ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ ଓଟିଇଟି ପରୀକ୍ଷା

Special OTET exam to be held on August 31

0 26

ଭୁବନେଶ୍ୱର, ୧ା୮ : ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ ଓଟିଇଟି । ଏନେଇ ଶୁକ୍ରବାର ମାଧ୍ୟମିକ ଶିକ୍ଷା ପରିଷଦ (ପିଏସ୍ଇ) ପକ୍ଷରୁ ସୂଚନା ଦିଆଯାଇଛି । ଦୁଇଟି ସିଟିଂରେ ହେବ ସ୍ପେଶାଲ୍ ଓଟିଇଟି । ସକାଳ ୯ଟାରୁ ୧୧.୩୦ ଯାଏ ପେପର୍-୧ ପରୀକ୍ଷା ହେବ । ଦିନ ୨ଟାରୁ ସାଢେ ୪ଟା ଯାଏ ପେପର୍-୨ ପରୀକ୍ଷା ହେବ । ଏହି ପରୀକ୍ଷା ପାଇଁ ଅଗଷ୍ଟ ୨୨ରୁ ୱେବସାଇଟରେ ଉପଲବ୍ଧ ହେବ ଆଡମିଟ୍ କାର୍ଡ । ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପୂର୍ବ ପରୀକ୍ଷା ବାତିଲ୍ ହୋଇଥିଲା । ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଏଯାବତ ୭ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ବୋର୍ଡ ଉପସଭାପତିଙ୍କ ଅଫିସର ଜଣେ ଡାଟା ଏଣ୍ଟ୍ରୀ ଅପରେଟର ରହିଥିବା ବେଳେ ୨ ଜଣ ଶିକ୍ଷକ ନେତା ବି ଅଛନ୍ତି । ଶୁକ୍ରବାର ଏକ ପ୍ରେସମିଟରେ କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର କହିଛନ୍ତି, କାହିଁକି ପ୍ରଶ୍ନପତ୍ର ଲିକ୍ ହେଲା, ତା’ର ତଦନ୍ତ ଚାଲିଛି । ବୋର୍ଡ ଅଫିସ୍ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ୭ ଜଣ ଗିରଫ ହେବା ପରେ ଆଉ କିଏ ରହିଛନ୍ତି ସେନେଇ ତଦନ୍ତ ଜାରି ରହିଛି । ଲାପଟପ୍ ପାସୱାର୍ଡ କେମିତି ମିଳିଲା ତଦନ୍ତ ଚାଲିଛି । କାହା କାହା ପାଖକୁ ପ୍ରଶ୍ନପତ୍ର ଯାଇଛି, ତା’ର ଲିଙ୍କ୍ ଖୋଜା ଚାଲିଛି । ସମସ୍ତଙ୍କୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ସୂଚନାଯୋଗ୍ୟ, ବୋର୍ଡ ଉପସଭାପତି କାର୍ଯ୍ୟାଳୟର ଡାଟା ଏଣ୍ଟ୍ରୀ ଅପରେଟର ଜିତନ ମହାରଣା ଉପସଭାପତିଙ୍କ ଲାପଟପରୁ ପ୍ରଶ୍ନ ଲିକ୍ କରିଥିଲେ । ସେ ଏହାକୁ ରାଜ୍ୟ ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଗଠନର କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ର ଓ କୋରାପୁଟ ଜିଲ୍ଲା ଏକ୍ସ-କ୍ୟାଡର ଶିକ୍ଷକ ସଙ୍ଗଠନର ସଭାପତି ସନାତନ ବିଶୋୟୀଙ୍କୁ ପ୍ରଦାନ କରିଥିଲେ । ଏହି ବ୍ୟକ୍ତିମାନେ ପୂର୍ବ ସ୍ପେଶାଲ୍ ଓଟିଇଟି ପରୀକ୍ଷାରେ ଅସଫଳ ହୋଇଥିବା ଶିକ୍ଷକମାନଙ୍କୁ ଆକୃଷ୍ଟ କରି ରାମଜୀ ପ୍ରସାଦ ଗୁପ୍ତା, ଅଜୟ ସାହୁ ଓ ଜୟନ୍ତ କୁମାର ରାଉତଙ୍କ ମାଧ୍ୟମରେ ଲିକ୍ ହୋଇଥିବା ପ୍ରଶ୍ନପତ୍ର ବିକ୍ରି କରିଥିଲେ । ଅଭିଯୁକ୍ତମାନେ ଏହି ପ୍ରଶ୍ନପତ୍ର ବଦଳରେ ଶିକ୍ଷକମାନଙ୍କଠାରୁ ବ୍ୟାଙ୍କ ଟ୍ରାନ୍ସଫର ଓ ନଗଦ ଟଙ୍କା ଗ୍ରହଣ କରିଥିଲେ । ଚାକିରି ନିୟମିତକରଣ ଓ ବେତନ ବୃଦ୍ଧି ପାଇଁ ଆଶାୟୀ ଶିକ୍ଷକମାନଙ୍କୁ ଶୋଷଣ କରି ପ୍ରଶ୍ନପତ୍ର ବିକ୍ରି କରିବା ଏହି ଷଡ଼ଯନ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଡାଟା ଏଣ୍ଟ୍ରୀ ଅପରେଟର ଜିତନ ମହାରଣା ଫୋନ-ପେ ମାଧ୍ୟମମରେ ୨.୫୦ଲକ୍ଷ ଟଙ୍କା ପାଇଥିଲେ । ଅନ୍ୟ ଅଭିଯୁକ୍ତଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି, କାରଣ ଏହି ରାକେଟ ବିଭିନ୍ନ ଜିଲ୍ଲାରେ ସକ୍ରିୟ ଥିବା ସନ୍ଦେହ କରାଯାଉଛି ଏବଂ ପୀଡ଼ିତଙ୍କଠାରୁ ପ୍ରଚୁର ଅର୍ଥ ସଂଗ୍ରହ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.