଂଘନର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ । ତେଣୁ ସୁରକ୍ଷିତ ଅନଲାଇନ୍ ବ୍ୟବହାର ବିଷୟରେ ଶିକ୍ଷା ଏବଂ ସଚେତନତା ଜରୁରୀ ହୋଇପଡିଛି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଥିଲେ । ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ମହାନିର୍ଦ୍ଦେଶକ କ୍ରାଇମବ୍ରାଂଚ ବିନୟତୋଷ ମିଶ୍ର ସାଇବର ଅପରାଧ ଏବଂ ସାଇବର ସୁରକ୍ଷାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରି ଅବଗତ କରାଇଥିଲେ । ଅତିରିକ୍ତ ଏସ୍‌.ପି ସିବିସିଆଇଡି ରିତେଶ ମହାପାତ୍ର ବିଭିନ୍ନ ପ୍ରକାରର ସାଇବର ଅପରାଧ ସଂପର୍କରେ ଅବଗତ କରାଇବା ସହ ସାଇବର ସୁରକ୍ଷା ପାଇଁ ଉପଲବ୍ଧ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍ ରାଜପୁତ, ଡିଆଇଜି ପୋଲିସ୍‌-ଏସ୍‌ଟିଏଫ୍‌ ପିନାକ ମିଶ୍ରଙ୍କ ସମେତ ରାଜଭବନର ଅଧିକାରୀ / କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.