ଅଦାନୀଙ୍କ ପାଇଁ ରଥକୁ ରୋକାଗଲା: ରାହୁଲ

0 28

ଭୁବନେଶ୍ୱର, : \”ଅଦାନୀ ଓ ତାଙ୍କ ପରିବାର ପାଇଁ ରଥକୁ ରୋକାଗଲା । ଏହା ଆପଣଙ୍କ ସରକାର ନୁହେଁ, ଅଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର ।\’ ଶୁକ୍ରବାର ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ କଂଗ୍ରେସ ପକ୍ଷରୁ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେଇ ରାହୁଲ ଗାନ୍ଧୀ ରାଜ୍ୟ ସରକାର ଓ ବିଜେପିକୁ ସମାଲୋଚନା କରି ଏହି କଥା କହିଛନ୍ତି । ସେ କହିଛନ୍ତି, ଓଡ଼ିଶା ସରକାର କେବଳ ଗରିବଙ୍କୁ ଲୁଟୁଛନ୍ତି । ପ୍ରଥମେ ବିଜେଡି ଲୁଟୁଥିଲା, ଏବେ ବର୍ତ୍ତମାନର ସରକାର ଲୁଟୁଛି । ବିଜେପି ପୂରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି । ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି । ମହାରାଷ୍ଟ୍ରରେ ୧ କୋଟି ନୂଆ ଭୋଟର୍ କିପରି ଆସିଲେ? ମହାରାଷ୍ଟ୍ର ଭଳି ଏବେ ବିହାରରେ ବି ନିର୍ବାଚନ ଚୋରି ଉଦ୍ୟମ ଚାଲିଛି । କିନ୍ତୁ ଆମେ ଏଭଳି କରିବାକୁ ଦେବୁନି । ସେମାନଙ୍କର ଏହି ଉଦ୍ୟମକୁ ଆମେ ଅଟକାଇବୁ । ରାହୁଲ କହିଛନ୍ତି, ଜଳ, ଜଙ୍ଗଲ ଓ ଜମି ଆଦିବାସୀଙ୍କର ଅଛି ଏବଂ ସର୍ବଦା ରହିବ । ଏଠାରେ ଆଦିବାସୀଙ୍କୁ ଜମିରୁ ହଟାଯାଉଛି । ସଠିକ କ୍ଷତିପୂରଣ ଦିଆଯାଉନି । ଓଲଟି ଧମକ ଦିଆଯାଉଛି । ପେସା ଆଇନ୍ ଲାଗୁ ହେଉନି । କିନ୍ତୁ ଆମେ ଏହା ଲାଗୁ କରିବୁ । ନିର୍ଯାତିତ ଲୋକଙ୍କ ପାଇଁ କଂଗ୍ରେସ ଠିଆ ହେବ । ବିକାଶ ୨/୩ ଅରବପତିଙ୍କ ପାଇଁ କରାଯାଏନି । ବିକାଶ ଓଡ଼ିଶାର ଜନତାଙ୍କ ପାଇଁ କରିବା ଉଚିତ । ପୁରୀ ରଥଯାତ୍ରା ଅଘଟଣକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି, ଏଥର ରଥଟଣା ବେଳେ ଏକ ହାଇଡ୍ରାମା ହେଲା । ଅଦାନୀ ଓ ତାଙ୍କ ପରିବାର ପାଇଁ ରଥକୁ ରୋକାଗଲା । ଏହା ଆପଣଙ୍କ ସରକାର ନୁହେଁ, ଅଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର । ଏମାନଙ୍କ ଲକ୍ଷ୍ୟ- ଜମି ଓ ଜଙ୍ଗଲ ଚୋରି କରିବା । ସେମାନେ ଜଙ୍ଗଲ ଓ ଜମି ନେଉଛନ୍ତି, କିନ୍ତୁ କେତେ ଜଣଙ୍କୁ ଚାକିରି ଦେଉଛନ୍ତି । ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ରାହୁଲ କହିଛନ୍ତି, ଓଡ଼ିଶାରୁ ୪୦ ହଜାରରୁ ଅଧିକ ମହିଳା ଗାଏବ ହୋଇଛନ୍ତି । ସେମାନେ କୁଆଡ଼େ ଗଲେ କେହି ଜାଣିନାହାନ୍ତି । ପ୍ରତିଦିନ ରାଜ୍ୟରେ ୧୫ ମହିଳାଙ୍କ ଦୁଷ୍କର୍ମ ହେଉଛି, କିନ୍ତୁ ସରକାର ନୀରବଦ୍ରଷ୍ଟା । ଏଠିକାର ସରକାର କେବଳ ଲୋକଙ୍କ ରକ୍ତ ଶୋଷୁଛି । ମୁଁ ଏହି ସରକାର ବିରୋଧରେ ଲଢିବାକୁ ଚାହୁଁଛି । ସେହିପରି ଜାତି ଜନଗଣନା ଉପରେ ଜୋର ଦେଇ ରାହୁଲ କହିଛନ୍ତି, ଏଠି ଦଳିତଙ୍କୁ ନା ସରକାରରେ ସ୍ଥାନ ମିଳୁଛି, ନା ବ୍ୟୁରୋକ୍ରାସିରେ । ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ହେଲେ ଜାତି ଜନଗଣନା ଜରୁରୀ । ଜାତି ଜନଗଣନା ହେଲେ ଦଳିତ ଓ ପଛୁଆଙ୍କୁ ସେମାନଙ୍କ ପ୍ରକୃତ ଶକ୍ତି ଜଣାପଡ଼ିବ । ପ୍ରକୃତ ଶକ୍ତି ଜାଣିପାରିଲେ ସେମାନେ ସରକାରକୁ ଉପାଡ଼ି ଫୋପାଡ଼ି ଦେବେ । ରାଜ୍ୟରେ ଚାଲିଥିବା ଡ୍ରାଇଭର ଆନ୍ଦୋଳନକୁ ସମର୍ଥନ କରିଛନ୍ତି ରାହୁଲ । ସେ କହିଛନ୍ତି, ଡ୍ରାଇଭର ସଂଘ ଉପରେ ଚାପ ପକାଯାଇଥିଲା ଓ ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ଡ୍ରାଇଭର ସଂଘ ସେମାନଙ୍କ କଥା ଶୁଣିଲେନି । ଏଥିପାଇଁ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଉଛି । ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବା ଉଚିତ । ସେହିପରି ଏହି ସମାବେଶରେ ଯୋଗ ଦେଇଥିବା ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ । ଭୁବନେଶ୍ୱରକୁ ରାଜଧାନୀ କରିଥିଲେ ନେହରୁ । ଭୁବନେଶ୍ୱରରେ ଏମ୍ସ ଓ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫିଜିକ୍ସ କଂଗ୍ରେସ କରିଛି । ବିଜେପିର ଅବଦାନ ଜିରୋ । ସେମାନେ ଏଠାରେ କିଛି କାମ କରିନାହାନ୍ତି । କିଛି କାମ ନ କରି କେବଳ ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେପି । ପୁଣି କିଛି ନକରି କେବଳ ବିକ୍ରି କରିବାରେ ଲାଗି ପଡ଼ିଛନ୍ତି । ଡବଲ ଇଞ୍ଜିନ ସରକାର ଗରିବଙ୍କ ପାଇଁ ନୁହେଁ, କେବଳ ଧନୀଙ୍କ ପାଇଁ । ଦେଶର ସମ୍ବିଧାନକୁ ସମାପ୍ତ କରିବା ମୋଦିଙ୍କ ଲକ୍ଷ୍ୟ । ଧର୍ମ ନାଁରେ ବିଭାଜନ ରାଜନୀତି କରୁଛି ବିଜେପି । ଭାରତ ପାକିସ୍ତାନ ଯୁଦ୍ଧ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି ଖଡଗେ କହିଛନ୍ତି, ଯୁଦ୍ଧ ବନ୍ଦ ପାଇଁ କହିଥିବା ଟ୍ରମ୍ପ ୧୬ ଥର କହିଛନ୍ତି । କିନ୍ତୁ ମୋଦି ଥରୁଟିଏ ବି ଏହା ବିରୋଧରେ କହିଲେନି । ରାହୁଲ ମଣିପୁର ଗଲେ, ମୋଦି କାହିଁକି ଗଲେନି । ବିଦେଶ ବୁଲୁଛନ୍ତି, କିନ୍ତୁ କାହିଁକି ମଣିପୁର ଯାଉନାହାନ୍ତି । ଗଞ୍ଜାମ ଜିଲ୍ଲାରେ ୨ ଦଳିତଙ୍କୁ ନିର୍ଯାତନା ଘଟଣା ପ୍ରସଙ୍ଗ ଉଠାଇ ଖଡଗେ କହିଛନ୍ତି, ଓଡ଼ିଶାରେ ସରକାର ଶୋଇପଡ଼ିଛି, ଉଠାଇବାକୁ ହେବ ।

Leave A Reply

Your email address will not be published.