ବାରିପଦା,୧୯ା୧୧ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୦ ଓ ୨୧ ତାରିଖରେ ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି । ଏନେଇ ପ୍ରଶାସନିକସ୍ତରରେ ବ୍ୟାପକ ପ୍ରସ୍ତୁତି •ଲିଥିବା ବେଳେ ଶନିବାର ବାୟୁସେନା ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଛି । ବାରିପଦାସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ହେଲିକପ୍ଟର୍ ଅବତରଣ ନିମନ୍ତେ ଅସ୍ଥାୟୀ ୩ଟି ହେଲିପ୍ୟାଡ୍ ନିର୍ମିତ ହୋଇଛି । ବାୟୁସେନାର ଅଧିକାରୀମାନେ ସେଠାରେ ପହଞ୍ଚି ସ୍ଥିତି ପରଖିଥିଲେ । ରାଷ୍ଟ୍ରପତିଙ୍କ ହେଲିକେପ୍ଟର ଅବତରଣ ସହ କାରକେଡ୍ର କିପରି ସୁପରି•ଳନା ହେବ, ସେ ସଂପର୍କରେ ପଶ୍ଚିମବଙ୍ଗର କୋଲେଇକୁଣ୍ଡାରୁ ଆସୁଥିବା ବାୟୁସେନାର ସ୍ୱତନ୍ତ୍ର ଅଧିକାରୀମାନେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା ଓ ଅନୁଧ୍ୟାନ କରିଛନ୍ତି । ହେଲିପ୍ୟାଡ୍ କଡ଼ରେ ଥିବା ଗଛ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ସୁରକ୍ଷା ନିମନ୍ତେ ୩୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ପ୍ରତିଟି ଗସ୍ତସ୍ଥଳରେ ବରିଷ୍ଠ ପୋଲିସ ବିଭାଗର ଅଧିକାରୀ ଦାୟିତ୍ୱରେ ରହିଛନ୍ତି । ଅତିରିକ୍ତ ଏସପି, ଡିଏସପି, ଇନି୍ସପେକ୍ଟର, ଏସଆଇ ସମେତ ୫୦ରୁ ଊର୍ଦ୍ଧ୍ୱ ପୋଲିସ ଅଧିକାରୀ ନିୟୋଜିତ ରହିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ସୂଚରୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଗସ୍ତସୂଚୀ ଅନୁଯାୟୀ, ନଭେମ୍ବର ୨୦ତାରିଖରେ ଦିଲ୍ଲୀସ୍ଥିତ ପାଲାମ ଏୟାରପୋର୍ଟରୁ ଉଡ଼ାଜାହାଜ ଯୋଗେ ପଶ୍ଚିମବଙ୍ଗର କୋଳେଇକୁଣ୍ଡା ଏୟାରବେସ୍ରେ ପହଞ୍ଚିବେ । ପରେ ସେଠାରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର୍ ଯୋଗେ ବାରିପଦାର ରିଜର୍ଭ ପୋଲିସ ପଡ଼ିଆର ଅସ୍ଥାୟୀ ହେଲିପ୍ୟାଡ୍ରେ ୧୧ଟା ୨୫ରେ ଅବତରଣ କରିବେ । ସେଠାରୁ ବାହାରି ସହିଦ ସ୍ମୃତି ଭବନରେ ଅନୁଷ୍ଠିତ ୩୬ତମ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ସଡ଼କ ପଥରେ କୁଳିଅଣା ବ୍ଲକରେ ଅବସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟର ଉଦ୍ଘାଟନ କରିବେ । ପରେ ସେଠାରୁ ବାହାରି ବାରିପଦା ସର୍କିଟ୍ ହାଉସରେ ମଧ୍ୟାହ୍ନଭୋଜନ କରି ସାମାନ୍ୟ ବିଶ୍ରାମ ପରେ ଅପରାହ୍ଣରେ ହେଲିକେପ୍ଟର ଯୋଗେ ରାଇରଙ୍ଗପୁର ଅଭିମୁଖେ ଗସ୍ତ କରିବେ । ରାଇରଙ୍ଗପୁର ଡାକବଙ୍ଗଳାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଭାବବିନିମୟ କରିବାର କାର୍ଯ୍ୟକ୍ରମ ରହିଛି । ସେ ରାଇରଙ୍ଗପୁରସ୍ଥିତ ନିଜ ବାସଭବନରେ ବିଶ୍ରାମ ନେବେ । ସେହିପରି ୨୧ତାରିଖ ସକାଳ ୮ଟାରେ ବାସଭବନରୁ ବାହାରି ନିଜ ଶାଶୂଘର ପାହାଡ଼ପୁରରେ ପହଞ୍ଚି ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଉଦ୍ଘାଟନ କରିବେ । ପରେ ଏସଏଲଏସ ସ୍କୁଲ ପରିଦର୍ଶନ ସହ ସ୍ୱାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷମାଲ୍ୟ ଅର୍ପଣ କରିବେ । ପରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବେ । ସେଠାରୁ ବାହାରି ବାଦାମପାହାଡ଼ ରେଳ ଷ୍ଟେସନରେ ପହଞ୍ଚି ନୂତନ ଭାବେ ଟାଟାନଗର-ବାଦାମପାହାଡ ମେମୁ ଟ୍ରେନ, ବାଦାମପାହାଡରାଉରକେଲା ଏକ୍ସପ୍ରେସ ଓ ସାଲିମାର-ବାଦାମପାହାଡ଼ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏଥିସହ ବାଦାମପାହାଡ଼ ଅମୃତ ରେଳଷ୍ଟେସନର ଶିଳାନ୍ୟାସ କରିବେ ।ପରେ ରାଇରଙ୍ଗପୁର ଡାକ ଡିଭିଜନ୍ ଉଦ୍ଘାଟନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡ଼ି ହେବାର କାର୍ଯ୍ୟକ୍ରମ ରହିଛି । ପରେ ବାଦାମପାହାଡ଼ରୁ ରାଇରଙ୍ଗପୁର ରେଳ ଷ୍ଟେସନକୁ ଟ୍ରେନ ଯୋଗେ ଯାତ୍ରା କରି ପହଞ୍ଚି ଦାଣ୍ଡବୋଷ ହେଲିପ୍ୟାଡରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ ।