ଭୁବନେଶ୍ୱର,: ଅଲବିଦା ମହେଶ୍ୱର ମହାନ୍ତି । ପଞ୍ଜଭୂତରେ ଲୀନ ହେଲା ତାଙ୍କର ପାର୍ଥିବ ଶରୀର । ଅନ୍ତିମ ବିଦାୟ ନେଲେ ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ଜନ୍ମମାଟି ତଥା କର୍ମଭୂମି ପୁରୀରେ ପାର୍ଥିବ ଶରୀର ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଲୋକାରଣ୍ୟ ହୋଇପଡ଼ିଥିଲା ପୁରୀ ବାସଭବନ ପରିସର । ମହେଶ୍ୱର ମହାନ୍ତି ଅମର ରହେ ଧ୍ୱନିରେ କମ୍ପିଥିଲା ସାରା ଅଞ୍ଚଳ । ନିଜ ପ୍ରିୟ ନେତାଙ୍କୁ ଶେଷଥର ଆଖି ପୁରାଇ ଦେଖିବା ପାଇଁ ସମସ୍ତେ ବ୍ୟାକୁଳ ଥିଲେ । ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ଭୁବନେଶ୍ୱରରୁ ପୁରୀ ନେବା ବାଟରେ ଦର୍ଶନ କରିଥିଲେ ଶହଶହ ଲୋକ । ମହେଶ୍ୱରଙ୍କୁ ଝୁରୁଛି ପୁରୀ । ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବିଭିନ୍ନ ଦଳର ବହୁ ରାଜନେତା । ଆଜି ପାର୍ଥିବ ଶରୀରକୁ ପ୍ରଥମେ ଶଙ୍ଖ ଭବନ ନିଆଯାଇଥିଲା । ସେଠାରେ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡ଼ିର ବହୁ ନେତା ଓ କର୍ମୀ ମଧ୍ୟ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପାର୍ଟି ଅଫିସରୁ ପାର୍ଥିବ ଶରୀରକୁ ବିଧାନସଭା ନିଆଯାଇଥିଲା । ସେଠାରେ ଗାର୍ଡ ଅଫ୍ ଅନ୍ନର ଦିଆଯିବା ପରେ ପୁରୀ ଅଭିମୁଖେ ଯାଇଥିଲା ମରଶରୀର । ୬୭ ବର୍ଷ ବୟସରେ ଆଖି ବୁଜିଛନ୍ତି ମହେଶ୍ୱର ମହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଭୋର ୩ଟା ୨୫ ମିନିଟ୍ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ବ୍ରେନ ଷ୍ଟୋକ୍ରେ ଗତ ସପ୍ତାହେ ହେବ ସଂକଟାପନ୍ନ ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଥିଲା । ମହେଶ୍ୱରଙ୍କ ବିୟୋଗରେ ଆଉ ଜଣେ ଲୋକପ୍ରିୟ ନେତାଙ୍କୁ ରାଜ୍ୟ ହରାଇଲା । ମହେଶ୍ୱର ମହାନ୍ତି ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ଥିଲେ । ୧୯୭୮ରୁ ୨୦୧୯ ମସିହା ପର୍ଯ୍ୟନ୍ତ ମହେଶ୍ୱର ନିର୍ବାଚିତ ଜନପ୍ରତିନିଧି ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ । ପୁରୀ ପୌର ପରିଷଦର ସଦସ୍ୟ ଓ ପରେ ଅଧ୍ୟକ୍ଷ ଏବଂ ୫ଥର ବିଧାୟକ ହୋଇଥିବା ମହେଶ୍ୱର ୨୦୧୯ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ । ତେବେ ସକ୍ରିୟ ରାଜନୀତିରୁ ସେ ଦୂରେଇ ନଯାଇ ପୁରୀରେ ବିଜେଡିର ସାଂଗଠନିକ କାର୍ଯ୍ୟ ଜାରି ରଖିଥିଲେ । ଦଳ ତାଙ୍କୁ ପୁରୀ ବିଜେଡି ସଭାପତି ଓ ପରେ ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ କରିଥିଲା । ୧୯୯୫ ମସିହାରେ ସେ ଜନତା ଦଳ ଟିକେଟରେ ସେ ପ୍ରଥମଥର ପାଇଁ ପୁରୀ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ସେବେଠୁ ସେ ୨୦୦୦,୨୦୦୪,୨୦୦୯ ଓ ୨୦୧୪ରେ କ୍ରମାଗତ ୫ଥର ବିଧାନସଭାକୁ ନିର୍ବାଚନ ହୋଇଥିଲେ । ତେବେ ୨୦୧୯ ମସିହା ସାଧାରଣ ନିର୍ବାଚନରେ ତାଙ୍କୁ ପରାଜୟର ଶିକାର ହେବାକୁ ପଡ଼ିଥିଲା । ୨୦୦୪ ମେ’ ୨୧ରୁ ୨୦୦୮ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ । ବାଚସ୍ପତି ଭାବେ ତାଙ୍କର କେତେକ ରୁଲିଂ ବିଧାନସଭାରେ ନୂଆ ପରମ୍ପରା ସୃଷ୍ଟି କରିଥିଲା । ବିଧାନସଭାର ଦୈନିକ ଅଧିବେଶନର ସମୟ ନିର୍ଦ୍ଧାରଣ ଶ୍ରୀ ମହାନ୍ତି ବାଚସ୍ପତି ଥିବା ସମୟରେ ହୋଇଥିଲା । ଗୃହର କାର୍ଯ୍ୟ ଅତ୍ୟନ୍ତ ଜରୁରୀ ଆବଶ୍ୟକତା ନଥିଲେ ସନ୍ଧ୍ୟା ୭ଟା ପରେ ଚାଲିବ ନାହିଁ ବୋଲି ଶ୍ରୀ ମହାନ୍ତି ରୁଲିଂ ଦେଇଥିଲେ । ବିଧାନସଭା ଗୃହ ଭିତରେ ମୋବାଇଲ ଫୋନ୍ ଉପଯୋଗ ଉପରେ କଟକଣା ଜାରି କରି ସେ ଚର୍ଚ୍ଚାକୁ ଆସିଥିଲେ । ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ, ବନାରସ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିବା ମହେଶ୍ୱର ରାଜନୀତିରେ ସାମିଲ ହେବା ପୂର୍ବରୁ ଆଡଭୋକେଟ୍ ଭାବେ କାର୍ଯ୍ୟ କରୁଥିଲେ ।