“ଅପରେସନ୍ ସିନ୍ଦୂର’ରେ ନିହତ ହୋଇଛନ୍ତି ୧୦୦ ଆତଙ୍କୀ

"100 terrorists killed in Operation Sindoor"

0 204

ନୂଆଦିଲ୍ଲୀ, ୨୮ା୭ : ଲୋକସଭାରେ ପହଲଗାମ୍ ଆତଙ୍କୀ ହମଲା ଓ ଏବଂ ଅପରେସନ ସିନ୍ଦୂର ଉପରେ ଆଲୋଚନା ଆରମ୍ଭ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନା ଆରମ୍ଭ କରି ସେନାର ସାହସିକତାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ସେନା ୬-୭ ମଇ ରାତିରେ ଏକ ଐତିହାସିକ ଅପରେସନ କରିଥିଲା । ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଲୋକଙ୍କୁ ସେମାନଙ୍କ ଧର୍ମ ପ·ରି ହତ୍ୟା କରାଯାଇଥିଲା । ଏହା ଅମାନବିକତାର ସବୁଠାରୁ ବଡ଼ ଉଦାହରଣ । ଏହା ପରେ ପ୍ରଧାନମନ୍ତ୍ରୀ ତିନି ସେନା ମୁଖ୍ୟଙ୍କ ସହ ବୈଠକ କରି ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ଦେଇଥିଲେ । ଆମେ ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ପଶି କରି ହତ୍ୟା କରିଛୁ । ସେନା ଆମର ମା’ ଏବଂ ଭଉଣୀଙ୍କ ସିନ୍ଦୂରର ପ୍ରତିଶୋଧ ଆତଙ୍କବାଦୀଙ୍କଠାରୁ ନେଇଛି । କାରଣ ହନୁମାନଙ୍କ ଭଳି ଆମର ଲକ୍ଷ୍ୟ ନିର୍ଦ୍ଧିଷ୍ଟ ଥିଲା । ଏହି ଅପରେସନରେ ୧୩ ଆତଙ୍କୀ ଆ‡ାକୁ ଟାର୍ଗେଟ କରାଯାଇଥିଲା । ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ଏବଂ ହ୍ୟାଣ୍ଡଲର ନିହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ଏହାଠାରୁ ବହୁତ ଅଧିକ । ଏହି ସମସ୍ତଙ୍କୁ ପାକିସ୍ତାନ ସେନା ଓ ଆଇଏସ୍ଆଇର ଖୋଲା ସମର୍ଥନ ଥିଲା । ୨୨ ମିନିଟରେ ସରିଥିଲା ପୁରା ଅପରେସନ୍ । ରାଜନାଥ ସିଂହ କହିଛନ୍ତି, ଆମର ଆକ୍ରମଣ ପାକିସ୍ତାନର ନିରୀହ ଲୋକଙ୍କ ପାଇଁ ନଥିଲା । ଏହା କେବଳ ପାକିସ୍ତାନର ସାମରିକ ଘାଟି ଉପରେ ହୋଇଥିଲା । କିନ୍ତୁ ପାକିସ୍ତାନ ଆମର ସାଧାରଣ ଲୋକ ଏବଂ ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା । ଆମେ ପହଲଗାମ୍ ଆକ୍ରମଣର କଡା ଜବାବ ଦେଇଛୁ । ପାକିସ୍ତାନ ପଟୁ ହୋଇଥିବା ପ୍ରତିଟି ଆକ୍ରମଣ ସେନା ବିଫଳ କରିଥିଲା । ପାକିସ୍ତାନ ୭ ମଇରୁ ୧୦ ମଇ ରାତି ୧ଟା ୩୦ ପର୍ଯ୍ୟନ୍ତ ଆକ୍ରମଣ ପାଇଁ କ୍ଷେପଣାସ୍ତ୍ର ଏବଂ ଦୂରଗାମୀ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା । ସେମାନଙ୍କର ଟାର୍ଗେଟ ଥିଲା ଆମର ସାମରିକ ଘାଟି, ଆମର ପ୍ରତିରକ୍ଷା ପ୍ରଣାଳୀ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ । ପାକିସ୍ତାନର ପ୍ରତ୍ୟେକ ଆକ୍ରମଣକୁ ବିଫଳ କରିଥିଲୁ ଆମେ । ପାକିସ୍ତାନ ନିଜର କୌଣସି ଲକ୍ଷ୍ୟସ୍ଥଳକୁ ଛୁଇଁ ପାରିନଥିଲା । ପ୍ରତ୍ୟେକ ଆକ୍ରମଣକୁ ଆମେ ବିଫଳ କରିଥିଲୁ । ଭାରତ ଏହି ଅପରେସନ ବନ୍ଦ କରିବା ପଛର କାରଣ ଥିଲା, ଆମେ ସମସ୍ତ ଲକ୍ଷ୍ୟ ହାସଲ କରିସାରିଥିଲୁ । ଭାରତ ଚାପରେ ଅପରେସନ ବନ୍ଦ କରିଦେଇଥିଲା ତାହା ଭାବିବା ସମ୍ପୂର୍ଣ୍ଣ ଭୁଲ । ଅପରେସନ ସିନ୍ଦୁର ଆରମ୍ଭ କରିବାର ଉଦ୍ଦେଶ୍ୟ ଥିଲା ବର୍ଷ ବର୍ଷ ଧରି ପାକିସ୍ତାନରେ ପାଳିତ ଆତଙ୍କୀ ନର୍ସରୀଗୁଡ଼ିକୁ ନଷ୍ଟ କରିବା । ଏହି ଅପରେସନର ଉଦ୍ଦେଶ୍ୟ ଯୁଦ୍ଧ କରିବା ନୁହେଁ । ମେ ୧୦ ତାରିଖ ସକାଳେ, ଯେତେବେଳେ ଭାରତୀୟ ବାୟୁସେନା ପାକିସ୍ତାନର ଏୟାରଫୋର୍ସ ଉପରେ ଆକ୍ରମଣ କରିଥିଲା, ପାକିସ୍ତାନ ପରାଜୟ ସ୍ୱୀକାର କରିଥିଲା । ମୁଁ ପୂର୍ବରୁ କହି ସାରିଛି, ଏହାକୁ କାହିଁକି ବନ୍ଦ କରାଯାଇଥିଲା । ଆମେ କହିଥିଲୁ ଅପରେସନ କେବଳ ବନ୍ଦ କରାଯାଇଛି । ଯଦି ପାକିସ୍ତାନ ପକ୍ଷରୁ କିଛି ହୁଏ, ତେବେ ଏହି ଅପରେସନ ପୁଣି ଆରମ୍ଭ ହେବ । ପାକିସ୍ତାନର ପରାଜୟ ଏକ ସାଧାରଣ ବିଫଳତା ନଥିଲା, ଏହା ତ’ର ସାମରିକ ଶକ୍ତି ଏବଂ ମନୋବଳ ଉଭୟର ପରାଜୟ ଥିଲା । ପାକିସ୍ତାନର ଡିଜିଏମଓ ଭାରତର ଡିଜିଏମଓଙ୍କ ସହିତ ଯୋଗାଯୋଗ କରି କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଅନୁରୋଧ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ଆମେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲୁ । ଅପରେସନ ସିନ୍ଦୁର ସମୟରେ ୧୪୦ କୋଟି ଲୋକ ସେନାର ସାହସିକତା ଦେଖିଥିଲେ । ବିରୋଧି ଦଳ ଅଭିଯୋଗ କରୁଛି ଅପରେସନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ଚାପରେ ବନ୍ଦ ହୋଇଛି । ତେବେ ଏହା ସତ ନୁହେଁ, ପାକିସ୍ତାନର ଅନୁରୋଧ ଏବଂ ପରାଜୟ ସ୍ୱୀକାର ପରେ ଆମେ ଅସ୍ତ୍ରବିରତି ଘୋଷଣା କରିଥିଲୁ । ବିରୋଧୀ ଦଳ ପଚାରୁଛନ୍ତି ଯେ ଆମର କେତେ ବିମାନ ଖସାଇ ଦିଆଯାଇଛି । ଏହି ପ୍ରଶ୍ନ ଜନସାଧାରଣଙ୍କ ଭାବନାକୁ ସଠିକ୍ ଭାବରେ ପ୍ରତିନିଧିତ୍ୱ କରେ ନାହିଁ । ଯଦି ସେମାନଙ୍କୁ ପ୍ରଶ୍ନ ପଚାରିବାର ଅଛି ତେବେ ସେମାନେ ପଚାରିବା ଉଚିତ ଯେ ଅପରେସନ ସିନ୍ଦୂର ସଫଳ ହୋଇଛି କି ନାହିଁ, ଉତ୍ତର ହେଉଛି ହଁ । ରାଜନାଥ ସିଂହ କହିଛନ୍ତି ଯେ ଯେତେବେଳେ ଲକ୍ଷ୍ୟ ବଡ଼ ହୋଇଥାଏ, ସେତେବେଳେ ଛୋଟ ଛୋଟ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଉଚିତ ନୁହେଁ । ଏହା ଦେଶର ସୁରକ୍ଷା, ସୈନିକଙ୍କ ସମ୍ମାନ ଏବଂ ଉତ୍ସାହରୁ ଧ୍ୟାନ ହଟାଇପାରେ । ଯଦି ବିରୋଧୀ ଦଳର ବନ୍ଧୁମାନେ ଅପରେସନ ସିନ୍ଦୂର ଉପରେ ଉପଯୁକ୍ତ ପ୍ରଶ୍ନ ପଚାରି ପାରୁନାହାଁନ୍ତି, ତେବେ ମୁଁ କ’ଣ କହିବି । ମୁଁ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ରାଜନୀତିରେ ଅଛି । ମୁଁ କେବେ ବି ବିରୋଧୀ ଦୃଷ୍ଟିକୋଣରୁ ରାଜନୀତି ଦେଖିନାହିଁ । ଆଜି ଆମେ ଶାସକ ଦଳରେ ଅଛୁ, କିନ୍ତୁ ଏହା ଜରୁରୀ ନୁହେଁ ଯେ ଆମେ ସର୍ବଦା କ୍ଷମତାରେ ରହିବୁ । ଯେତେବେଳେ ଜନତା ଆମକୁ ବିରୋଧୀ ଦଳରେ ରହିବାର ଦାୟିତ୍ୱ ଦେଇଥିଲେ, ଆମେ ଏହାକୁ ସକାରାତ୍ମକ ଭାବରେ ପୂରଣ କରିଛୁ । ଯେତେବେଳେ ୧୯୬୨ ମସିହାରେ ଚୀନ୍ ସହିତ ଯୁଦ୍ଧର ଦୁଃଖଦ ଫଳାଫଳ ଆସିଥିଲା, ଆମେ ପଚାରିଥିଲୁ ଯେ ଆମର ଭୂମି ଅନ୍ୟ ଏକ ଦେଶ ଦ୍ୱାରା କିପରି ଦଖଲ କରାଯାଇଥିଲା । ଆମେ ପଚାରିଥିଳୁ ସେନା କର୍ମଚାରୀମାନଙ୍କୁ କିପରି ହତ୍ୟା କରାଯାଇଥିଲା । ଆମେ ମେସିନ୍ ଏବଂ ବନ୍ଧୁକ ବିଷୟରେ ଚିନ୍ତା କରୁନାହୁଁ ବରଂ ଦେଶର କଲ୍ୟାଣ ବିଷୟରେ ଚିନ୍ତିତ ଥିଲୁ । ଯେତେବେଳେ ଆମେ ୧୯୭୧ ମସିହାରେ ପାକିସ୍ତାନକୁ ଶିକ୍ଷା ଦେଇଥିଲୁ, ଆମେ ରାଜନୈତିକ ଏବଂ ସାମରିକ ନେତୃତ୍ୱକୁ ପ୍ରଶଂସା କରିଥିଲୁ । ଅଟଳ ବିହାରୀ ବାଜପେୟୀ ସଂସଦରେ ଠିଆ ହୋଇ ସେ ସମୟର ନେତୃତ୍ୱକୁ ପ୍ରଶଂସା କରିଥିଲେ । ଆମେ ସେତେବେଳେ ମଧ୍ୟ ଏପରି ପ୍ରଶ୍ନ ପଚାରି ନଥିଲୁ । ଏହାକୁ ଅଧିକ ପ୍ରାକ୍ଟିକାଲ ଭାବରେ ବୁଝାଇବାକୁ ଗଲେ କହିବି, ପରୀକ୍ଷାର ଫଳାଫଳ ଗୁରୁତ୍ୱପୂର୍ଣ୍ଣ । ଆମେ ପିଲାର ମାର୍କ ବିଷୟରେ ଚିନ୍ତା କରିବା ଉଚିତ, ପରୀକ୍ଷା ସମୟରେ ତାଙ୍କ ପେନସିଲ୍ ଭାଙ୍ଗିଯିବା ବିଷୟରେ ନୁହେଁ । ଫଳସ୍ୱରୂପ ଆମର ସେନା ଅପରେସନ୍ ସିନ୍ଦୁର ସମୟରେ ଧାର୍ଯ୍ୟ ଲକ୍ଷ୍ୟକୁ ସମ୍ପୂର୍ଣ୍ଣ ଭାବରେ ହାସଲ କରିପାରିଛି । ଭାରତ ସର୍ବଦା ପାକିସ୍ତାନ ସମେତ ପ୍ରତ୍ୟେକ ପଡ଼ୋଶୀ ଦେଶ ସହିତ ବନ୍ଧୁତା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଚାହୁଁଛି ।

Leave A Reply

Your email address will not be published.